କନକ ବ୍ୟୁରୋ : ଆନ୍ଧ୍ରପ୍ରଦେଶ ଭଳି ହ୍ୱାଟ୍ସଆପ୍ ଚାଟବଟ୍ କାର୍ଯ୍ୟକାରୀ କରିବାକୁ ଓଡ଼ିଶାରେ ଆରମ୍ଭ ହୋଇଛି ପ୍ରକ୍ରିୟା । ଏଥିରେ ଲୋକେ ଘରେ ବସି ସରକାରଙ୍କୁ ସମସ୍ୟା ଜଣାଇବେ । ଆଜି ସଚିବସ୍ତରୀୟ ବୈଠକରେ ୟୁନିଫାଏଡ୍ ହ୍ବାଟ୍ସଆପ୍ ବଟ୍କୁ କାର୍ଯ୍ୟକାରୀ କରିବାକୁ ଆଲୋଚନା ହୋଇଛି । ଏଆଇ ଦ୍ବାରା ସମ୍ପୂର୍ଣ୍ଣ ଭାବେ ଏହା ପରିଚାଳିତ ହେବ । ସ୍ବଚ୍ଛତାର ସହ ଦ୍ରୁତ ଗତିରେ ସମସ୍ୟା ସମାଧାନ ପାଇଁ ଏଭଳି ହାଇଟେକ୍ ବ୍ୟବସ୍ଥାକୁ ଆପଣାଇବାକୁ ଯାଉଛନ୍ତି ଓଡ଼ିଶା ସରକାର । ପୂର୍ବରୁ ୭ ମାର୍ଚ୍ଚ ୨୦୨୫ରେ ମେଟା ସହ ହ୍ବାଟ୍ସଆପ୍ ବଟ୍କୁ ନେଇ ଏମ୍ଓୟୁ କରିଥିଲେ ରାଜ୍ୟ ସରକାର ।
ଆନ୍ଧ୍ରପ୍ରଦେଶ ଶାସନତନ୍ତ୍ରରେ ହ୍ବାଟ୍ସଆପ୍ ଚାଟବଟକୁ ଆପଣାଇଛି । ସମସ୍ତଙ୍କ ସମସ୍ୟା ଶୁଣିବାକୁ ଜାରି ହୋଇଛି ଗୋଟିଏ ୟୁନିଫାଏଡ୍ ହ୍ବାଟ୍ସଆପ୍ ନମ୍ବର । ଯାହା ମାଧ୍ୟମରେ ଘରେ ବସି ଲୋକ ସରକାରଙ୍କୁ ଜଣାଉଛନ୍ତି ସମସ୍ୟା ଏବଂ ଏହାର ସମାଧାନ ମଧ୍ୟ କରୁଛନ୍ତି ସରକାର । ମୋହନ ସରକାରରେ ଆସିବ ‘ଆମ ଶାସନ’ । ଗାଁ ଗହଳିରୁ ଲୋକଙ୍କ ଫିଡବ୍ୟାକ୍ ନେବେ ଲୋକଙ୍କ ସରକାର । ଶାସନ ବ୍ୟବସ୍ଥାର ଉତ୍ତରଦାୟିତ୍ବକୁ ଆହୁରି ଜନତାଙ୍କ ପାଖରେ ପହଞ୍ଚାଇବା ପାଇଁ ନୂଆ ବ୍ୟବସ୍ଥା କାର୍ଯ୍ୟକାରୀ କରିବେ ସରକାର । ସୂଚନା ଅନୁସାରେ ଖୁବଶୀଘ୍ର ଆମ ଶାସନ ୱେବସାଇଟ୍ ଆଣିବାକୁ ଯାଉଛନ୍ତି ସରକାର । ହସ୍ପିଟାଲ ଠାରୁ ଆରମ୍ଭ କରି ଥାନା, ତହସିଲ, ବ୍ଲକ ଭଳି ସରକାରୀ ଅଫିସରେ କିଭଳି ସେବା ଯୋଗାଇ ଦିଆଯାଉଛି । କେଉଁଠି ସମସ୍ୟା ରହୁଛି ? ତାହାର ସିଧାସଳଖ ଫିଡବ୍ୟାକ୍ ‘ଆମ ଶାସନ’ ଜରିଆରେ ନେବେ ସରକାର ।
ମୋହନ ସରକାରକୁ ବର୍ଷେ ବିତିଲାଣି । ଆଗକୁ ଶାସନ ବ୍ୟବସ୍ଥାକୁ ଆହୁରି କ୍ରିୟାଶୀଳ କରିବାକୁ ଅନେକ ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରାଯାଇଛି ସଚିବ ସ୍ତରୀୟ ବୈଠକରେ । ସୂଚନା ଅନୁସାରେ, ବିଭାଗର ଖର୍ଚ୍ଚ ବୃଦ୍ଧି ,ନିଯୁକ୍ତି ପାଇଁ ପଦକ୍ଷେପ, ଭିଜନ୍ ଡକ୍ୟୁମେଣ୍ଟକୁ କାର୍ଯ୍ୟକାରୀ, ଜନଶୁଣାଣିକୁ ଗୁରୁତ୍ବ ଦେବା ଉପରେ ଫୋକସ୍ କରିଛନ୍ତି ମୁଖ୍ୟ ଶାସନ ସଚିବ। ସାଧାରଣ ଲୋକଙ୍କ ସହ ଆହୁରି ନିକଟତର ହେବା ସହ ଦୁର୍ନୀତିମୁକ୍ତ ଶାସନ ପାଇଁ ୱାର୍କ ପାସବୁକ୍ ବ୍ୟବସ୍ଥା ଲାଗୁ କରିବାକୁ ଯାଉଛନ୍ତି ସରକାର । ଗ୍ରାଉଣ୍ଡରେ କେତେ ଯୋଜନା କାର୍ଯ୍ୟକାରୀ ହେଉଛି, କଣ ବାକି ରହୁଛି, କେଉଁ ଯୋଜନା ପାଇଁ କେତେ ଅଟକଳ ରହିଛି ତାହାର ହିସାବ କିତାବ ରହିବ ୱାର୍କ ପାସବୁକରେ । ୩୧ ଅକ୍ଟୋବର ସୁଦ୍ଧା ଏହାକୁ କାର୍ଯ୍ୟକାରୀ କରିବା ଲକ୍ଷ୍ୟରେ ରହିଛନ୍ତି ସରକାର ।