କନକ ବ୍ୟୁରୋ: ସରକାରୀ ଟେବୁଲରୁ ଫାଇଲ ଘୁଞ୍ଚିବା ଆଉ ସମୟ ସାପେକ୍ଷ ହେବନି । ପର୍ଯ୍ୟାୟକ୍ରମେ ଜଣେ ପରେ ଜଣେ ବାବୁଙ୍କ ଟେବୁଲକୁ ଯିବନି ଫାଇଲ । ଗୁରୁତ୍ବ ଦୃଷ୍ଟିରୁ ଆବଶ୍ୟକୀୟ ଫାଇଲରେ ୩ଟି ସ୍ତରରେ ବାଜିବ ମୋହର । ଏନେଇ ସବୁଜ ସଂକେତ ଦେଇଛନ୍ତି ସରକାର ।
ନାଲିଫିତା ତଳେ ଚାପି ହୋଇ ରହିବନି ବିକାଶମୂଳକ କାମ । ସରକାରୀ କାମରେ ଆଉ ହେବନି ସମୟ ଅପଚୟ । ଡବଲ ଇଞ୍ଜିନ ସରକାରରେ ବିକାଶର ବେଗ ଦୁଇଗୁଣା ହେବ । କିନ୍ତୁ ଏଥିରେ ଢାଞ୍ଚାଗତ ପୁରୁଣା ସରକାରୀ ବ୍ୟବସ୍ଥା ସାଜିବନି ବାଧକ । କାରଣ ସରକାରୀ ବ୍ୟବସ୍ଥାର ଡିଲେୟରିଂ କରିବାକୁ ନିଆଯାଇଛି ନିଷ୍ପତ୍ତି । ଏହାଦ୍ବାରା ବିଭିନ୍ନ ପ୍ରକଳ୍ପର ଫାଇଲରେ ରକେଟ ବେଗରେ ବାଜିବ ମୋହର । ପୂର୍ବରୁ ସରକାରୀ ଫାଇଲ ସହାୟକ ସେକ୍ସନ ଅଫିସରଙ୍କ ଠାରୁ ସଚିବଙ୍କ ନିକଟରେ ପହଞ୍ଚିବାକୁ ପ୍ରାୟ ୬ରୁ ୭ଟି ସ୍ତର ଦେଇ ଯିବାକୁ ପଡୁଥିଲା । ଡିଲେୟରିଂ ବ୍ୟବସ୍ଥା ଦ୍ବାରା ଏହାକୁ ୩ଟି ସ୍ତରକୁ କମାଇବାକୁ ନିଷ୍ପତ୍ତି ହୋଇଛି ।
- ASO/SOରୁ ସଚିବଙ୍କ ପାଖକୁ ଫାଇଲ୍ ସ୍ଥାନାନ୍ତର ୩ଟି ସ୍ତରରେ ସରିବ
- ପୂର୍ବରୁ ASOଙ୍କ ଠାରୁ SO, ଡେସ୍କ ଅଫିସର, ଅଣ୍ଡର ସେକ୍ରେଟାରି, ଡେପୁଟି ସେକ୍ରେଟାରି, ଅତିରିକ୍ତ ସେକ୍ରେଟାରି ଓ ଶେଷରେ ସଚିବଙ୍କ ପାଖରେ ଫାଇଲ୍ ପହଞ୍ଚୁଥିଲା
- ପୂର୍ବରୁ ଗୁରୁତ୍ବପୂର୍ଣ୍ଣ ଫାଇଲ୍ରେ ସଚିବଙ୍କ ମୋହର ବାଜିବାକୁ ପ୍ରାୟ ସପ୍ତାହେ ସମୟ ଲାଗୁଥିଲା
- ମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀଙ୍କ ପାଖରେ ଫାଇଲ୍ ପହଞ୍ଚିବାକୁ ଆଉ ୬ଟି ସ୍ତର ଅତିକ୍ରମ କରିବାକୁ ପଡ଼େ
ସରକାରୀ ଅଫିସରେ ବିଭିନ୍ନ ପ୍ରକଳ୍ପର ଫାଇଲ ମାସ ମାସ ଧରି ଅଟକୁ ଥିବାରୁ ଅନେକ ବିକାଶମୂଳକ କାମ ଠପ ହୋଇଥିବାର ଅଭିଯୋଗ ପୂର୍ବରୁ ଆସିଛି । ତେଣୁ ଡେଲିୟରିଂ ବ୍ୟବସ୍ଥାକୁ ଆପଣାଇବାକୁ ସବୁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଯାହାଦ୍ବାରା ସରକାରୀ କାର୍ଯ୍ୟ ଓ ବିକାଶ ପ୍ରକ୍ରିୟା ତ୍ବରାନିତ୍ବ ହେବ ।
ଗତ ଆର୍ଥିକ ବର୍ଷରେ ଆବଣ୍ଟିତ ବଜେଟ ଅର୍ଥ ଖର୍ଚ୍ଚ କରିବାରେ ବିଫଳ ହୋଇଥିଲା କିଛି ବିଭାଗ । ବିଭିନ୍ନ ପ୍ରକଳ୍ପର ଫାଇଲ ବିଭାଗସ୍ତରରେ ଅଟକି ରହିବାରୁ ଖର୍ଚ୍ଚ ହୋଇପାରିନଥିଲା ଅର୍ଥ । ଏଥିପାଇଁ ସରକାରଙ୍କୁ ଘେରିଥିଲେ ବିରୋଧୀ । ତେବେ ଚଳିତ ଆର୍ଥିକ ବର୍ଷରେ ସେଭଳି ସ୍ଥିତି ଯେପରି ସୃଷ୍ଟି ନହୁଏ ସେଥିପାଇଁ ଆଗୁଆ ସତର୍କ ହୋଇଛନ୍ତି ସରକାର ।