କନକ ବ୍ୟୁରୋ: ବିଜେଡରେ ୱାକଫ୍ ବିଲ୍କୁ ନେଇ ଉଠିଥିବା ଝଡ ଥମିବାର ନା ନେଉ ନାହିଁ । ଦିନକୁ ଦିନ ଏହା ଦଳୀୟ କନ୍ଦଳକୁ ବଢାଇବାରେ ଲାଗିଛି । ଗୋଟିଏ ଅର୍ଥରେ କହିବାକୁ ଗଲେ ବିଜେଡିରେ ଦଳୀୟ କନ୍ଦଳ ପାଇଁ ଗୋଟିଏ ବଡ ଖୋରାକ ଯୋଗାଇଛି ୱାକଫ୍ ବିଲ୍ । ସୁଲତା ଦେଓଙ୍କ ସୋସିଆଲ ମିଡିଆ ପୋଷ୍ଟ ପରେ ବଢିଛି ବିବାଦ। ସୁଲତାଙ୍କ ପୋଷ୍ଟ ପାଇଁ ତାଙ୍କୁ ସିଧା ସିଧା ଟାର୍ଗେଟ୍ କରିଛନ୍ତି ଦେବାଶିଷ ସାମନ୍ତରାୟ । ଜଣେ ଜୁନିୟର ସଭ୍ୟ ହୋଇ ପୁଣି ମୁଖିଆ ମନା କଲା ପରେ ବି ସେ ଟ୍ବିଟ୍ କରି ବିବାଦ ବଢ଼ାଉଛନ୍ତି । ଏକଥା ଆଗକୁ ନବୀନ ବିଚାର କରିବେ । ଗତକାଲି ସୋସିଆଲ ମିଡିଆରେ ପୋଷ୍ଟ କରି ସସ୍ମିତ ପାତ୍ରଙ୍କୁ ସମର୍ଥନ କରିବା ସହ ମୁନା ଖାଁଙ୍କୁ ଟାର୍ଗେଟ୍ କରିଥିଲେ ସୁଲତା ଦେଓ ।
ଏପଟେ ବିଜେଡିରେ ଫାଟ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ଅନନ୍ତ ନାରାୟଣ ଜେନା ଓ ବରିଷ୍ଠ ନେତା ଅଶୋକ ପଣ୍ଡା । ଦଳ ଏକ ଅଛି ବୋଲି କହିଛନ୍ତି ଅଶୋକ ପଣ୍ଡା । ଅନନ୍ତ ଜେନା କହିଛନ୍ତି, ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତି ଶେଷ ନିଷ୍ପତ୍ତି । ଦଳର ବରିଷ୍ଠ କନିଷ୍ଠ କେହି କୌଣସି ମେଳି କରୁନାହାନ୍ତି । ଯିଏ ଯେଉଁଠି ମତ ଦେଉଛନ୍ତି ତାହା ତାଙ୍କର ସମ୍ପୂର୍ଣ୍ଣ ଭାବରେ ବ୍ୟକ୍ତିଗତ ।
ତେବେ ଗତକାଲି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ସୁଲତା ଦେଓ । ସସ୍ମିତ ପାତ୍ରଙ୍କୁ ସମର୍ଥନ କରିବା ସହ ମୁନା ଖାଁଙ୍କୁ ଟାର୍ଗେଟ୍ କରିଥିଲେ । ସୁଲତା ଦେଓ ଲେଖିଥିଲେ, ବିବେକାନୁମୋଦିତ ଭୋଟ୍ ଦେବା ପାଇଁ ଗତ ୭ ତାରିଖରେ ନବୀନ ପଟ୍ଟନାୟକ ସିଧା ଶବ୍ଦରେ କହିଥିଲେ । ମୁନା ଖାଁ ଓ ତାଙ୍କ ସହ ଆସିଥିବା ଦେବାଶିଷ ସାମନ୍ତରାୟଙ୍କ ସମର୍ଥକଙ୍କୁ ମଧ୍ୟ ନବୀନ ଏକଥା ସିଧା କହିଥିଲେ । ସୁଲତାଙ୍କ ଏପରି ପୋଷ୍ଟ ପରେ ବିଜେଡିର ବରିଷ୍ଠ ନେତାଙ୍କ ପ୍ରତିକ୍ରିୟା ଆସିବାରେ ଲାଗିଛି ।