କନକ ବ୍ୟୁରୋ: ବଜାରରୁ ଉଭାନ ହୋଇଛି ଓଡିଶା ନଡିଆ, ଓଡିଶାର ପୂଜା ପାର୍ବଣ ମେଣ୍ଟାଉଛି ପଡୋଶୀ ରାଜ୍ୟର ନଡିଆ । ଓଡିଆ ଲୋକମାନେ ପାଳନ କରନ୍ତି ୧୨ମାସରେ ତେରପର୍ବ, ଏହି ପର୍ବ ପର୍ବାଣିରେ ଶ୍ରୀଫଳ ବା ନଡିଆର ବ୍ୟବହାର ନିହାତି ଆବଶ୍ୟକ ହୋଇଥାଏ । ଜଗନ୍ନାଥ ସଂସ୍କୃତିରେ ଦାସିଆ ବାଉରୀ ତାଙ୍କ ଭକ୍ତି ନିଦର୍ଶନ ଏହି ନଡିଆ ମାଧ୍ୟମରେ କରିଥିଲେ, ଯାହାକୁ କାଳିଆ ସାଆନ୍ତ ନିଜ ମହାବାହୁ ପ୍ରସାରଣ କରି ନେଇଯାଇଥିଲେ ଦାସିଆଙ୍କ ନଡିଆକୁ ।

Advertisment

ଓଡ଼ିଆ ପରମ୍ପରାରେ କେଉଁଠି ନା କେଉଁଠି ନଡିଆର ସ୍ଵତନ୍ତ୍ର ସ୍ଥାନ ରହିଛି । ଦିନଥିଲା ଓଡିଶାର ଉପକୂଳ ଅଞ୍ଚଳ ନଡିଆ ଉତ୍ପାଦନର ପ୍ରମୁଖ ପେଣ୍ଠସ୍ଥଳୀ ଥିଲା । ବିଶେଷକରି ଉପକୂଳ ଅଞ୍ଚଳର ନଡିଆ ସାରା ଓଡିଶାର ଆବଶ୍ୟକତା ପୂରଣ କରୁଥିଲା ।  ପୁରୀ ଜିଲ୍ଲାର ଅସ୍ତରଙ୍ଗ ଓ କାକଟପୁର ଅଞ୍ଚଳରେ ପ୍ରଚୁର ପରିମାଣର ନଡ଼ିଆ ଉତ୍ପାଦନ ହେଉଥିଲା । କିଛି ବର୍ଷ ହେଲା ଚାଷୀ ନଡ଼ିଆ ଉତ୍ପାଦନ ସମ୍ପୂର୍ଣ ଭାବେ ବନ୍ଦ କରିଦେଲେଣି । ଫଳରେ ନଡ଼ିଆ ପାଇଁ ପଡ଼ୋଶୀ ରାଜ୍ୟ ତାମିଲନାଡୁ, କେରଳ ଓ ଆନ୍ଧ୍ରପ୍ରଦେଶ ଉପରେ ନିର୍ଭର କରୁଛି ଓଡ଼ିଶା । ଦେଶୀ ନଡ଼ିଆ ୧୫ରୁ ୨୦ ଟଙ୍କାରେ ମିଳୁଥିଲା । କେରଳ ଓ ତାମିଲନାଡୁ ନଡ଼ିଆ ୪୦ରୁ ୫୦ ଟଙ୍କାରେ କିଣିବାକୁ ପଡୁଛି । 

ନଡ଼ିଆ ବଦଳରେ ବିକ୍ରି ହେଉଛି ପଇଡ଼ 
ବଜାରରେ ମିଳୁନି ଦେଶୀ ନଡ଼ିଆ!

ନଡିଆ ଚାଷୀମାନେ ସେମାନଙ୍କ ବଗିଚାରୁ ନଡିଆ ପରିବର୍ତେ ପଇଡ ତୋଳି ରାଜ୍ୟର ବିଭିନ୍ନ ଅଞ୍ଚଳକୁ ପଠାଉଛନ୍ତି । ତେଣୁ ନଡିଆ ଗଛରେ ଆଉ ନଡିଆ ରହୁନାହିଁ । ନଡ଼ିଆ ପାକଳ ହେବାପାଇଁ ୪ ମାସ ସମୟ ଲାଗିଥାଏ । ପଇଡ଼ ୨ ମାସରେ ପ୍ରସ୍ତୁତ ହୋଇଯାଏ । ଯାହାଦ୍ବାରା ଚାଷୀମାନେ ୪ ମାସ ଭିତରେ ୨ ଥର ପଇଡ଼ ବିକ୍ରି କରି ଲାଭବାନ ହେଉଛନ୍ତି । ତେବେ ଅଭୟ ମଲ୍ଲ ନାମକ ଜଣେ ନଡିଆ ଚାଷୀଙ୍କର ୬୦ ରୁ ୭୦ ନଡିଆ ଗଛ ଥିଲେ ମଧ୍ୟ ପଇଡ଼ ବିକ୍ରି କରୁଛନ୍ତି ।