kedarnath Photograph: (kanak news)
କନକ ବ୍ୟୁରୋ : କେଦାରନାଥ ଧାମରେ ଏବେ ଦର୍ଶନ ସମୟରେ ମୋବାଇଲ୍ ଫୋନ୍ ଏବଂ କ୍ୟାମେରା ବ୍ୟବହାର ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯିବାକୁ ଯାଉଛି । ମନ୍ଦିର ପରିସରରେ ଫଟୋ, ଭିଡିଓ କିମ୍ବା ସୋସିଆଲ ମିଡିଆ ରିଲ୍ସ ବନାଇବା ଘଟଣାରେ କ୍ରମାଗତ ବୃଦ୍ଧିକୁ ଦେଖି ବଦ୍ରି-କେଦାର ମନ୍ଦିର କମିଟି ଏବଂ ରୁଦ୍ରପ୍ରୟାଗ ଜିଲ୍ଲା ପ୍ରଶାସନ ମିଳିତ ଭାବେ ଏକ କଡ଼ା କାର୍ଯ୍ୟଯୋଜନା ପ୍ରସ୍ତୁତ କରୁଛନ୍ତି । ନୂଆ ବ୍ୟବସ୍ଥା ଲାଗୁ ହେବା ପରେ କୌଣସି ଶ୍ରଦ୍ଧାଳୁଙ୍କୁ ମନ୍ଦିର ଭିତରେ ମୋବାଇଲ୍ ବ୍ୟବହାର କରିବାକୁ ଅନୁମତି ମିଳିବ ନାହିଁ ଏବଂ ନିୟମ ଉଲ୍ଲଂଘନ କଲେ ଭାରି ଜରିମାନା ଆଦାୟ କରାଯିବ ।
ପ୍ରତିବର୍ଷ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ବାବା କେଦାରଙ୍କ ଦର୍ଶନ ପାଇଁ ଧାମକୁ ଆସିଥାନ୍ତି । କିନ୍ତୁ ବିଗତ କିଛି ବର୍ଷ ମଧ୍ୟରେ ମନ୍ଦିର ପରିସର ଭିତରେ ମୋବାଇଲ୍ ବ୍ୟବହାର କରିବା, ଫଟୋ ଉଠାଇବା ଏବଂ ରିଲ୍ସ ବନାଇବା ଘଟଣା ବହୁତ ବଢ଼ିଯାଇଛି । ଏହାଦ୍ୱାରା ମନ୍ଦିରର ପରମ୍ପରା ଓ ମର୍ଯ୍ୟାଦା ପ୍ରଭାବିତ ହେବା ସହ ଦର୍ଶନ ପାଇଁ ଲାଇନରେ ଠିଆ ହୋଇଥିବା ଅନ୍ୟ ଶ୍ରଦ୍ଧାଳୁମାନଙ୍କୁ ମଧ୍ୟ ଅସୁବିଧା ହେଉଛି । ଅନେକ ସମୟରେ ଏହା ଭିଡ଼ ନିୟନ୍ତ୍ରଣ ଏବଂ ସୁରକ୍ଷା ବ୍ୟବସ୍ଥାରେ ମଧ୍ୟ ବାଧା ସୃଷ୍ଟି କରୁଛି ।
ଅଧିକ ପଢ଼ନ୍ତୁ---ଧସିଲା କୋଲଟାନ୍ ଖଣି : ୨୦୦ରୁ ଅଧିକ ମୃତ
ଏହି କାରଣରୁ ପ୍ରଶାସନ ଏଥର କଡ଼ାକଡ଼ି ଭାବେ ମୋବାଇଲ୍ ବ୍ୟାନ୍ ଲାଗୁ କରିବାକୁ ପ୍ରସ୍ତୁତ ହେଉଛି । ରୁଦ୍ରପ୍ରୟାଗ ଜିଲ୍ଲାପାଳ ପ୍ରତୀକ ଜୈନଙ୍କ ଅନୁସାରେ, "ମନ୍ଦିର କମିଟି ସହିତ ମିଶି ଏକ ଠୋସ୍ ଯୋଜନା ପ୍ରସ୍ତୁତ କରାଯାଉଛି । ମନ୍ଦିର ପରିସରରେ ମୋବାଇଲ୍ ବ୍ୟବହାର ଅନ୍ୟ ଶ୍ରଦ୍ଧାଳୁଙ୍କୁ ଅସୁବିଧାରେ ପକାଉଛି । ଏଥର କିନ୍ତୁ ନିୟମକୁ କଡ଼ାକଡ଼ି ପାଳନ କରାଯିବ ଏବଂ ନିୟମ ଭାଙ୍ଗୁଥିବା ଲୋକଙ୍କ ଉପରେ ଜରିମାନା ଲଗାଯିବ।"
ଏହାପୂର୍ବରୁ ମଧ୍ୟ ମୋବାଇଲ୍ ଉପରେ କଟକଣା ଲଗାଯାଇଥିଲା, କିନ୍ତୁ ତାହା ସମ୍ପୂର୍ଣ୍ଣ ପ୍ରଭାବଶାଳୀ ହୋଇପାରି ନଥିଲା । ଅନେକ ଶ୍ରଦ୍ଧାଳୁ ନିୟମକୁ ଅଣଦେଖା କରି ମୋବାଇଲ୍ ଭିତରକୁ ନେଇ ଯାଉଥିଲେ । କିନ୍ତୁ ଏଥର ଯାତ୍ରା ଆରମ୍ଭ ହେବା ପୂର୍ବରୁ ପ୍ରଶାସନ ମନ୍ଦିରକୁ ପ୍ରବେଶ କରିବା ପୂର୍ବରୁ ମୋବାଇଲ୍ ଜମା ରଖିବା ପାଇଁ ସୁରକ୍ଷିତ ଲକର ବ୍ୟବସ୍ଥା କରିବାକୁ ଚିନ୍ତା କରୁଛି ।
Follow Us