କନକବ୍ୟୁରୋ : ଲଗାଣ ବର୍ଷା ପ୍ରଭାବରେ ଖରିଫ ଧାନପାଇଁ ଚାଷୀ ତଳି ପକାଇଲା । ଆଉ ବର୍ଷାରେ ତଳି ଧୋଇଗଲା । ଏବେ ଶ୍ରାବଣ ସରିବାକୁ ବସିଲାଣି । ହେଲେ ବର୍ଷାର ଦେଖା ନାହିଁ । ଅସ୍ତରଙ୍ଗ କାକଟପୁର ଅଞ୍ଚଳରେ ବର୍ଷା ଯୋଗୁ ବଢ଼ିଛି ଚିନ୍ତା । ସମଗ୍ର ପୁରୀ ଜିଲ୍ଲାରେ ୩୦ ଭାଗ ନିଅଣ୍ଟିଆ ବର୍ଷା ହୋଇଛି । ଢିପ ଜମି ପାଇଁ ସମସ୍ୟା ଦେଖାଦେଇଛି । ଚଳିତ ଖରିଫ ଋତୁରେ ଶ୍ରାବଣ ମାସରେ ନିଅଣ୍ଟିଆ ବର୍ଷା ଚାଷୀ ଆଖିରୁ ନିଦ ହଜାଇ ଦେଲାଣି । ଚାଷ ଜମିରେ ପାଣି ନାହିଁ । ଚାଷୀ ବାଧ୍ୟ ହୋଇ ପାଣି କଳ ଭଡ଼ାରେ ଆଣି ପାଣିମଡ଼ାଇ ତଳି ରୋଉଛି ।
ଗୋଟିଏ ଖରାରେ ଚାଷ ଜମିରେ ପାଣି ଶୁଖିଯାଉଛି । ଯାହାଫଳରେ ଚାଷୀ ଚଳିତ ବର୍ଷ ଚାଷ କେମିତି ଆଗକୁ ନେବେ ଚିନ୍ତାରେ ପଡ଼ିଛି । ମୁଣ୍ଡଫଟା ଖରାରେ ଧାନ ତଳି ଉଠାଇବାକୁ ଜମିରେ ପାଣିନାହିଁ ।
ଶ୍ରାବଣ ମାସରେ ଚାଷ ଜମିରେ ଗାଈ ଗୋରୁ ଚରିଲେଣି । ଅସ୍ତରଙ୍ଗ ବ୍ଲକରେ ପଚାଶ ଭାଗଜମିରେ ଚାଷ ବର୍ଷା ପାଇଁ ଅଟକିଛି । ଲଘୁଚାପ ପରେ ଲଘୁଚାପ ହେଉଛି ହେଲେ ବର୍ଷା ନାହିଁ ଓ କେତେବେଳେ ମେଘ ପାଗ ତ ଆଉ କେତେବେଳେ ମୁଣ୍ଡଫଟା ଖରା ଜାରି ରହିଛି । ଯାହାକୁ ନେଇ ଚାଷୀର ଚିନ୍ତା ବଢ଼ି ବଢ଼ି ଚାଲିଛି । ଚିନ୍ତାରେ ପଡ଼ିଥିବା ଏହି ଚାଷୀଙ୍କ ଉପରେ ଗୁରୁତ୍ବ ଦେଇ କିଛି ସାହାଯ୍ୟ ସହଯୋଗ କରାଯାଇପାରିଲେ ଚାଷୀମାନେ ଉପକୃତ ହୋଇପାରିବେ ।