କନକ ବ୍ୟୁରୋ: ରବି ଋତୁରେ ଧାନ ଚାଷ କରି ଅଡୁଆରେ ସୁନ୍ଦରଗଡ ଜିଲ୍ଲାର ଚାଷୀ । ଜଳ ସେଚନ ସୁବିଧା ମିଳିବାରୁ ପ୍ରଥମ ଥର ଜିଲ୍ଲାରେ ଅନେକ ଚାଷୀ ରବି ଧାନ କରିଥିଲେ । ଆଉ ଏବେ ବିଭାଗ କହୁଛି ମଣ୍ଡି ବ୍ୟବସ୍ଥା କରିବା ମୁସ୍କିଲ। ଏହି ଖବର ଶୁଣିବା ପରେ ଚାଷୀଙ୍କ ମୁଣ୍ଡରେ ଚଡକ ପଡିଛି । ଚାଷୀ ଧାନ କେଉଁଠି ବିକିବେ ତାହାକୁ ନେଇ ଚିନ୍ତାରେ । ସୁନ୍ଦରଗଡରୁ ଦେଖନ୍ତୁ ଗ୍ରାଉଣ୍ଡ ଜିରୋ ରିପୋର୍ଟ ।
ସୁନ୍ଦରଗଡ଼ର ପାହାଡ଼ିଆ ଅଞ୍ଚଳର କ୍ଷେତରେ ଲହଡ଼ି ମାରୁଛି ସବୁଜ ଧାନ ଗଛ । ସରକାରଙ୍କ ପକ୍ଷରୁ ଉଠାଜଳସେଚନ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି । ତେଣୁ ପ୍ରଥମ ଥର ପାଇଁ ବିଭିନ୍ନ ବ୍ଲକର ଚାଷୀ ଖରିଫ ଚାଷ ପରେ ରବି ରୁତୁରେ ୨୫ଶହ ଏକରରୁ ଅଧିକ ଜମିରେ ଧାନ ଚାଷ କରିଛନ୍ତି । ଆହୁରି ୫୦ରୁ ୬୦ ଦିନ ପରେ ଧାନ ଅମଳ ଆରମ୍ଭ ହେବ । କିନ୍ତୁ ପ୍ରଶାସନ ଏଥର ମଣ୍ଡି ବ୍ୟବସ୍ଥା ହେବ ନାହିଁ ବୋଲି ସ୍ପଷ୍ଟ କରିଛି । ମଣ୍ଡି ନହେଲେ କାହାକୁ ବିକିବେ ଧାନ? ସେହି ଚିନ୍ତାରେ ଏବେ ସୁନ୍ଦରଗଡ଼ର ଚାଷୀ ।
ସୁନ୍ଦରଗଡ଼ରେ ରବି ଫସଲ ପାଇଁ ଧାନ ମଣ୍ଡି ବ୍ୟବସ୍ଥାକୁ ନେଇ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କୁ ଭେଟିଥିଲା କନକ ନ୍ୟୁଜ ଟିମ୍ । ସେ କହିଛନ୍ତି ଧାନ ମଣ୍ଡି ପାଇଁ ଆଉ ସମୟ ସୀମା ନାହିଁ । ତଥାପି ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ଚାଷୀ କିଭଳି ମଣ୍ଡିରେ ଧାନ ବିକ୍ରି କରି ପାରିବେ ତା ଉପରେ ନଜର ରଖିଛୁ।
ରବି ରୁତୁରେ ଧାନ ଚାଷ କରି ଫସିଯାଇଛି ସୁନ୍ଦରଗଡ଼ର ଚାଷୀ। ଯଦି ଏହାର କିଛି ସମାଧାନ ସରକାର ନକରନ୍ତି ତାହା ହେଲେ ବାଧ୍ୟ ହୋଇ କମ ମୁଲ୍ୟରେ ଦଲାଲ୍ ହାତରେ ଅମଳ ଧାନକୁ ଟେକିବା ପାଇଁ ବାଧ୍ୟ ହେବ ଚାଷୀ ।