No Playgrounds Photograph: (Kanak News)
କନକ ବ୍ୟୁରୋ : ସ୍କୁଲ ସ୍ତରରେ କ୍ରୀଡ଼ାକୁ ପ୍ରାଥମିକତା ଦେଉଛନ୍ତି ସରକାର । ହେଲେ ଅନେକ ବିଦ୍ୟାଳୟରେ ନାହିଁ ଖେଳପଡ଼ିଆ । ଭାତହାଣ୍ଡିରୁ ଗୋଟିଏ ଚାଉଳ ଚିପିଲା ଭଳି ଖେଳପଡ଼ିଆର ବାସ୍ତବ ଚିତ୍ରକୁ ପଦାରେ ପକାଇଛି ମୟୂରଭଞ୍ଜ ରାଇରଙ୍ଗପୁରର ଏସ୍ଏସ୍ଡି ହାଇସ୍କୁଲ । ତାହା ପୁଣି ଦେଶର ସର୍ବୋଚ୍ଚ ନାଗରିକଙ୍କ ଉପସ୍ଥିତିରେ । ନିଜ ଜନ୍ମମାଟିକୁ ଯାଇଥିବା ବେଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଭିନ୍ନ ସ୍ଥାନକୁ ଯାଇ ପିଲାଙ୍କ ଠାରୁ ବୟସ୍କ ଓ ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରିଛନ୍ତି । ବିଦ୍ୟାଳୟର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ପିଲାଙ୍କ ସହ ବାର୍ତ୍ତାଳାପ ଭିତରେ ଖେଳ ପଡ଼ିଆ ନାହିଁ ବୋଲି ଜାଣିବାକୁ ପାଇଥିଲେ ରାଷ୍ଟ୍ରପତି । ଆଉ ଏହା ପରେ ବିଭାଗୀୟ ମନ୍ତ୍ରୀଙ୍କୁ ଖୋଜିବା ସହ ପିଲାଙ୍କ ପାଇଁ ଖେଳ ପଡ଼ିଆର ଆବଶ୍ୟକତା ଥିବା କହିଥିଲେ । ଏବେ ପ୍ରଶ୍ନ ଉଠୁଛି ଖେଳ ପଡ଼ିଆ ନରହିଲେ କେଉଁଠି ଖେଳିବେ ଛାତ୍ରଛାତ୍ରୀ ? ଯଦି ପିଲାବେଳେ ନଖେଳିବେ, ତେବେ କେବେ ଖେଳିବେ ?
ରାଜ୍ୟର ଅନେକ ସ୍କୁଲରେ ଥିବା ଖେଳ ପଡ଼ିଆ ଏବେ ପିଲାଙ୍କ କାମରେ ଲାଗୁନି । ପୁରୀ ସାକ୍ଷୀଗୋପାଳ ବ୍ଲକ ସ୍ତରୀୟ ମିନି ଷ୍ଟାଡିୟମ ପଞ୍ଚସଖା ବିଦ୍ୟାଳୟ ଅଧିନରେ ପଡ଼ିଆ ରହିଥିବା ବେଳେ ଅନେକ ସମୟରେ ଏଠାରେ ମେଳା, ମହୋତ୍ସବ ହେଉଛି । ଯାହା ଫଳରେ ସ୍କୁଲ ପିଲାଙ୍କୁ ଖେଳିବାର ସୁଯୋଗ ମିଳୁନାହିଁ । ରାଜ୍ୟ ସରକାର ସ୍କୁଲ ଶିକ୍ଷାର ଉନ୍ନତିକରଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଏସବୁ ସତ୍ତ୍ୱେ ବି ପିଲାଙ୍କ ପାଇଁ ଖେଳିବାର ସୁଯୋଗ ନାହିଁ ।
ଅଧିକ ପଢ଼ନ୍ତୁ : ନିଜ ଜନ୍ମମାଟିକୁ ଫେରିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ : ପାହାଡପୁର–ରାଇରଙ୍ଗପୁରରେ ଆତ୍ମୀୟ ସ୍ୱାଗତ
ଓଡ଼ିଶା ଭଳି ରାଜ୍ୟରେ ସ୍କୁଲ, କଲେଜ କ୍ୟାମ୍ପସରେ ଆବଶ୍ୟକୀୟ କ୍ରୀଡ଼ା ଭିତ୍ତିଭୂମିର ଅଭାବ ରହିଛି । ଯାହାଦ୍ୱାରା ଜାତୀୟ ସ୍ତରର କ୍ରିକେଟ, ଫୁଟବଲ୍, ଭଲି, ଖୋଖୋ ଏବଂ ଅନ୍ୟାନ୍ୟ ଦଳରେ ଓଡ଼ିଶାର ପ୍ରତିନିଧିତ୍ବ ସେତେଟା ଆଖିଦୃଶିଆ ହୋଇପାରୁନାହିଁ ।
Follow Us