କନକ ବ୍ୟୁରୋ: ରାଜ୍ୟରେ ରହିବେନି ଭୂମିହୀନ। ରାଜ୍ୟରେ ଥିବା ଭୂମିହୀନଙ୍କୁ ଖୋଜି ଖୋଜି ପଟ୍ଟା ଦେବେ ତହସିଲଦାର। ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡିର ସହିଦ ମିନାର ଠାରେ ସହିଦ ଦିବସ ପାଳନ ଅବସରରେ ଏହି ଘୋଷଣା କରିଛନ୍ତି ରାଜସ୍ୱ ମନ୍ତ୍ରୀ । ଆସନ୍ତାବର୍ଷ ଅଗଷ୍ଟ ସୁଦ୍ଧା ଜିଲ୍ଲାର ଜମିହୀନଙ୍କୁ ଖୋଜି ପଟ୍ଟା ଯୋଗାଇ ଦେବେ ରାଜସ୍ୱ ବିଭାଗ ।
ଖାଲି ଗରିବ ଭୂମିହୀନ ନୁହେଁ ସ୍କୁଲଗୁଡିକୁ ମଧ୍ୟ ଜମି ପଟ୍ଟା ଯୋଗାଇ ଦିଆଯିବ। ସ୍କୁଲକୁ ଯାଇ ପ୍ରଧାନ ଶିକ୍ଷକଙ୍କୁ ପଟ୍ଟା ଦେବେ ତହସିଲଦାର । ଗୋଟିଏ ବର୍ଷ ଭିତରେ ବିଭିନ୍ନ ଶିକ୍ଷାନୁଷ୍ଠାନକୁ ୨୨ ହଜାର ଜମି ପଟ୍ଟା ପ୍ରଦାନ କରାଯାଇଛି । ଶିକ୍ଷାନୁଷ୍ଠାନକୁ ଜଙ୍ଗଲ କିସମ ଜମି ମଧ୍ୟ ପଟ୍ଟା କରି ଦିଆଯିବ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରି ।