କନକ ବ୍ୟୁରୋ : ପୁଲିସ କହିଲେ ଖାକି ପିନ୍ଧିଥିବା ଜଣେ ମଣିଷ । ହେଲେ ଦେଶର ଏମିତି ଅନେକ ରାଜ୍ୟ ରହିଛି, ଯେଉଁଠି ପୁଲିସ ପୋଷାକ ଭିନ୍ନ ଭିନ୍ନ । ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ଢାଞାରେ ଏବେ ପୁଲିସ ପୋଷାକରେ ବି ସମାନତା ଆଣିବାକୁ ଚାହୁଁଛନ୍ତି କେନ୍ଦ୍ର ସରକାର ।  ଅଣ୍ଟା ଭିଡ଼ିଛନ୍ତି ୱାନ୍ ନେସନ୍ ୱାନ୍ ପୁଲିସ୍ ୟୁନିଫର୍ମ ପଲିସି ଲାଗୁ କରିବେ ।

Advertisment

ୱାନ୍ ନେସନ ୱାନ୍ ଇଲେକ୍ସନ, ୱାନ୍ ନେସନ ୱାନ୍ ରାସନ ପରେ ଏବେ ୱାନ୍ ନେସନ୍ ୱାନ୍ ପୁଲିସ ୟୁନିଫର୍ମ ପଲିସି ଆପଣାଇବାକୁ ଯାଉଛନ୍ତି କେନ୍ଦ୍ର ସରକାର । ୧୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖି କିଛି ନିର୍ଦ୍ଦିଷ୍ଟ ତଥ୍ୟ ମାଗିଛି କେନ୍ଦ୍ର । ଯେଉଁଥିରେ ପୁଲିସ କନେଷ୍ଟବଳଙ୍କ ଠାରୁ ଡିଏସପି ରାଙ୍କର ଅଧିକାରୀଙ୍କ ପୋଷାକ ବାବଦ ବାର୍ଷିକ ଭତ୍ତା, ଗୋଟିଏ ଯୋଡା ପୋଷାକର ଆନୁମାନିକ ମୂଲ୍ୟ ଉଲ୍ଲେଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ନଭେମ୍ବର ୪ ତାରିଖ ସୁଦ୍ଧା ସବିଶେଷ ତଥ୍ୟ ଦାଖଲ ଦେବାକୁ ହେବ। ୩ ବର୍ଷ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏ କଥା କହିଥିଲେ। ଏବେ ଅଣ୍ଟା ଭିଡ଼ିଲେ । 

ଦେଶରେ ଅଧିକାଂଶ ରାଜ୍ୟର ପୁଲିସ ଖାକି ବର୍ଦ୍ଦି ପିନ୍ଧୁଛନ୍ତି । କିଛି ରାଜ୍ୟର ପୁଲିସ ପୋଷାକ ଅଲଗା। କୋଲକାତା ପୁଲିସ ଇଂରେଜ ଶାସନ ସମୟରୁ ଧଳା ରଙ୍ଗର ବର୍ଦ୍ଦି ପିନ୍ଧି ଆସୁଛନ୍ତି । ୱାନ୍ ନେସନ୍ ୱାନ୍ ପୁଲିସ ୟୁନିଫର୍ମ ପଲିସି  ଆସିଲେ ପୁଲିସ ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ଦେଖିବାକୁ ମିଳିପାରେ । ବର୍ଦ୍ଦିର କ୍ବାଲିଟି ପୂର୍ବପେକ୍ଷା ଭଲ ରହି ବ। ଏହାସହ ଖାକି ବର୍ଦ୍ଦି ପାଇଁ ହେଉଥିବା ଖର୍ଚ୍ଚର ପରିମାଣ ମଧ୍ୟ କମିପାରେ। ଅନ୍ୟପଟେ ପୂର୍ବତନ ପୋଲିସ ଅଧିକାରୀ କହିଛନ୍ତି, ଖାକି ବର୍ଦ୍ଦି କେବଳ ପୁଲିସ ପାଇଁ ଉତ୍ସର୍ଗୀକୃତ ହେଉ। ଆଉ କେହି କହୁଛନ୍ତି, ଏହା କେବଳ ଏକ ସ୍ଲୋଗାନ୍‌ । ରାଜ୍ୟ ପୁଲିସ ମୁଖ୍ୟାଳୟ ଏବେ ଖୁବଶୀଘ୍ର ପୁଲିସ ପୋଷାକ ଖର୍ଚ୍ଚ ହିସାବ କେନ୍ଦ୍ର ସରକାରଙ୍କୁ ଧରାଇବ। ତେବେ ଏହା କେବେ ଲାଗୁ ହେବ, ସେ ତାରିଖ ବି କହିନାହାନ୍ତି କେନ୍ଦ୍ର ସରକାର ।