କନକ ବ୍ୟୁରୋ: ରେସିଡେଣ୍ଟ୍ ସାର୍ଟିଫିକେଟ୍‌ ଓ କାଷ୍ଟ ସାର୍ଟିଫିକେଟ୍‌ ପ୍ରାୟ ସମସ୍ତଙ୍କର ଆବଶ୍ୟକ ପଡ଼ିଥାଏ । ଏଥିପାଇଁ ପ୍ରତି ୬ ମାସରେ ଥରେ ତହସିଲ ଅଫିସକୁ ଦୌଡ଼ିବାକୁ ପଡ଼ିଥାଏ । କିନ୍ତୁ ଏବେ ଏଥିରୁ ମିଳିବ ମୁକ୍ତି । ଆଗକୁ ବାରମ୍ବାର ତହସିଲ ଅଫିସକୁ ଦୌଡ଼ିବାକୁ ପଡିବନି। ଥରେ କାଷ୍ଟ ସାର୍ଟିଫିକେଟ୍ ବା ଜାତିଗତ ପ୍ରମାଣପତ୍ର ବାହାର କଲେ ତାହା ସବୁଦିନ ପାଇଁ କାମରେ ଲାଗିବ । ମୁଖ୍ୟତଃ ଅନୁସୂଚିତ ଜାତି ଓ ଜନଜାତିର ଲୋକଙ୍କୁ ଜୀବନରେ ଥରେ ସାର୍ଟିଫିକେଟ୍ ବାହାର କରିବାକୁ ପଡ଼ିବ । ଏସଇବିସି ଓ ଓବିସି ବର୍ଗଙ୍କ ପାଇଁ କିନ୍ତୁ ପୂର୍ବ ନିୟମ ବଳବତ୍ତର ରହିବ ।

Advertisment

ଠିକ୍ ସେହିପରି ରେସିଡେଣ୍ଟ୍ ସାର୍ଟିଫିକେଟ୍ ବା ଆବାସିକ ପ୍ରମାଣପତ୍ର ଥରେ ବାହାର କଲେ ଜୀବନ ସାରା କାମରେ ଲାଗିବ । ଆଧାର ସହ ରେସିଡେଣ୍ଟ ସାର୍ଟିଫିକେଟର ସିଧାସଳଖ ଲିଙ୍କ୍ ରହିବ ।  ଆବଶ୍ୟକସ୍ଥଳେ ଆଧାରରେ ଥିବା ଠିକଣା ରିନ୍ୟୁ ହୋଇ ପାରିବ । ରାଜସ୍ବ ବିଭାଗରେ ଏହି ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଇଛି । ସେପଟେ ଲୋକଙ୍କ ସୁବିଧା ପାଇଁ ନୂଆ ରାଜସ୍ବ ଆପର ମଧ୍ୟ ବ୍ୟବସ୍ଥା କରାଯାଉଛି । ଯେଉଁଥିରେ ବିଭାଗର ୧୮ଟି ସେବା ଘରେ ବସି ପାଇ ପାରିବେ । ଏହାସହ ସରକାରଙ୍କ ଏହି ନୂଆ ବ୍ୟବସ୍ଥା ଖୁବଶୀଘ୍ର ଘୋଷଣା ହେବା ନେଇ ସଙ୍କେତ ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ।  

ପ୍ରାୟ ସମସ୍ତଙ୍କର ଜାତି ପ୍ରମାଣ ପତ୍ର ଓ ରେସିଡେଣ୍ଟ୍‌ ସାର୍ଟିଫେକେଟର ଆବଶ୍ୟକ ପଡ଼ିଥାଏ । ସେହିପରି ଜାତିଗତ ପ୍ରମାଣ ପତ୍ର ଆବଶ୍ୟକ ହୋଇଥାଏ । ଅନେକ ସମୟରେ ସାର୍ଟିଫିକେଟ ଖଣ୍ଡିଏ ଆଣିବା ପାଇଁ ବାରମ୍ବାର ତହସିଲ ଅଫିସକୁ ଦୌଡ଼ିବାକୁ ପଡ଼ିଥାଏ । ତେଣୁ ସରକାର ଏହି ନିୟମ ଲାଗୁ କଲେ ସମସ୍ତେ ଉପକୃତ ହେବେ ବୋଲି କୁହାଯାଉଛି ।