କନକ ବ୍ୟୁରୋ: ବ୍ରହ୍ମପୁର ଏମ୍କେସଜି ମେଡିକାଲରେ ନାହିଁ ବର୍ଣ୍ଣ କେୟାର ୟୁନିଟ୍ । ନିଆଁରେ ଗୁରୁତର ଆହତ ରୋଗୀଙ୍କୁ କଟକ ଏସ୍ସିବି ମେଡିକାଲକୁ ପଠାଯାଉଛି । ଏମ୍କେସିଜି ମେଡିକାଲରେ ବର୍ଣ୍ଣ କେୟାର ୟୁନିଟ୍ ଖୋଲିବା ପାଇଁ ଟଙ୍କା ଆସିଛି । କିନ୍ତୁ ଖୋଲା ଯାଇପାରୁନାହିଁ । ଏ ଦିଗରେ କାହାର ଆନ୍ତରିକତା ଅଛି କି ନାହିଁ ବୋଲି ପ୍ରଶ୍ନ ଉଠିଛି ।
ଯୌତୁକ ପାଇଁ ବୋହୂକୁ ପୋଡ଼ିଦେଲେ !
ବ୍ରହ୍ମପୁରରୁ ପଠାଗଲା କଟକ
ଖଲ୍ଲିକୋଟ କହ୍ନେଇପୁର ଗାଁର ଆରତି । ଯୌତୁକ ପାଇଁ ଆରତିଙ୍କୁ ତାଙ୍କ ଶାଶୂ ଓ ଦିଅର ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିବା ଅଭିଯୋଗ ହୋଇଛି । ଆରତିଙ୍କ ଶରୀରର ପ୍ରାୟ ୪୦ ଭାଗ ପୋଡ଼ିଯାଇଛି । କିନ୍ତୁ ବିଡ଼ମ୍ବନାର ବିଷୟ ହେଉଛି, ଆରତିଙ୍କୁ ବ୍ରହ୍ମପୁର ଏମ୍କେସିଜି ମେଡିକାଲକୁ ଅଣାଯାଇଥିଲେ ବି ଚିକିତ୍ସା ସମ୍ଭବ ନହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।
ଖଲ୍ଲିକୋଟର ଆରତିଙ୍କ ଘଟଣା ଏକ ଉଦାହରଣ ମାତ୍ର । ବ୍ରହ୍ମପୁର ବଡ଼ ମେଡିକାଲରେ ଏମିତି ଅନେକ ଥର ହେଉଛି । ରୋଗୀ ପୋଡ଼ି ହୋଇଆସୁଛନ୍ତି ଆଉ ରେଫର ହେଉଛନ୍ତି କଟକ ବଡ଼ ମେଡିକାଲ । ୨୦୨୦ ଫେବ୍ରୁଆରି ୯ ତାରିଖରେ ଗୋଳନ୍ଥରା ମେଣ୍ଡରାଜପୁରରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଏକ କନ୍ୟାଯାତ୍ରୀ ବସ୍ରେ ନିଆଁ ଲାଗିଯାଇଥିଲା। ଘଟଣାସ୍ଥଳରେ ୧୨ ଜଣ ପ୍ରାଣ ହରାଇଥିଲେ । ବହୁ ଗୁରୁତରଙ୍କୁ କଟକ ପଠାଇବାକୁ ପଡ଼ିଥିଲା । ଏହି ଘଟଣା ପରେ ତତ୍କାଳୀନ ସ୍ବାସ୍ଥ୍ୟମନ୍ତ୍ରୀ ଏମ୍କେସିଜି ମେଡିକାଲରେ ବର୍ଣ୍ଣ ୟୁନିଟ୍ ଖୋଲିବାକୁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ୫ ବର୍ଷ ପରେ ବି ବର୍ଣ୍ଣ ୟୁନିଟ୍ ଖୋଲିନାହିଁ । ଏମକେସିଜି କଲେଜ ଅଧ୍ୟକ୍ଷା କହିଛନ୍ତି, ନୂଆ ସରକାର ଆସିବା ପରେ ଟଙ୍କା ଆସିଛି । ନୂଆ କୋଠା ନିର୍ମାଣରେ ବିଳମ୍ବ ହେବ । ବର୍ତ୍ତମାନ ଥିବା କୋଠାରେ ବର୍ଣ୍ଣ କେୟାର ୟୁନିଟ୍ ଖୋଲିବା ପାଇଁ ସରକାରଙ୍କୁ ଅନୁମତି ମଗାଯାଇଛି ।
କେବଳ ବ୍ରହ୍ମପୁର ନୁହେଁ, ଏସ୍ସିବି ଓ ଏମ୍ସକୁ ଛାଡ଼ିଦେଲେ ରାଜ୍ୟରେ ଅଧିକାଂଶ ମେଡିକାଲରେ ବର୍ଣ୍ଣ ୟୁନିଟ୍ ନାହିଁ । କିଛି ଘରୋଇ ହସ୍ପିଟାଲ୍ରେ ଏହା ଅଛି ବୋଲି ଦାବି କରାଯାଉଥିଲେ ବି ଭିତ୍ତିଭୂମି ନାହିଁ । ଫଳରେ ନିଆଁରେ ପୋଡ଼ି ଯାଉଥିବା ରୋଗୀଙ୍କୁ ଠିକ୍ ସମୟରେ ଠିକ୍ ଚିକିତ୍ସା ମିଳିପାରୁନାହିଁ । ପ୍ରଶ୍ନ ଉଠୁଛି, ସବୁ ହସ୍ପିଟାଲ୍ରେ କେବେ ହେବ ଅତ୍ୟାଧୁନିକ ବର୍ଣ୍ଣ ୟୁନିଟ୍?