କନକ ବ୍ୟୁରୋ : ଡ଼ଙ୍ଗରିଆଙ୍କ ପାଇଁ ସମସ୍ତଙ୍କ ଦରଦ ରହିଛିହେଲେ ପିଲାଙ୍କ ପାଇଁ ନିର୍ମାଣ ହୋଇପାରୁନି ଅଙ୍ଗନବାଡି ଗୃହ । ଫଳରେ ଦୀର୍ଘ ୧୪ବର୍ଷହେଲା ମାଟି ବାରଣ୍ଡାରେ ବସି ପଢୁଛନ୍ତି ଡ଼ଙ୍ଗରିଆ ପିଲେ । ଏଭଳି ଚିତ୍ରଦେଖିବାକୁ ମିଳିଛି ମୁନିଗୁଡା ନିୟମଗିରି ପାହାଡ଼ରେ ଥିବା ଖମ୍ବେସୀ ଗ୍ରାମରେ। ଗ୍ରାମରେ ଥିବା ନୂଆଳିଆ ଚାଳ ଘରର ବାରଣ୍ଡାରେ ପିଲାମାନେ ବସି ପଢ଼ୁଥିବାରୁ ଏକ ଅଙ୍ଗନବାଡି ନିଜସ୍ୱ ଗୃହ ଦାବି କରିଛନ୍ତି ଗ୍ରାମବାସୀ ।

Advertisment

ରାୟଗଡା ଜିଲ୍ଲାର ନିୟମଗିରି ପାହାଡ଼ରେ ବସବାସ କରୁଛନ୍ତି ଡ଼ଙ୍ଗରିଆ କନ୍ଧ। ସେମାନଙ୍କ ଉର୍ନ୍ନତି ପାଇଁ ପୁଳାପୁଳା ଯୋଜନାରେ କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଛି। ଛୋଟ ପିଲାଙ୍କୁ ପୃଷ୍ଟିକର ଖାଦ୍ୟ ଓ ପ୍ରାରମ୍ଭିକ ଶିକ୍ଷା ପ୍ରଦାନ ପାଇଁ ଅଙ୍ଗନବାଡି କେନ୍ଦ୍ର ହୋଇଛି। ଖମ୍ବେସୀ ଗାଁରେ ୨୦୧୦ରୁ ପ୍ରତିଷ୍ଠା ହୋଇଛି ମିନି ଅଙ୍ଗନୱାଡି କେନ୍ଦ୍ର। ୧୪ବର୍ଷ ବିତିଲାଣି, ମିନି ଅଙ୍ଗନୱାଡିରୁ ଅଙ୍ଗନୱାଡି କେନ୍ଦ୍ରରେ ପରିବର୍ତ୍ତନ ହୋଇଛି। ହେଲେ କେନ୍ଦ୍ରର ନିଜସ୍ୱ ଘରଟିଏ ନାହିଁ। ଫଳରେ କୁନିକୁନି ପିଲା ଚାଳଘର ବାରଣ୍ଡାରେ ବସିବାକୁ ବାଧ୍ୟ ହେଉଛନ୍ତି। ଗ୍ରାମବାସୀଙ୍କ ଘରେ ସେମାନଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ ହେଉଛି।

କେନ୍ଦ୍ର ସରକାରଙ୍କ ଦ୍ୱାରା ଡ଼ଙ୍ଗରିଆ ଭଳି ଆଦିମ ଜନଜାତିଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ପିଏମ ଜନମନ ଯୋଜନା ଆରମ୍ଭ ହୋଇଛି। ରାୟଗଡା ଜିଲ୍ଲା ୩ଟି ବ୍ଲକ ୨୦ଟି ଅଙ୍ଗନୱାଡି ଘର ପାଇଁ ଅନୁଦାନ ଆସିଛି। ହେଲେ ବିଡମ୍ବନାର ବିଷୟ ସେଥିରେ ମୁନିଗୁଡ଼ା ନାହିଁ। ମୁନିଗୁଡା ବ୍ଲକରେ ୨୧ଟି ଅଙ୍ଗନୱାଡି କେନ୍ଦ୍ରର ନିଜସ୍ୱ କୋଠା ନାହିଁ। 

ଛୋଟ ପିଲାଙ୍କ ଶାରୀରିକ ଓ ମାନସିକ ସ୍ଥରରେ ଉନ୍ନତିରେ ପ୍ରମୁଖ ଭୂମିକା ନେଇଥାଏ ଅଙ୍ଗନବାଡି କେନ୍ଦ୍ର ।