କନକ ବ୍ୟୁରୋ: ବିରାଟ ବଡ଼ ସହର । ମହାନଗର ନିଗମ ମାନ୍ୟତା ବି ମିଳିଛି । ହେଲେ କ୍ରୀଡ଼ାବିତ୍ଙ୍କ କଥା ବୁଝିବାକୁ ଯେମିତି କେହି ନାହିଁ । ନା ଅଛି ଭଲ ପଡ଼ିଆ, ନା ଖେଳ ସାମଗ୍ରୀ । ବ୍ରହ୍ମପୁର ଭଳି ସହରରେ ଏମିତି ଘଟଣା ସମସ୍ତେ ଦେଖୁଥିଲେ ବି ଯେମିତି କାହାର ନଜର ପଡୁନି ।
ବ୍ରହ୍ମପୁର ସହରର ଯୁବପିଢ଼ି ଏବେ ଏହି ଚିନ୍ତାରେ । ଖେଳ ପ୍ରତି ଆକୃଷ୍ଟ ହେଲା ବେଳକୁ ଭଲ ପଡ଼ିଆଟେ ନାହିଁ । ଏପରିକି ଖେଳ ଉପକରଣ ବି ନାହିଁ। ମେଡିକାଲ ଗ୍ରାଉଣ୍ଡ ଆଉ ଖଲ୍ଲିକୋଟ କଲେଜ ପଡ଼ିଆ ଏହି ଦୁଇଟି ଯାକ ଗ୍ରାଉଣ୍ଡ ଉପରେ ନିର୍ଭରଶୀଳ ବ୍ରହ୍ମପୁର ସହରବାସୀ । ବ୍ରହ୍ମପୁର ମେଡିକାଲ ଗ୍ରାଉଣ୍ଡରେ ସକାଳ ହେଲେ ଅନେକଙ୍କ ଭିଡ଼ ଜମେ । କିଏ କ୍ରିକେଟ୍ ଖେଳିବାକୁ ତ କିଏ ଦୌଡ଼ିବାକୁ ଆସନ୍ତି । ଆଉ କିଏ ବ୍ୟାୟାମ ଲାଗି ଧାଇଁ ଆସନ୍ତି ଏ ପଡ଼ିଆକୁ । ଖଲ୍ଲିକୋଟ କଲେଜ ପଡ଼ିଆ, ଏଠି ବି ସକାଳେ ସଂଜେ କିଛି କ୍ରୀଡ଼ାବିତଙ୍କ ଗହଳି ଜମେ । ମେଡିକାଲ ଓ କଲେଜ ପଡିଆ ଅନୁଷ୍ଠାନ ଅଧୀନରେ ଥିବାରୁ କେତେବେଳେ ଯଦି ଗେଟରେ ତାଲା ପଡ଼ିଲା ତେବେ କଥା ଶେଷ । ତେଣେ ଏ ଦୁଇଟି ପଡିଆକୁ ଛାଡ଼ିଦେଲେ ସହରରେ ଖେଳିବାକୁ ଖୋଲା ପଡିଆ ନାହିଁ। ଯାହାକୁ ନେଇ ଅସନ୍ତୋଷ ଝାଡ଼ିଛନ୍ତି କ୍ରୀଡ଼ାବିତ।
ସେପଟେ ଏ ସମସ୍ୟାର ସମାଧାନ କାଢ଼ିଛନ୍ତି ବ୍ରହ୍ମପୁର ମହାନଗର ନିଗମ କମିସନର । ସହରର ଆମ୍ବପୁଆ ଠାରେ ବିରାଟ ପଡ଼ିଆ ନିର୍ମାଣ ଲାଗି ସେ ଯୋଜନା କରିଛନ୍ତି । ଯେଉଁଠି କଂକ୍ରିଟ ନୁହେଁ ବରଂ ମାଟିରେ ଖେଳିହେବ । ସହରରେ ଗାଁ ପଡ଼ିଆର ରୋମାଞ୍ଚକର ଅନୁଭବ ପାଇବେ ଖେଳାଳି । ଏଥିପାଇଁ ଜମି ଚିହ୍ନଟ ହୋଇଥିଲା ବେଳେ ଖୁବଶୀଘ୍ର କାମ ଆରମ୍ଭ ହେବାକୁ ଯାଉଛି ।
ପ୍ରୋତ୍ସାହନ ମିଳିଲେ ନୂଆ କ୍ରୀଡ଼ାବିତ ବାହାରିବା ସମ୍ଭବ । ଷ୍ଟାଡିଅମରେ ଖେଳିବା ଲାଗି ସମସ୍ତଙ୍କୁ ଅନୁମତି ନଥିବାରୁ ଆମ୍ବପୁଆ ପଡ଼ିଆ କ୍ରୀଡ଼ାବିତଙ୍କ ନୂଆ ଠିକଣା ହୋଇପାରିବ ।