କନକ ବ୍ୟୁରୋ: କର୍ଣ୍ଣାଟକ ରାଜନୀତିରେ କଂଗ୍ରେସର ଦୁଇ ମୁଖ୍ୟ ନେତା ତଥା ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଓ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ସ୍ପଷ୍ଟ ମନା କରୁଥିଲେ ମଧ୍ୟ ନେତୃତ୍ବ ପରିବର୍ତ୍ତନ ନେଇ ସସପେନ୍ସ ଜାରି ରହିଛି । ଏ ସମ୍ପର୍କରେ ବର୍ତ୍ତମାନ ପାଇଁ କୌଣସି ନିଷ୍ପତ୍ତି ନେବାକୁ ସମ୍ଭବତଃ କଂଗ୍ରେସ ହାଇକମାଣ୍ଡ ରାହୁଲ ଗାନ୍ଧୀ ଚାହୁନାହାଁନ୍ତି ।
କର୍ଣ୍ଣାଟକ ନେତୃତ୍ବ ପରିବର୍ତ୍ତନ ସମ୍ପର୍କୀୟ ନିଷ୍ପତ୍ତି ଉପରେ ବତ୍ତର୍ମାନ ପାଇଁ କୌଣସି ପଦକ୍ଷେପ ନେବା ସପକ୍ଷରେ ନାହାଁନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ସେଥିପାଇଁ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଓ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଅଲଗା ଅଲଗା ସାକ୍ଷାତ ଆଲୋଚନା ପାଇଁ ସମୟ ମାଗିଥିଲେ ମଧ୍ୟ ରାହୁଲ ଏହି ଦୁଇଜଣଙ୍କୁ ଭେଟି ନାହାଁନ୍ତି । ଅନ୍ୟପକ୍ଷରେ ରାଜ୍ୟକୁ ଫେରି କଂଗ୍ରେସ ପ୍ରତିଶ୍ରୁତି ଉପରେ କାମ କରିବାକୁ ଦୁଇଜଣଙ୍କୁ କର୍ଣ୍ଣାଟକ ସାଧାରଣ ସମ୍ପାଦକ ରଣଦୀପ ସୁରଜେୱାଲାଙ୍କ ମାର୍ଫତ୍ରେ ନିର୍ଦ୍ଦେଶ ଦିଆଯାଇଛି ।
ନେତୃତ୍ବ ପରିବର୍ତ୍ତନ ହେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ବାରମ୍ବାର ସଫେଇ ଦେଉଛନ୍ତି । ଅନ୍ୟପକ୍ଷରେ ଉପମୁଖ୍ୟମନ୍ତ୍ରୀ ଡିକେ ଏ ସମ୍ପର୍କରେ ବାରମ୍ବାର କୌଣସି ମତାମତ ଦେବାକୁ ପଛାଉଛନ୍ତି । ମାତ୍ର ଦୁଇ ପ୍ରମୁଖ ନେତାଙ୍କ ଏଭଳି ମତ ସତ୍ତ୍ବେ ନେତୃତ୍ବ ପରିବର୍ତ୍ତନ ନେଇ ଦଳୀୟ ବିଧାୟକମାନେ ମତ ଦେବାକୁ ପଛାଉ ନାହାଁନ୍ତି । ଏଥିରେ ଡିକେଙ୍କୁ ସମର୍ଥନ କରୁଥିବା ବିଧାୟକ ମାନେ ଆଗରେ ଅଛନ୍ତି ।
ରାଜସ୍ଥାନ ଓ ଛତିଶଗଡ଼ରେ ରାଜ୍ୟ ନେତୃତ୍ବ ପରିବର୍ତ୍ତନ ନେଇ ସେତେବେଳେ ଭିନ୍ନ ଗୋଷ୍ଠୀ ନେତା ଯଥାକ୍ରମେ ସଚିନ ପାଇଲଟ୍, ଟିଏ ସିଂଦେଓ ବାରମ୍ବାର ଦାବି କରୁଥିଲେ । ମାତ୍ର ପ୍ରତିଶ୍ରୁତି ସତ୍ତ୍ବେ ସେତେବେଳେ ହାଇକମାଣ୍ଡ କୌଣସି ନିଷ୍ପତ୍ତି ନେବାକୁ ପଛାଇଥିଲେ । ଯାହାଫଳରେ ସରକାର ବିରୋଧୀ ହାୱା ନଥିବା ସତ୍ତ୍ବେ କଂଗ୍ରେସ ଏହି ଦୁଇ ରାଜ୍ୟକୁ ହରାଇଥିଲା । ଏବେ କର୍ଣ୍ଣାଟକରେ ମଧ୍ୟ ସମାନ ଅବ୍ୟବସ୍ଥା । ଦୁଇ ବିରୋଧୀ ସିଦ୍ଦରମୈୟା ଓ ଡିକେଙ୍କ ମଧ୍ୟରେ କୌଣସି ନିଷ୍ପତ୍ତି ନେବାକୁ ହାଇକମାଣ୍ଡ ପଛଘୁଞ୍ଚା ଦେଉଛନ୍ତି । ଯାହା ଏବେ ଶାସନ ପ୍ରକ୍ରିୟାକୁ ମଧ୍ୟ ପ୍ରଭାବିତ କଲାଣି । ଏହା ଆଗାମୀ ଦିନରେ ଦଳକୁ ମଧ୍ୟ ପ୍ରଭାବିତ କରିପାରେ ।