କିଏ ହେବ ବିଜେପି ରାଜ୍ୟ ସଭାପତି ? ବୈଠକ ପରେ ବୈଠକ ପରେ ବି ହୋଇପାରୁନି ନିଷ୍ପତ୍ତି

ମାନସମନ୍ଥନ ହେଲା, କିନ୍ତୁ ମୋହର ବାଜିଲାନି । ଦିନ ଗଡିବା ସହ ରାଜ୍ୟ ବିଜେପି ସଭାପତି ଚୟନ ବିଳମ୍ବିତ ହେଉଛି । ହେଲେ କାହିଁକି? 

BJP state president

BJP state president Photograph: (kanakNews)

କନକ ବ୍ୟୁରୋ: ମାନସମନ୍ଥନ ହେଲା, କିନ୍ତୁ ମୋହର ବାଜିଲାନି । ଦିନ ଗଡିବା ସହ ରାଜ୍ୟ ବିଜେପି ସଭାପତି ଚୟନ ବିଳମ୍ବିତ ହେଉଛି। ଏହାସହ ଜିଲ୍ଲା ସଭାପତିଙ୍କ ନାଁକୁ ନେଇ ଦଳ ଏବେ ବି ଦ୍ବନ୍ଦ୍ବରେ ରହିଛି। ସଭାପତି ଚୟନ ଖୁବଶୀଘ୍ର ହେବ ବୋଲି ମୁଖିଆ ବାରମ୍ବାର କହୁଥିଲେ ମଧ୍ୟ କାହିଁକି ନିଷ୍ପତ୍ତି ଚୂଡାନ୍ତ ରୂପ ନେଇପାରୁନି ତାକୁ ନେଇ ଉଠିଛି ପ୍ରଶ୍ନ। 

ରାଜ୍ୟ କାର୍ୟ୍ୟାଳୟରେ ଘଣ୍ଟା ଘଣ୍ଟା ଧରି ବୈଠକ ହେଲା। ଶୀର୍ଷସ୍ତରର ନେତୃତ୍ବଙ୍କ ମଧ୍ୟରେ ମାନସମନ୍ଥନ ଚାଲିଲା। ବୈଠକ ସରିଗଲା, ହେଲେ ସଭାପତି ଚୟନ ନେଇ ସହମତି ହୋଇପାରିଲାନି। ଉଭୟ ଜିଲ୍ଲା ଓ ରାଜ୍ୟର ନେତୃତ୍ବ କିଏ ଧରିବ ତାହା ଏବେ ବି ଅନିଶ୍ଚିତତା ଭିତରେ। ୨୦ ଜିଲ୍ଲା ସଭାପତିଙ୍କ ନାଁ ଏକପ୍ରକାର ଚୂଡାନ୍ତ ହୋଇସାରିଥିବା ବେଳେ ବଳକା ୧୭ ଜିଲ୍ଲା ସାଙ୍ଗଠନିକ ସଭାପତି ଚୟନକୁ ନେଇ ଅକଳରେ ପଡିଛି ରାଜ୍ୟ ବିଜେପି। ତେବେ ଖୁବଶୀଘ୍ର ଜିଲ୍ଲା ମଙ୍ଗୁଆଳଙ୍କ ନାଁରେ ମୋହର ବାଜିବ ବୋଲି ଦୃଢୋକ୍ତି ଦେଖାଇଛନ୍ତି ବିଜେପି ରାଜ୍ୟ ସଭାପତି।

ନୂଆ ସରକାର ଗଠନ ପରେ ୭ ମାସ ବିତିଗଲାଣି । ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ। ତୃଣମୂଳସ୍ତରରେ ସଙ୍ଗଠନକୁ ଶକ୍ତିଶାଳୀ କରିବାକୁ ଶୀର୍ଷ ନେତୃତ୍ବ ହୁଙ୍କାର ଦେଉଥିବା ବେଳେ ମଙ୍ଗୁଆଳ ପଦ ବିନା କେହି ଆଗକୁ ଆସିବାକୁ ନାରାଜ । ତେବେ ସଭାପତି ଅଙ୍କ ଛିଣ୍ଡୁନି କାହିଁକି? 

-    ନିଜ ସମର୍ଥକଙ୍କୁ ଜିଲ୍ଲା ସଭାପତି କରିବାକୁ ସାଂସଦ ଓ ବିଧାୟକଙ୍କ ମଧ୍ୟରେ ଟଣାଓଟରା
-    ଅଧିକାଂଶ ଜିଲ୍ଲାରେ ସଭାପତି ଆଶାୟୀଙ୍କ ସଂଖ୍ୟା ୧୦ରୁ ଅଧିକ 
-    ସଭାପତି ଚୟନରେ ବୟସ ସାଜୁଛି ବାଧକ
-    ଦଳ ନୂଆ ଚେହେରାଙ୍କୁ ସୁଯୋଗ ଦେବାକୁ ଚାହୁଁଛି, ବାଟ ଛାଡୁନାହାନ୍ତି ପୁରୁଣା ନେତା
-    ଦଳଡିଆଁଙ୍କ ଥଇଥାନକୁ ନେଇ ଦ୍ବନ୍ଦ୍ବରେ ରହୁଛି ଦଳ 

ରାଜ୍ୟ ବିଜେପି ସଭାପତି ଚୟନ ନେଇ ଲମ୍ବା ଅବଧି ଧରି ହିସାବ ନିକାଶ ଚାଲିଛି। ଦିଲ୍ଲୀରୁ ଓଡ଼ିଶା ପର୍ୟ୍ୟନ୍ତ ତୁହାକୁ ତୁହା ବୈଠକ ହେଉଛି। ସହମତିରେ ସଭାପତି ଚୟନ ହେବ ବୋଲି ଶୀର୍ଷ ନେତୃତ୍ବ ଜୋର ଦେଇ କହୁଛନ୍ତି। କିନ୍ତୁ ମିଳିତ ସହମତି ନହେବା ପଛରେ କେଉଁଠି ରହୁଛି ଅସୁବିଧା, ସେ ନେଇ ଆରମ୍ଭ ହୋଇଗଲାଣି ଭିନ୍ନ ଭିନ୍ନ ଚର୍ଚ୍ଚା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe