କନକ ବ୍ୟୁରୋ :  ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ଏବେ ଆଉ ଗଂଜେଇ ନୁହେଁ ବରଂ ରାଜମା ଚାଷରେ ମନ ବଳାଇଛନ୍ତି ଚାଷୀ । ଅର୍ଥକାରୀ ଫସଲ ରାଜମା ଚାଷ କରି ସ୍ୱାବଲମ୍ବୀ ହେଉଛନ୍ତି ଚାଷୀକୁଳ । ପ୍ରାୟ ଅନ୍ୟସବୁ ସ୍ଥାନରେ ଏହାକୁ ରାଜମା କହୁଥିବା ବେଳେ ସ୍ଥାନୀୟ ଅଂଚଳର ଲୋକେ ଏହାକୁ ବୁଟାସିମ କୁହନ୍ତି । ଚିତ୍ରକୋଣ୍ଡା ବ୍ଲକର ବଡପୋଡ଼ା, ଯୋଡ଼ାଆମ୍ବ, ପଣସପୁଟ ଓ ପାପରମେଟଲା ପଞ୍ଚାୟତର ଲୁଚାପାନି ଭଳି ପାହାଡିଆ ଅଞ୍ଚଳରେ ରାଜମା ଚାଷ କରୁଛନ୍ତି ଚାଷୀ ।

Advertisment

ପୂର୍ବରୁ ଏହି ସବୁ ଅଞ୍ଚଳରେ ପ୍ରଚୁର ମାତ୍ରାରେ ଗଂଜେଇ ଚାଷ ହେଉଥିଲା । ହେଲେ ଏବେ ବେଆଇନ ଗଂଜେଇ ଚାଷ ଛାଡି ରାଜମା ଚାଷ କରୁଛନ୍ତି ଅଞ୍ଚଳବାସୀ । ଏକ ଏକର ଜମିରେ ଏହି ଚାଷ କଲେ ପ୍ରାୟ ଏକ କୁଇଣ୍ଟାଲ ପାଖାପାଖି ଅମଳ ହେଉଛି । ବଜାରରେ ଏହାର ମୂଲ୍ୟ ୧୫୦ ରୁ ୨୦୦ ଟଙ୍କା ଥିବାବେଳେ ଏହି ଅଞ୍ଚଳରେ ଦଲାଲ ମାନେ ୮୦ ରୁ ୯୦ ଟଙ୍କାରେ ଚାଷୀଙ୍କ ଠାରୁ କିଣି ନେଉଛନ୍ତି । ଯାହା ଫଳରେ ଠକାମିର ଶିକାର ହଉଛନ୍ତି ଅନେକ ଚାଷୀ । କୃଷି ବିଭାଗ ପକ୍ଷରୁ ଏହି ଚାଷୀ ପାଇଁ ପ୍ରୋତ୍ସାହନ ମିଳୁନଥିବା ଅଭିଯୋଗ ହୋଇଛି । 

ସ୍ୱାଭିମାନ ଅଞ୍ଚଳରେ ଏବେ ଧୀରେ ଧୀରେ କମିଲାଣି ଗଂଜେଇ ଚାଷ । ଅର୍ଥକାରୀ ଫସଲ ମୁହାଁ ହେଉଛନ୍ତି ଅଞ୍ଚଳବାସୀ । ଯଦି ସରକାର ଏବଂ କୃଷି ବିଭାଗ ଚାଷୀଙ୍କ ପାଇଁ ଆବଶ୍ୟକୀୟ ଭିତିଭୂମି ଯୋଗାଇଦିଅନ୍ତେ ଚାଷୀମାନେ ଆହୁରି ଉପକୃତ ହୋଇପାରନ୍ତେ ।