କନକ ବ୍ୟୁରୋ: ପ୍ରେକ୍ଷାଳୟଶୂନ୍ୟ ହୋଇଯାଇଛି ପ୍ରଥମ ଓଡ଼ିଆ ଚଳଚ୍ଚିତ୍ରର ମାଟି । ଓଲିଉଡର ୯୦ ବର୍ଷର ଯାତ୍ରା ଭିତରେ ନିଶ୍ଚିହ୍ନ ହୋଇଯାଇଉଛି ପୁରୀର ୫ଟି ସିନେମା ହଲ୍ । ଓଏଫ୍ଡିସିର କାମ ନେଇ ପ୍ରଶ୍ନ ଉଠିଛି । ଏନେଇ କଳା ଓ ସଂସ୍କୃତିପ୍ରେମୀ ଚିନ୍ତା ପ୍ରକଟ କରିଛନ୍ତି ।
୯୦ ବର୍ଷ ତଳେ ଶ୍ରୀକ୍ଷେତ୍ର ମାଟି ଭେଟି ଦେଇଥିଲା ପ୍ରଥମ ଓଡ଼ିଆ ପିଲ୍ମ ସୀତା ବିବାହ । ୧୯୩୬ ମସିହାରେ ଫିଲ୍ମଟି ପୁରୀର ପ୍ରଥମ ସିନେମା ହଲ୍ ଲକ୍ଷ୍ମୀ ଟକିଜରେ ମୁକ୍ତିଲାଭ କରିଥିଲା । କିନ୍ତୁ ଲକ୍ଷ୍ମୀ ଟକିଜ୍ ଏବେ ବନ୍ଦ ହୋଇଯାଇଛି । ଲକ୍ଷ୍ମୀ ଟକିଜ୍ ବନ୍ଦ ହେବା ସହ ପୁରୀ ଏବେ ସିନେମା ହଲ୍ ଶୂନ୍ୟ । ହଜୁରୀ ପରିବାର ଓ ମହନ୍ତଙ୍କ ମଧ୍ୟରେ ମକଦ୍ଦମା ଯୋଗୁ ଜନତା ହଲ୍ ବନ୍ଦ ହୋଇଛି । ଶ୍ରୀରାମ ଟକିଜ ଓ ଶ୍ରୀକ୍ଷେତ୍ର ସିନେମା ହଲ୍ ମଧ୍ୟ ଚାଲୁନାହିଁ । ଶେଷରେ ପରିକ୍ରମା ପ୍ରକଳ୍ପ ପାଇଁ ଶ୍ରୀକୃଷ୍ଣ ସିନେମା ହଲ୍ ଉଚ୍ଛେଦ ହୋଇଛି ।
ଏକ ପ୍ରକାର ହଜିଯାଇଥିବା ଓଡ଼ିଆ ସିନେମା କିଛିଦିନ ପରେ ପୁଣି ଫେରିଛି । କିନ୍ତୁ ପୁରୀରେ ଦେଖିବାକୁ ହଲ୍ ନାହିଁ । ଓଏଫ୍ଡିସି ହାତ ବାନ୍ଧି ବସିଛି । ସରକାରୀ ପ୍ରୋତ୍ସାହନ ଅଭାବରୁ ସିନେମା ହଲ୍ ପ୍ରତି ମାଲିକମାନେ ମୁହଁ ମୋଡ଼ୁଛନ୍ତି । ଗତ ସେପ୍ଟେମ୍ବରରେ ଏନେଇ ସରକାରଙ୍କ ସହ ସଂସ୍କୃତିପ୍ରେମୀ ଆଲୋଚନା କରିଥିଲେ। କିନ୍ତୁ କିଛି ପଦକ୍ଷେପ ନିଆଯାଇନାହିଁ । ସିନେମା ଦେଖିବା ପାଇଁ ପୁରୀବାସୀ ୬୦ କିଲୋମିଟର ଦୂର ଭୁବନେଶ୍ୱର ଯାଉଛନ୍ତି । ଅନ୍ୟ ସହରରେ ଛତୁ ଫୁଟିବା ଭଳି ମଲ୍ଟି ପ୍ଲେକ୍ସ ଖୋଲୁଥିବା ବେଳେ ପୁରୀରେ କେବେ ଖୋଲିବ ସେନେଇ ଉଠିଛି ପ୍ରଶ୍ନ ।