କନକ ବ୍ୟୁରୋ: ଚାମ୍ପିୟନ୍ସ ଟ୍ରଫି ପାଇଁ ଘୋଷଣା ହୋଇ ସାରିଛି ଭାରତୀୟ ଦଳ । ରୋହିତଙ୍କ ନେତୃତ୍ବରେ ଦଳ ଚାମ୍ପିୟନ୍ସ ଟ୍ରଫି ଖେଳିବ । ହେଲେ ଏଥର ଭାରତୀୟ ଟିମ ପାଇଁ ଚିନ୍ତାର କାରଣ ପାଲଟିଛି ଫର୍ମ । ଦଳରେ ବଡ ବଡ ବ୍ୟାଟ୍ସମ୍ୟାନ ବାରମ୍ବାର ବିଫଳ ହେବା ଚିନ୍ତାର କାରଣ ପାଲଟିଛି । ବର୍ଡର-ଗାଭାସ୍କର ଟ୍ରଫିରେ ଯେଉଁଭଳି ଭାବେ ଦଳର ପ୍ରଦର୍ଶନ ରହିଥିଲା ତାହା ସତରେ ଚିନ୍ତାଜନକ । ଟପ ଅର୍ଡର, ମିଡିଲ ଅର୍ଡର ସବୁ ବିଫଳ । ଏମିତି ଖେଳିଲେ ଦଳ କେମିତି ଚାମ୍ପିୟନ୍ସ ଟ୍ରଫି ଜିତିବା ତାକୁ ନେଇ ଏବେ ଚର୍ଚ୍ଚା । 
Advertisment
ଦଳରେ ବଡ ଷ୍ଟାର ଫେଲ ହେବା ପରେ କୋଚ ଗୌତମ ଗମ୍ଭୀର ସମସ୍ତଙ୍କୁ ରଣଜୀ ଖେଳିବାକୁ ପରାମର୍ଶ ଦେଇଥିଲେ । ଫଳରେ ଚାମ୍ପିୟନ୍ସ ଟ୍ରଫି ଆଗରୁ ଦଳର କିଛି ଷ୍ଟାର ଖେଳାଳି ନିଜ ନିଜ ରଣଜୀ ଦଳରେ ସାମିଲ ହୋଇଥିଲେ । ହେଲେ ଏଥିରେ ବି ସମାନ ଅବସ୍ଥା । ନା ଚାଲିଲା ବ୍ୟାଟ, ନା ଦେଖାଇ ପାରିଲେ ନିଜ ପାରଦର୍ଶିତା । ମୁମ୍ବାଇ ପାଇଁ ଖେଳୁଥିବା ଟିମ ଇଣ୍ଡିଆ କ୍ୟାପଟେନ ରୋହିତ ଶର୍ମା ମାତ୍ର ୩ ରନ କରି ପାଭିଲିୟନ ଫେରିଯାଇଥିବା ବେଳେ ତାଙ୍କ ସହ ଓପନିଂ ପାଇଁ ଆସିଥିବା ଯଶସ୍ବୀ ଜୟସ୍ବାଲ ୪ ରନ କରି ଆଉଟ ହୋଇଯାଇଥିଲେ । ସେହିପରି ଦିଲ୍ଲୀ ପାଇଁ ଖେଳୁଥିବା ରିଷଭ ପନ୍ତ ୧ ରନ କରି ଆଉଟ ହୋଇଯାଇଥିଲେ । ଆଉ ପଞ୍ଜାବ ଖେଳୁଥିବା ଭାରତୀୟ ଷ୍ଟାର ବ୍ୟାଟର ଶୁଭମନ ଗିଲ୍ ବି ୪ ରନ କରି ପାଭିଲିୟନ ଫେରିଯାଇଥିଲେ । ଚାମ୍ପିୟନ୍ସ ଟ୍ରଫିକୁ ଆଉ କିଛିଟା ଦିନ ବାକି ଥିବା ବେଳେ ରଣଜୀ ଟ୍ରଫିରେ ଭାରତୀୟ ଷ୍ଟାର ଖେଳାଳି ଏମିତି ଝୁଣ୍ଟିବା ଦଳର ଚିନ୍ତାକୁ ଦ୍ବିଗୁଣିତ କରିଛି ।
କେବଳ ଏହି ୪ ଖେଳାଳି ନୁହେଁ ଶ୍ରେୟସ ଆୟର ବି ମୁମ୍ୱାଇ ପାଇଁ ଖେଳି ବିଫଳ ହୋଇଛନ୍ତି । ସେ ମାତ୍ର ୧୧ ରନ କରି ପାଭିଲିୟନ ଫେରିଯାଇଛନ୍ତି । ଜାତୀୟ ସ୍ତରରେ ଯେତେବେଳେ ଖେଳାଳି ବାରମ୍ୱାର ବିଫଳ ହେଉଥିଲେ ସେତେବେଳେ ରଣଜୀ ଖେଳିବାକୁ ପରାମର୍ଶ ଦିଆଯାଇଥିଲା । ହେଲେ ରଣଜୀରେ ବଡ ଖେଳାଳିଙ୍କ ପ୍ରଦର୍ଶନ ହିଁ ବୟାନ କରୁଛି ଦଳ କେମିତି ସ୍ଥିତିରେ ରହିଛି । 
ସେପଟେ ରୋହିତ ଶର୍ମାଙ୍କ ଟେଷ୍ଟ ଦଳରେ ସ୍ଥାନ ଧୀରେ ଧୀରେ ଶେଷ ହେବାରେ ଲାଗୁଛି, ଭାରତକୁ ଜୁନ୍ ମାସରେ ଇଂଲଣ୍ଡ ଗସ୍ତରେ ଯିବାକୁ ପଡ଼ିବ। ଏହି ସମୟରେ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯିବ, କିନ୍ତୁ ଏଥିରେ ସ୍ଥାନ ପାଇବା ପାଇଁ ରୋହିତଙ୍କ ଆଶା କେବଳ ଘରୋଇ ପ୍ରଦର୍ଶନ ଉପରେ ନିର୍ଭର କରୁଛି । ଏଥିରେ ବିଫଳ ହେଲେ ବୋଧହୁଏ ରୋହିତଙ୍କ ଟେଷ୍ଟ କ୍ୟାରିୟର ଶେଷ ହୋଇଯିବ । ସେହିପରି ଶୁଭମନ ଗିଲ, ଶ୍ରେୟାସ ଆୟର, ରିଷଭ ପନ୍ତ ଓ ଜୟସ୍ୱାଲଙ୍କ ଭଳି ଖେଳାଳି ଯେଉଁମାନଙ୍କଠାରୁ ଦଳ ବହୁତ କିଛି ଆଶା ରଖିଛି ସେମାନେ ମଧ୍ୟ ଫର୍ମ ପାଇଁ ସଂଘର୍ଷ କରୁଛନ୍ତି । 
ଆସନ୍ତା ଫେବୃଆରୀ ୧୯ ତାରିଖରେ ଆରମ୍ଭ ହେବାକୁ ଯାଉଛି ଚାମ୍ପିୟନ୍ସ ଟ୍ରଫି । ଫେବୃଆରୀ ୨୦ ତାରିଖରେ ଭାରତ ତାର ଅଭିଯାନ ବାଂଲାଦେଶ ବିପକ୍ଷରେ ଆରମ୍ଭ କରିବ । ଆଉ ୨୩ ତାରିଖରେ ଭାରତ ପାକିସ୍ତାନକୁ ଭେଟିବ । ଦେଖିବା ବାକି ରହିଲା ବାରମ୍ବାର ଫ୍ଲପ ହେଉଥିବା ଭାରତୀୟ ଷ୍ଟାର ଖେଳାଳି ଚାମ୍ପିୟନ୍ସ ଟ୍ରଫିରେ କଣ ଯାଦୁ ଦେଖାଉଛନ୍ତି ।