Chabahar Port Photograph: (Google)
କନକ ବ୍ୟୁରୋ :ଇରାନର ଦକ୍ଷିଣ-ପୂର୍ବରେ ଥିବା ଚାବହାର ବନ୍ଦର ପ୍ରକଳ୍ପ ଉଭୟ ଭାରତ ଓ ଇରାନ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ । ଏହି ବନ୍ଦର ପାକିସ୍ତାନକୁ ବାଇପାସ୍ କରି ଭାରତକୁ ଆଫଗାନିସ୍ତାନ ଓ ମଧ୍ୟଏସିଆ ପର୍ଯ୍ୟନ୍ତ ସିଧାସଳଖ ସଂଯୋଗ ପ୍ରଦାନ କରିଥାଏ । ତେବେ ଚଳିତ ବର୍ଷ ବଜେଟରେ ଭାରତ ପକ୍ଷରୁ ଏହି ପ୍ରକଳ୍ପ ପାଇଁ କୌଣସି ପାଣ୍ଠି ବ୍ୟବସ୍ଥା ନ କରିବା ନିଷ୍ପତ୍ତି ଉପରେ ନୈରାଶ୍ୟ ପ୍ରକାଶ କରିଛି ଇରାନ। ଇରାନ ବିଦେଶ ମନ୍ତ୍ରୀ ଆବାସ ଅରାଘଚି ଏହି ପ୍ରକଳ୍ପ ପାଇଁ ପାଣ୍ଠି ନଦେବାକୁ ଭାରତର ନିଷ୍ପତ୍ତି ଉଭୟ ଦେଶ ପାଇଁ ନୈରାଶ୍ୟଜନକ ବୋଲି କହିଛନ୍ତି ।
ଇଣ୍ଡିଆ ଟୁଡେ ସହିତ ଏକ ସାକ୍ଷାତକାରରେ ଅରାଘଚି କହିଛନ୍ତି, ଏହି ପ୍ରକଳ୍ପ ମଧ୍ୟ ଏସିଆ ଓ ୟୁରୋପ ମଧ୍ୟରେ ସଂଯୋଗ ସ୍ଥାପନ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିଥାନ୍ତା। ଅରାଘଚି କହିଛନ୍ତି, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚାବହାର ବନ୍ଦରକୁ ଗୋଲଡେନ ଗେଟ୍ କହିଥିଲେ। ଏହା ଭାରତ ମହାସାଗରକୁ ମଧ୍ୟ ଏସିଆ ଓ ପରେ ୟୁରୋପ ସହିତ ଯୋଡ଼ି ଥାଏ । ରଣନୈତିକ ଦୃଷ୍ଟିକୋଣରୁ ଚାବହାର ଖୁବ୍ ଗୁରୁତ୍ବପୂର୍ଣ୍ଣ ବନ୍ଦର, ଏହାକୁ ଯଦି ପୂରାପୂରି ବିକଶିତ କରାଯାଏ, ତାହା ହେଲେ ଏହା ଇରାନ ମାଧ୍ୟମରେ ଭାରତକୁ ମଧ୍ୟ ଏସିଆ, କକେସସ୍ ଓ ୟୁରୋପ ସହିତ ଯୋଡ଼ିବାରେ ଗୁରୁତ୍ବପୂର୍ଣ୍ଣ ହୋଇପାରିଥାନ୍ତା। ତେବେ ଭବିଷ୍ୟତରେ ଚାବହାର ବନ୍ଦର ବିକଶିତ ହେବା ନେଇ ଅରାଘଚି ଆଶାବ୍ୟକ୍ତ କରିଛନ୍ତି । ପାକିସ୍ତାନର ଗ୍ବାଦର ବନ୍ଦର ଉପରେ ଚୀନର ପ୍ରଭାବ ହ୍ରାସ କରି ଏହି ଅଞ୍ଚଳରେ ଭାରତର ଭୂରାଜନୈତିକ ଉପସ୍ଥିତି ମଜଭୁତ କରିବା ପାଇଁ ଏହା ଗୁରୁତ୍ବପୂର୍ଣ୍ଣ ।
ଆହୁରି ପଢ଼ନ୍ତୁ:ଡୋନାଲ୍ଡ ଟ୍ରମ୍ପଙ୍କ ଧମକ: ମୁଣ୍ଡ ନୋଇଲା ବ୍ରିଟେନ, ଚାଗୋସ୍ ଦ୍ୱୀପପୁଞ୍ଜ ହସ୍ତାନ୍ତର ପାଇଁ ଚୁକ୍ତି ବନ୍ଦ କରିଦେଇଛନ୍ତି
୨୦୨୪ରେ ଭାରତ ଚାବହାର ବନ୍ଦରକୁ ବିକଶିତ କରିବାକୁ ଇରାନ ସହିତ ଚୁକ୍ତି କରିବା ପରେ ପ୍ରଥମ ଥର ଚଳିତ ବର୍ଷ ବଜେଟରେ ଏଥିପାଇଁ ଅର୍ଥ ବ୍ୟବସ୍ଥା କରିନାହିଁ। ଏହାପୂର୍ବରୁ ଭାରତ ଚାବହାର ବନ୍ଦର ବିକଶିତ କରିବାକୁ ବଜେଟରେ ୧୦୦ କୋଟି ଟଙ୍କାର ବ୍ୟବସ୍ଥା କରିଥିଲା। ତେବେ ଆମେରିକା-ଇରାନ ମଧ୍ୟରେ ଉତ୍ତେଜନା ବଢ଼ୁଥିବାକୁ ଲକ୍ଷ୍ୟ କରି ଭାରତ ଏଥିର ବଜେଟରେ କୌଣସି ଅର୍ଥ ବ୍ୟବସ୍ଥା କରିନାହିଁ। ଗତମାସ ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ରଣଧୀର ଜୟସ୍ବାଲ କହିଥିଲେ, ଭାରତ ଚାବହାର ବନ୍ଦର ନେଇ ଆମେରିକା ସହିତ ସକ୍ରିୟ ଆଲୋଚନା କରୁଛି ।
Follow Us