କନକ ବ୍ୟୁରୋ :ଲାଲକିଲ୍ଲାରୁ ମୋଦୀଙ୍କ ଗର୍ଜନ । ସ୍ବାଧୀନତା ଦିବସରେ ପାକିସ୍ତାନକୁ ଚେତାବନୀ ଦେଲେ ମୋଦୀ । ଗତକାଲି ଦେଶ ପାଳିଛି ୭୯ତମ ସ୍ବାଧୀନତା ଦିବସ । ଦିଲ୍ଲୀରୁ ପଲ୍ଲୀ ସବୁଠି ଦେଖିବାକୁ ମିଳିଥିଲା ଉତ୍ସାହର ମାହୋଲ। ଏହାରି ଭିତରେ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଲଗାତାର ୧୨ଥର ପାଇଁ ସ୍ୱାଧୀନତା ଦିବସରେ ପତାକା ଉତ୍ତୋଳନ କରିବା ସହ ରାଷ୍ଟ୍ର ଉଦେଶ୍ୟରେ ଅଭିଭାଷଣ ରଖିଥିଲେ । ଅଭିଭାଷଣରେ ଅପରେସନ୍ ସିନ୍ଦୂରର କଥା ଉଠାଇ ଭାରତୀୟ ସେନାଙ୍କ ପ୍ରଶଂସା କରିବା ସହ ମଞ୍ଚରୁ ପାକିସ୍ତାନ ଉପରେ ବର୍ଷିଥିଲେ ପ୍ରଧାନମନ୍ତ୍ରୀ ମୋଦୀ ।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, "ଆଜି, ମୁଁ ଲାଲକିଲ୍ଲାରୁ ଅପରେସନ ସିନ୍ଦୂରର ସାହସୀ ସୈନିକମାନଙ୍କୁ ସଲାମ କରିବାର ସୁଯୋଗ ପାଇଛି । ଆମର ସାହସୀ ସୈନିକମାନେ ଶତ୍ରୁମାନଙ୍କୁ ସେମାନଙ୍କ କଳ୍ପନା ବାହାରେ ଦଣ୍ଡ ଦେଇଛନ୍ତି ।" ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, "ଭାରତ ନିଷ୍ପତ୍ତି ନେଇଛି, ଆମେ ଆଉ ପରମାଣୁ ଧମକକୁ ସହ୍ୟ କରିବୁ ନାହିଁ । ଆମେ ଆଉ ବ୍ଲାକମେଲିଂକୁ ସହ୍ୟ କରିବୁ ନାହିଁ ।" ଉଚିତ୍ ସମୟରେ ଉଚିତ୍ ଜବାବ ଦେବୁ ।
ଶତ୍ରୁ ରାଷ୍ଟ୍ର ପାକିସ୍ତାନ ଭାରତକୁ ସବୁବେଳେ ପରମାଣୁ ଧମକ ଦେଇଆସିଛି । ଯେତେବେଳେ ବି ଯୁଦ୍ଧ ପରିସ୍ଥିତି ଉପୁଜେ କିମ୍ବା କୌଣସି ଅତଙ୍କବାଦୀ ନିହତ ହୁଏ, ସେତେବେଳେ ବିଳିବିଳେଇ ଉଠେ ପାକିସ୍ତାନ୍ । ଆଉ ଭାରତକୁ ପରମାଣୁ ଆକ୍ରମଣର ଧମକ ଦିଏ । ପୁଲୱାମା ଆଟାକ୍ ପରେ ଯେତେବେଳେ ଭାରତ ପାକିସ୍ତାନ ଉପରେ ଏୟାରଷ୍ଟ୍ରାଇକ୍ କରି ପ୍ରତିଶୋଧ ନେଇଥିଲା ସେତେବେଳେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଥିଲେ ଇମ୍ରାନ ଖାନ୍ । ଭାରତର ଏୟାରଷ୍ଟ୍ରାଇକ୍ ପରେ ବିଳିବିଳେଇ ଉଠିଥିଲେ ଇମ୍ରାନ୍ ଆଉ ଭାରତକୁ ପରମାଣୁ ଆକ୍ରମଣର ଧମକ ବି ଦେଇଥିଲେ । ଠିକ୍ ସେହିପରି ଏବେ ଅପରେସନ୍ ସିନ୍ଦୂର ପରେ ରକ୍ତ ଚାଉଳ ଚୋବଉଛି ପାକିସ୍ତାନ୍ । ଭାରତକୁ ଦେଇଚାଲିଛି ପରମାଣୁ ଆଟାକ୍ର ଧମକ । ପାକ୍ ଫିଲ୍ଡ ମାର୍ସଲ ଆସିଫ୍ ମୁନିର୍ ଆମେରିକା ଗସ୍ତରେ ଯାଇଥିବାବେଳେ ଆମେରିକା ମାଟିରୁ ହିଁ ଭାରତକୁ ପରମାଣୁ ଆକ୍ରମଣର ଧମକ ଦେଇଛନ୍ତି । ସେ କହିଛନ୍ତି, ଯଦି ଆମେ ଡୁବିବୁ ଅଧା ବିଶ୍ବକୁ ନେଇ ଡୁବିବୁ । ଯେତେବେଳେ ଲାଗିଗ ପାକିସ୍ତାନର ଅସ୍ତିତ୍ବ ବିପଦରେ ଅଛି ସେତେବେଳେ ଆମେ ପରମାଣୁ ଆକ୍ରମଣକୁ ଶେଷ ଉପାୟ ବୋଲି ଭାବିବୁ । ଏପରି କହି ଆସିଫ୍ ମୁନିର୍ ଭାରତକୁ ଟାର୍ଗେଟ୍ କରିଥିବାବେଳେ ଆଜି ଏହାର କଡ଼ା ଜବାବ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଆଉ ପାକିସ୍ତାନର ଫମ୍ପା ପରମାଣୁ ଧମକକୁ ଭାରତ ସହ୍ୟ କରିବ ନାହିଁ ବୋଲି ମୋଦୀ କହିଛନ୍ତି । ଦରକାର ପଡ଼ିଲେ ଉଚିତ୍ ଜବାବ ଦିଆଯିବ ବୋଲି କଡ଼ା ଚେତାବନୀ ମଧ୍ୟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ...
ସେପଟେ ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, "ଅପରେସନ୍ ସିନ୍ଦୂରରେ ଦେଶବାସୀ ଆତ୍ମନିର୍ଭରଶୀଳତା ଏବଂ ଭାରତରେ ନିର୍ମିତ ଅସ୍ତ୍ରର ଶକ୍ତି ଦେଖିଛନ୍ତି, ଆମ ପାଖରେ ଯେଉଁ ଅସ୍ତ୍ର ଅଛି, ତାହା ଗୋଟିଏ ମୁହୂର୍ତ୍ତରେ ଶତ୍ରୁକୁ ଧ୍ୱଂସ କରିଦେଇଛି । ଯଦି ଆମେ ଆତ୍ମନିର୍ଭରଶୀଳ ନଥାଆନ୍ତୁ, ତେବେ ଆମେ ଚିନ୍ତିତ ହୋଇଥାଆନ୍ତୁ ଯେ ଅନ୍ୟ ଦେଶ ଆମକୁ ସାହାଯ୍ୟର ହାତ ବଢ଼ାଇବେ କି ନାହିଁ, କିନ୍ତୁ ଏହା ଆମର ଆତ୍ମନିର୍ଭରଶୀଳତା ଥିଲା ଯେ, ଆମେ ଆମର ନିଜସ୍ୱ କ୍ଷମତା ବଳରେ ଏହି ଅଭିଯାନ କରିଥିଲୁ । ଆଉ ଏହାର ଫଳାଫଳ ସାରା ବିଶ୍ବ ଦେଖିଛି ।" ପାକିସ୍ତାନ ମାଟିରେ ପଶି ଶତ୍ରୁ ଉପରେ କଡ଼ା ପ୍ରହାର କରିଥିଲା ଭାରତ । ଯାହାର ଏବେ ଗୋଟିଏ ପରେ ଗୋଟିଏ ଖୁଲାସା ହେଉଛି, ନୂଆ ସୂଚନା ବାହାରକୁ ଆସୁଛି ।