କନକ ବ୍ୟୁରୋ : ବିବାଦରେ କର୍ଣ୍ଣାଟକ କ୍ୟାବିନେଟ୍ ମନ୍ତ୍ରୀ ତଥା କଂଗ୍ରେସ ନେତା ପ୍ରିୟଙ୍କ ଖଡଗେ । ଯଦି କେନ୍ଦ୍ରରେ କଂଗ୍ରେସ ସରକାର ଗଢ଼େ ତେବେ ପ୍ରଥମେ ଆର୍ଏସ୍ଏସ୍କୁ ବ୍ୟାନ୍ କରାଯିବ । ଜୁନିୟର ଖଡଗେଙ୍କ ଏହି ବୟାନକୁ ନେଇ ନୂଆ ବିବାଦ ଦେଖାଯିବା ସହ ବିଜେପି ପାଲଟା ଜବାବ ରଖିଛି ।
କର୍ଣ୍ଣାଟକ କ୍ୟାବିନେଟ୍ ମନ୍ତ୍ରୀ ତଥା କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ପ୍ରିୟଙ୍କ ଖଡ଼ଗେଙ୍କ ଏହି ବୟାନ ପୁଣି ନୂଆ ବିବାଦ ଛିଡା କରିଛି । ଏଥରକ ପ୍ରିୟଙ୍କ ସିଧାସଳଖ ବିଜେପିକୁ ଟାର୍ଗେଟ ନକରି ଆରଏସଏସକୁ ଆକ୍ଷେପ କରିଛନ୍ତି । ଖଡଗେ କହିଛନ୍ତି ..ଦେଶରେ ବଢୁଥିବା ବେକାରି ସମସ୍ୟା, ଘୃଣା ପାଇଁ ଆର୍ଏସ୍ଏସ୍ ଦାୟୀ । କେନ୍ଦ୍ରରେ କଂଗ୍ରେସ ସରକାର ଗଠନ କଲେ, ପ୍ରଥମେ ଆର୍ଏସ୍ଏସ୍କୁ ବ୍ୟାନ୍ କରିବ । ପୂର୍ବରୁ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଓ ଇନ୍ଦିରା ଗାନ୍ଧୀ ଲଗାଇଥିବା ବ୍ୟାନ୍କୁ ହଟାଇ ବଡ଼ ଭୁଲ କରିଛି କଂଗ୍ରେସ ।
କଂଗ୍ରେସ ନେତାଙ୍କ ବୟାନକୁ ଘୋର ବିରୋଧ କରିଛି ବିଜେପି । ଦଳ କହିଛି ଏଭଳି ବୟାନ କଂଗ୍ରେସର ନିଚ୍ଚ ମାନସିକତାକୁ ଦର୍ଶାଉଛି ।ଆର୍ଏସ୍ଏସ୍ ଏକ ବିଶାଳ ବୃକ୍ଷ । କୌଣସି ରାଜନୈତିକ ଦଳ ଏହାର କିଛି କ୍ଷତି କରିପାରିବନି । କଂଗ୍ରେସକୁ ପରାମର୍ଶ ଦେଇ ବିଜେପି କହିଛି ପ୍ରଥମେ ଦଳ ନିଜ ଘର ସଜାଡୁ ପରେ ବିଜେପି ଓ ଆର୍ଏସ୍ଏସ୍ ବିରୋଧରେ ମିଛ କଥା ପ୍ରଚାର କରିବ । ଗୋଟିଏ ପରେ କର୍ଣ୍ଣାଟକ ରାଜନୀତିରେ ହଟଚମଟ ଚାଲିଛି । ରାଜ୍ୟ ନେତୃତ୍ବ ପରିବର୍ତ୍ତନ ସଙ୍କେତ ମିଳିସାରିଲାଣି । ସିଦ୍ଧରମୈୟାଙ୍କୁ ହଟାଇ ଶିବକୁମାରଙ୍କୁ ମୁଖ୍ୟମନ୍ତ୍ରୀ ପଦ ମିଳିପାରେ ।ଏହା ଭିତରେ ପ୍ରିୟଙ୍କ ଖଡ଼ଗେଙ୍କ ବୟାନ ଜାତୀୟ ରାଜନୀତିକୁ ଅଧିକ ଉଷ୍ମ କରିଛି ।