କନକ ବ୍ୟୁରୋ: ବହୁଚର୍ଚ୍ଚିତ କିର୍ମିରା ପଞ୍ଚାୟତ ସମିତି ଅଧ୍ୟକ୍ଷା କୃଷ୍ଣପ୍ରିୟା ସାହୁଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପରେ ଭୋଟ ପଡିବାର ଥିଲା । ହେଲେ ସରପଞ୍ଚ, ସମିତି ସଭ୍ୟ ନଆସିବାରୁ ହୋଇପାରିଲାନି ଭୋଟିଂ । ଆଜି ଦିନ ସାଢେ ୧୦ଟାରେ ଭୋଟିଂ ହେବାର ଥିଲା । ଏଥିପାଇଁ ପଞ୍ଚାୟତ ସମିତି କାର୍ୟ୍ୟାଳୟ ସମ୍ମୁଖରେ ଅଧ୍ୟକ୍ଷତା କରିବାକୁ ଥିବା ପିଏ ଆଇଟିଡିଏ, ମାଜିଷ୍ଟ୍ରେଟ ଦାୟିତ୍ବରେ ଥିବା କିର୍ମିରା ତହସିଲଦାର ଏବଂ ପୁଲିସ ଉପସ୍ଥିତ ହୋଇଥିଲେ । କିନ୍ତୁ ଦିନ ୧୧ଟା ଯାଏଁ କୌଣସି ସରପଞ୍ଚ, ସମିତି ସଭ୍ୟ ଉପସ୍ଥିତ ନହେବାରୁ ବୈଠକ ବାତିଲ କରାଯାଇଥିଲା । ଭୋଟିଂ ପାଇଁ ଯାଇଥିବା ଅଧିକାରୀମାନେ ମଧ୍ୟ ଫେରି ଯାଇଛନ୍ତି ।
ଅନ୍ୟପଟେ ଏହି ଘଟଣାରେ ପୂର୍ବତନ ବିଧାୟିକା ଦୀପାଳି ଦାସଙ୍କ ନେତୃତ୍ୱରେ ବିଜେଡି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି । ଅନୈତିକ ଓ ଅଗଣତାନ୍ତ୍ରିକ ଉପାୟରେ ପୁଲିସ ଏହି ଭୋଟିଂ ବନ୍ଦ୍ କରିବାକୁ ଉଦ୍ୟମ କରିଥିବା ବିଜେଡି ଅଭିଯୋଗ କରିଛି । ବିନା ଅଭିଯୋଗ ଓ ପ୍ରମାଣରେ ଭାଇ ବିଶାଳ ଦାସ ଓ ପିଆରଆଇ ସଦସ୍ୟଙ୍କୁ ଗତକାଲିଠାରୁ ଛତିଶଗଡରେ ଅଟକ ରଖାଯାଇଥିବା ଅଭିଯୋଗ କରିଛନ୍ତି ଦୀପାଳି ।