କନକ ବ୍ୟୁରୋ: କଡାସର୍ତ୍ତ ସହ ରାଜ୍ୟର ବାର୍ ଗୁଡିକରେ ସଙ୍ଗୀତ ପରିବେଷଣ ଓ ଅର୍କେଷ୍ଟ୍ରା ଖୋଲିବାକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ଏ ନେଇ ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରିବା ସହ ଅଗଷ୍ଟ ୩୧ ତାରିଖରେ ପୁରୁଣା ଆଦେଶରୁ ଓହରିଯାଇଛନ୍ତି ସରକାର । ଅବକାରୀ କମିଶନର ୨୧ଟି ସର୍ତ୍ତ ଆଧାରରେ ଏହାର ପରିଚାଳନା ପାଇଁ ଅନୁମତି ଦେଇପାରିବେ । ଆଜିଠୁ କାର୍ଯ୍ୟକ୍ଷମ ହୋଇଥିବା ଏହି ସଂଶୋଧିତ ନିୟମାବଳୀ ଅନୁସାରେ ଏଣିକି ରାଜ୍ୟର ମଦବାରଗୁଡ଼ିକରେ ମହିଳାମାନେ ଗୀତ ପରିବେଷଣ କରିପାରିବେ । ଏଥିପାଇଁ ଅନେକ ସର୍ତ୍ତ ରଖିଛନ୍ତି ରାଜ୍ୟ ସରକାର ।
ରାଜ୍ୟ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗତ ଅଗଷ୍ଟ ୨୩ତାରିଖରେ ଗଣମାଧ୍ୟମକୁ କହିଥିଲେ ନୂଆ ସରକାର ଖୁବଶୀଘ୍ର ଏକ ନୂଆ ଅବକାରୀ ନୀତି ଆଣିବାକୁ ଯାଉଛନ୍ତି ଯେଉଁଥିରେ ରାଜ୍ୟରେ ସମସ୍ତ ଡ୍ୟାନ୍ସବାର ଚଳାଚଳକୁ ସବୁଦିନ ପାଇଁ ବନ୍ଦ କରିଦିଆଯିବ । ମନ୍ତ୍ରୀଙ୍କ ପ୍ରତିଶ୍ରୁତି ଅନୁସାରେ ରାଜ୍ୟ ସରକାର ଅଗଷ୍ଟ ୩୧ତାରିଖରେ ଆର୍ଥିକ ବର୍ଷ ପାଇଁ ଅବକାରୀ ନୀତି ଆଣିଥିଲେ ଓ ସେଥିରେ ଡ୍ୟାନ୍ସବାର ଉପରେ ସମ୍ପୂର୍ଣ୍ଣ କଟକଣା ଜାରି କରାଯାଇଥିଲା । ମାତ୍ର ଆଜି ଏଥିରେ ସଂଶୋଧନ କରି ବାରରେ ଗୀତ ଓ ଅର୍କେଷ୍ଟ୍ରା ଚାଲିବ ବୋଲି ଅନୁମତି ଦେଇଛନ୍ତି ।
ଡ୍ୟାନ୍ସବାର ପାଇଁ କଣ ରହିଛି ସର୍ତ୍ତ?
- ୨୧ବର୍ଷ ବୟସରୁ ଊର୍ଦ୍ଧ୍ୱ ମହିଳା ମ୍ୟୁଜିକାଲ କାର୍ଯ୍ୟକ୍ରମ ଅବା ଅର୍କେଷ୍ଟ୍ରାରେ ସାମିଲ ହୋଇପାରିବେ
- ବାରରେ ସିସିଟିଭି କ୍ୟାମେରା ଲାଗିବ, ଯାହା ନୃତ୍ୟ ଓ ସଙ୍ଗୀତ ପ୍ରଦର୍ଶନ ହେଉଥିବା ଷ୍ଟେଜକୁ ଭଲଭାବେ ରେକର୍ଡିଂ କରିପାରୁଥିବ
- ଏହି କ୍ୟାମେରା ୨୪ଘଣ୍ଟା ଅନ୍ ରହିବ
- ସେଥିରେ କୌଣସି ପ୍ରକାରର ଟ୍ୟାମ୍ପରିଂ କରାଯିବ ନାହିଁ
- ସିସିଟିଭି ହାର୍ଡ ଡିସ୍କରେ ଅତିକମରେ ୩ ମାସର ରେକର୍ଡିଂ ଗଚ୍ଛିତ ରହିବାର ସୁବିଧା ଥିବ
- ସିସିଟିଭି ଫୁଟେଜର ରେକର୍ଡିଂକୁ ସ୍ଥାନୀୟ ପୁଲିସ୍ ଥାନା ଅଫିସର ଓ ଅବକାରୀ ଥାନା ଅଧିକାରୀଙ୍କ ନିକଟରେ ଉପଲବ୍ଧ କରାଇବେ
- ସିସିଟିଭି ଖରାପ ହେଲେ ବାରମାଲିକ ଅବକାରୀ ଅଧିକାରୀ ଓ ଥାନା ଅଧିକାରୀଙ୍କୁ ଜଣାଇବେ
- ସିସିଟିଭି ଠିକ୍ ନହେଲା ଯାଏଁ ନୃତ୍ୟଗୀତ କାର୍ଯ୍ୟକ୍ରମ ବନ୍ଦ ରହିବ
- ନୃତ୍ୟଗୀତ ପ୍ରଦର୍ଶନ କରୁଥିବା ମହିଳାଙ୍କ ରେକର୍ଡ ରଖିବା ପାଇଁ ଡ୍ୟାନ୍ସବାରଗୁଡ଼ିକୁ ରେଜିଷ୍ଟ୍ରାର ରଖିବାକୁ ପଡ଼ିବ
- ନୃତ୍ୟଗୀତ ପ୍ରଦର୍ଶନକାରୀଙ୍କ ଭୋଟର ପରିଚୟ ପତ୍ର ଅବା ଆଧାର କାର୍ଡ ଦେବାକୁ ପଡ଼ିବ
- ଆବେଦନକାରୀଙ୍କୁ ଏହି ନାମ ଓ ଠିକଣାଗୁଡ଼ିକର ସତ୍ୟତା ଯାଂଚ କରିବାକୁ ପଡ଼ିବ
- ପୋଷାକ ଶାଳୀନତା ଭିତରେ ରହିବା ଆବଶ୍ୟକ