କନକ ବ୍ୟୁରୋ : ୨୦୧୫ରେ ପୁରୀରେ ମହାପ୍ରଭୁଙ୍କ ନବକଳେବର କେହି ଭୁଲିନାହାନ୍ତି । ଏହାପୂର୍ବରୁ ୧୯୯୬, ୧୯୭୭ରେ ବି ଶ୍ରୀବିଗ୍ରହମାନଙ୍କର ନବକଳେବର ହୋଇଥିଲା । ହେଲେ କେନ୍ଦ୍ରାପଡ଼ା ବଳଦେବଜୀଉ ମନ୍ଦିରରେ ଶ୍ରୀବଳଦେବ ସିନା ମଣିବିଗ୍ରହ,କାଠରେ ନିର୍ମିତ ଶ୍ରୀଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କର କିନ୍ତୁ ହୋଇନାହିଁ ନବକଳେବର । ଭକ୍ତ କହୁଛନ୍ତି, ଏସବୁ ଠାକୁରଙ୍କ ଲୀଳା ।
କିଏ କହିପାରେ ଅଲୌକିତତା । ଆଉ କିଏ କହିପାରେ ମହାପ୍ରଭୁଙ୍କ ଲୀଳାଖେଳା । ତୁଳସୀକ୍ଷେତ୍ରର ଆରାଧ୍ୟ ଶ୍ରୀବଳଦେବଜୀଉ ମନ୍ଦିରରେ ଦୀର୍ଘ ବର୍ଷ ଧରି ହୋଇନାହିଁ ଠାକୁରଙ୍କ ନବକଳେବର । ଶ୍ରୀକ୍ଷେତ୍ରର ସବୁ ନୀତିକାନ୍ତି ବଳଦେବଜୀଉଙ୍କ ପୀଠରେ ପାଳନ ହୁଏ । ହେଲେ ନବକଳେବରରେ ଦେଖିବାକୁ ମିଳିଛି ବ୍ୟତିକ୍ରମ ପରମ୍ପରା ଅନୁଯାୟୀ, ମହାପ୍ରଭୁଙ୍କ ବିଗ୍ରହ ଥିବା ଅନ୍ୟ ମନ୍ଦିରରେ ଯୋଡ଼ା ଶ୍ରାବଣ ବର୍ଷରେ ନବକଳେବର ହୋଇଥାଏ । ତୁଳସୀକ୍ଷେତ୍ରରେ ପ୍ରଭୁ ବଳଦେବଜୀଉ ହେଉଛନ୍ତି ମଣି ବିଗ୍ରହ । ଦେବୀ ସୁଭଦ୍ରା ଓ ପ୍ରଭୁ ଜଗନ୍ନାଥ ବିଗ୍ରହ କିନ୍ତୁ କାଠରେ ନିର୍ମିତ । ଏହାସତ୍ତ୍ୱେ ଦୀର୍ଘ ଦଶନ୍ଧି ଧରି ପରିବର୍ତ୍ତନ ହୋଇନାହାନ୍ତି ବିଗ୍ରହ । ସାଂକେତିକ ଭାବେ କେବଳ ପ୍ରଭୁଙ୍କ ବସ୍ତ୍ରର ହୋଇଥାଏ ନବକଳେବର ।
ଶ୍ରୀବଳଦେବଜୀଉ ପୀଠରେ ବିଗ୍ରହଙ୍କ ନବକଳେବର ହୋଇଥିବାର ମୂକସାକ୍ଷୀ କେହି ନାହାନ୍ତି । ହେଲେ ବନଯାଗ ପୋଥିରେ ଥିବା ତଥ୍ୟ ନବକଳେବରର ଚର୍ଚ୍ଚାକୁ ଭିନ୍ନ ମୋଡ଼ ଦେଇଛି । ୧୯୭୨ ମସିହାରେ ବାସୁଦେବ ସୁଆରଙ୍କ ପତ୍ନୀଙ୍କ ଠାରୁ ଏହି ପୋଥି ସଂଗ୍ରହ କରିଥିଲେ ଡ଼ ସତ୍ୟ ନାରାୟଣ ରାଜଗୁରୁ । ଏଥିରେ ନବକଳେବରର ନୀତିକାନ୍ତି ବାବଦରେ ସମସ୍ତ ତଥ୍ୟ ଉଲ୍ଲେଖ ରହିଛି । ଯାହା ଶମ୍ଭୁନାଥ ବାଜପେୟୀଙ୍କ ଦ୍ୱାରା ଷୋଡଶ ଶତାବ୍ଦୀରେ ବର୍ଣ୍ଣିତ । ପ୍ରଶ୍ନ ଉଠୁଛି, ଯଦି ଶ୍ରୀମନ୍ଦିରର ସବୁ ନୀତିକାନ୍ତି ପାଳନ ହେଉଛି ତେବେ ନବକଳେବର ନୀତି କାହିଁକି ନୁହେଁ ? ନବକଳେବର ହୋଇନଥିଲେ ମଧ୍ୟ ୨ରୁ ୩ ପିଢି ଧରି ରତ୍ନସିଂହାସନରୁ ଚତୁର୍ଦ୍ଧାମୂର୍ତ୍ତି ସେମିତି ଅକ୍ଷତ ଅବସ୍ଥାରେ ପୂଜା ପାଇ ଆସୁଛନ୍ତି । ଏହା ମହାପ୍ରଭୁଙ୍କ ଅଲୌକିକତା ନୁହେଁ ତ କଣ ?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/10/29/nabakalebara-2025-10-29-21-28-49.jpg)