କନକ ବ୍ୟୁରୋ: ଖରିଫ ଚାଷ ଆରମ୍ଭରୁ ଚାଷୀଙ୍କୁ ଅଡୁଆ କଲାଣି ସାର । ସମ୍ୱଲପୁର, ବରଗଡ଼, ଝାରସୁଗୁଡ଼ା, ନବରଙ୍ଗପୁରରେ ୟୁରିଆ, ଡିଏପି ଓ ଗ୍ରୋମର ସାରର କଳାବଜାରୀ, ଚାଷୀଙ୍କ ବୁଦ୍ଧିବଣା କରିଦେଉଛି । ସୋସାଇଟିକୁ ଆସୁଥିବା ସାର ନିଅଣ୍ଟ ପଡୁଥିବାରୁ ସାର ଦୋକାନୀ କଳାବେପାର ଆରମ୍ଭ କରି ଦେଇଛନ୍ତି । ୟୁରିଆ ସାର ବସ୍ତା ୨୬୬ ଟଙ୍କା କିନ୍ତୁ ବିକ୍ରି ହେଉଛି ୩୫୦ରୁ ୪୦୦ ଟଙ୍କାରେ । ସେହିପରି ଡିଏପି ସାର ବସ୍ତାପ୍ରତି ଦର ୧୩୫୦ ଟଙ୍କା କିନ୍ତୁ ଡିଏପି ବସ୍ତା ୧୫୦୦ ଟଙ୍କାରେ ବିକ୍ରି ହେଉଛି । ଗ୍ରୋମରର ଦାମ୍ ୧୭୦୦ ଟଙ୍କା, କିନ୍ତୁ ବିକ୍ରି ହେଉଛି ୧୮୦୦ରୁ ୧୮୫୦ ଟଙ୍କାରେ । ଏପରିକି ସାର ସହ ଭିଟାମିନ୍ ଓ ଔଷଧ ନେବାକୁ ବାଧ୍ୟ କରୁଥିବା ଚାଷୀ ଅଭିଯୋଗ ଆଣିଛନ୍ତି । ସାର କଳାବଜାରୀ ଅଭିଯୋଗରେ ଜିଲ୍ଲା କୃଷି କାର୍ଯ୍ୟାଳୟ ଘେରିଛନ୍ତି ସମ୍ବଲପୁରର ଚାଷୀ ।
- ସୋସାଇଟିରେ ସାର ନାହିଁ
- ଶୋଷଣର ଶିକାର ଚାଷୀ
ସେପଟେ ଝାରସୁଗୁଡ଼ା ଓ ନବରଙ୍ଗପୁରରୁ ମଧ୍ୟ ସମାନ ଅଭିଯୋଗ । ୟୁରିଆ, ଡିଏପି, ଗ୍ରୋମର ସାର ମିଳୁନଥିବାରୁ ଘାଣ୍ଟି ହେଉଛନ୍ତି ଝାରସୁଗୁଡ଼ାର ଚାଷୀ । ସୋସାଇଟିକୁ ଗଲେ କହୁଛନ୍ତି ସାର ନାହିଁ । ବଜାରରେ ଲୁଚା ଛପାରେ ସାର ବିକ୍ରି କରୁଥିବା ବ୍ୟବସାୟୀ ଚଢ଼ା ଦରରେ ବିକ୍ରି କରୁଛନ୍ତି । ଚାଷୀ ବାଧ୍ୟ ହୋଇ କଳାବଜାରରୁ ଚଢ଼ା ଦାମରେ ସାର କିଣୁଛନ୍ତି । ଏନେଇ ଚାଷୀ ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରିବା ପରେ କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ମିଳିଛି । କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ସାର ଅଭାବ କଥାକୁ ଖଣ୍ଡନ କରିଛନ୍ତି । କହିଛନ୍ତି, ଚାଷ ପାଇଁ ସାରର ଅଭାବ ନାହିଁ । ଯେଉଁ ଜିଲ୍ଲାରେ ସାର ଅଭାବ ନେଇ ଅଭିଯୋଗ ଆସୁଛି ସେ ଜିଲ୍ଲାର ଅଧିକାରୀଙ୍କ ସହ ଆଲୋଚନା କରିବେ ।
ଅନ୍ୟପଟେ ସାର କଳାବଜାରୀ, ନକଲି ଓ ନିମ୍ନମାନର ସାର ବିକ୍ରି ରୋକିବା ସହ ସଂପୃକ୍ତ ବ୍ୟବସାୟୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି ।