କନକ ବ୍ୟୁରୋ: ରୋଗୀଙ୍କୁ ସେବା ଯୋଗାଇବା ପାଇଁ ରାଜ୍ୟରେ ଚାଲୁଛି ୧୦୮ ଆମ୍ବୁଲାନ୍ସ।  କିନ୍ତୁ ଆମ୍ବୁଲାନ୍ସର ଅବସ୍ଥା ନକହିଲେ ଭଲ । ରୋଗୀ ସେବା କମ ବରଂ ୧୦୮ ଆମ୍ବୁଲାନ୍ସରେ ସମସ୍ୟା ଭୋଗୁଛନ୍ତି ରୋଗୀ । ଠିକା ସଂସ୍ଥା ଓ କର୍ମଚାରୀ ସଂଘ ବିବାଦ ଭିତରେ ହନ୍ତସନ୍ତ ହେଉଛନ୍ତି ରୋଗୀ । ସ୍ୱାସ୍ଥ୍ୟ ବିଭାଗର ଯେମିଚି ଚୁପ ବସିଯାଇଛି।

Advertisment

୧୦୮ ଆମ୍ବୁଲାନ୍ସର ଅନେକ ଦୟନୀୟ ଘଟଣା ଆମେ ଦେଖାଇଛୁ । କେତେବେଳେ ଆମ୍ବୁଲାନ୍ସ ଭିତରେ ପାଣି ଗଳୁଛି ତ ପୁଣି କେତେବେଳେ ଅଧାରାସ୍ତାରେ ଅଟକିଯାଉଛି ଆମ୍ବୁଲାନ୍ସ । ଏହି ସମସ୍ୟାକୁ ନେଇ ବ୍ୟବସ୍ଥାକୁ ବାରମ୍ବାର ପ୍ରଶ୍ନ ବି କରିଛୁ ।  କିନ୍ତୁ ଆମ୍ବୁଲାନ୍ସ ନମିଳିବାରୁ ବାରିପଦାରେ ରୋଗୀ ମୃତ୍ୟୁ ହେବା ଘଟଣା ଦାୟିତ୍ୱହୀନତାର ସବୁ ସୀମା ପାର କରିଯାଇଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଠିକା ସଂସ୍ଥା ଏମ୍ରି ଗ୍ରୀନ ହେଲଥ ସର୍ଭିସକୁ ୧୦୮ ଆମ୍ବୁଲାନ୍ସର ଦାୟିତ୍ୱ ଦେଇ ଚୁପ ବସିଯାଇଛି ।  ଆମ୍ବୁଲାନ୍ସ ଗଡୁଛି କେମିତି, ରୋଗୀ ସେବା ଠିକ ଚାଲିଛି କି ନାହିଁ ସେନେଇ ଖବର ବୁଝିବାକୁ ବି ବିଭାଗ ପାଖରେ ଯେମିତି ସମୟ ନାହିଁ । ସବୁ ଚାଲିଛି ଠିକା ସଂସ୍ଥା ଭରଷାରେ । ବାରିପଦାରେ ରୋଗୀ ମୃତ୍ୟୁ ପରେ ଏବେ ଆମ୍ବୁଲାନ୍ସ କର୍ମଚାରୀ ସଂଘ ଉଭୟ ସରରାର ଓ ଠିକା ସଂସ୍ଥାକୁ ଦାୟୀ କରିଛନ୍ତି । 

ପୁରୁଣା ଆମ୍ବୁଲାନ୍ସର ଷ୍ଟିକର ଉଠାଇ ,  ଗେରୁଆ ରଙ୍ଗର ଷ୍ଟିକର ଲାଗିଛି। କିନ୍ତୁ ଆମ୍ବୁଲାନ୍ସର ସ୍ଥିତି ସେହି ପୂର୍ବ ଭଳି ରହିଛି। ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଆମେ କରିଥିଲୁ ରିୟଲିଟି ଚେକ୍।  କୌଣସି ଆମ୍ବୁଲାନ୍ସରେ ନଥିଲା ଏସି।  ରୋଗୀ ହନ୍ତସନ୍ତ ହେଉଥିଲେ , ଆଉ କର୍ମଚାରୀଙ୍କ ଉପରେ ବର୍ଷୁଥିଲେ ସମ୍ପର୍କୀୟ। 

୧୦୮ ଆମ୍ବୁଲାନ୍ସର ଅବସ୍ଥା ସମେତ ଆମ୍ବୁଲାନ୍ସ କର୍ମଚାରୀ ନିଜର ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ପହଞ୍ଚିଥିଲେ। ଥରେ ନୁହଁ ବାରମ୍ବାର ଅଭିଯୋଗ କରିଛନ୍ତି । କିନ୍ତୁ ୧୦୮ ଆମ୍ବୁଲାନ୍ସର ଅବସ୍ଥା ଦିନକୁ ଦିନ ଖରାପ ହୋଇଚାଲିଛି। ଏନେଇ ଆମେ ମଧ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହ ଅନେକ ଯୋଗାଯୋଗ କରିବାକୁ ଚେଷ୍ଟା କରିଥଲୁ, କିନ୍ତୁ ମିଳିପାରିନାହିଁ ତାଙ୍କର ପ୍ରତିକ୍ରିୟା।  ତେବେ ପ୍ରଶ୍ନ ଉଠୁଛି ,
ସ୍ୱାସ୍ଥ୍ୟ ବିଭାଗ ଏସବୁ ଜାଣିଛି ତ? 
ଠିକା ସଂସ୍ଥା ପ୍ରତି କାହିଁକି ଏତେ ଅନୁକମ୍ପା?