କନକ ବ୍ୟୁରୋ : ଲୋକଙ୍କୁ ବିଶୁଦ୍ଧ ପାଣି ଯୋଗଇବା ପାଇଁ ସରକାରୀ ସ୍ତରରେ ଅନେକ ଯୋଜନା କରାଯାଉଛି । ସବୁ ଯୋଜନା ଲୋକଙ୍କ ପାଖରେ ପହଞ୍ଚିପାରୁନାହିଁ । ସଠିକ ଭାବେ କାର୍ଯ୍ୟକାରୀ ହୋଇପାରୁନାହିଁ । ଫଳରେ ଲୋକେ ପିଇବା ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି । ଗଜପତି ଜିଲ୍ଲାର ୮୨ଟି ପଞ୍ଚାୟତକୁ ପିଇବା ପାଣି ଯୋଗାଇବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିଲା ମେଗା ଜଳ ଯୋଗାଣ ପ୍ରକଳ୍ପ । ପ୍ରକଳ୍ପ କାମ ସଂପୂର୍ଣ୍ଣ ହେଲେ ମୋହନାର ୩୯ଟି, ଆର୍.ଉଦୟଗିରିର ୧୭ଟି, ନୂଆଗଡ଼ର ୧୯ଟି ଓ ଗୁମ୍ମା ବ୍ଲକର ୫ଟି ପଞ୍ଚାୟତ ସହ କନ୍ଧମାଳ ଦାରିଙ୍ଗବାଡ଼ି ବ୍ଲକର ୨ଟି ପଞ୍ଚାୟତର ଲୋକଙ୍କ ତୃଷ୍ଣା ମେଣ୍ଟିବ । ଅବଧି ସରିଲାଣି ହେଲେ ସରୁନାହିଁ ପ୍ରକଳ୍ପ, ମେଣ୍ଟୁନାହିଁ ଶୋଷ । କେଉଁଠି ଲୋକେ ଗୋଳି ପାଣି ବ୍ୟବହାର କରୁଛନ୍ତି ତ ଆଉ କେଉଁଠି କୂଅ ଖୋଳି ପାଣି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି ।   

Advertisment

ପୂର୍ବ ସରକାର ଅମଳରୁ ଆରମ୍ଭ ହୋଇଥିବା ମେଗା ଜଳ ପ୍ରକଳ୍ପର ଦାୟିତ୍ବ ନେଇଥିଲେ ଜେଏମ୍‌ସି ଓ ଏସ୍‌ପିଏମ୍ଏଲ୍‌ କମ୍ପାନି । ୬୦୨ କୋଟି ୯୬ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିଲା । ୫ବର୍ଷ ରକ୍ଷଣାବେକ୍ଷଣ ପାଇଁ ୮୦ କୋଟି ୫୪ ଲକ୍ଷ ବ୍ୟୟବରାଦ ରହିଛି । ଅଡ଼ବା ଠାରେ ଥିବା ହରଭଙ୍ଗି ଜଳ ଭଣ୍ଡାରରୁ ଜଳ ଯୋଗାଇବା ଲକ୍ଷ୍ୟରେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ହେଲେ ଏବେ ଜଳଭଣ୍ଡାରରୁ ଜଳ ଉଭାନ ହୋଇଯାଇଛି। ଫଳରେ ପ୍ରକଳ୍ପ ଦ୍ବାରା କିପରି ଜଳ ଯୋଗାଯିବ ତାହା ଆଉ ଏକ ପ୍ରଶ୍ନ ।