କନକ ବ୍ୟୁରୋ: ଅସହାୟ ବିଧବା ମହିଳାଙ୍କୁ ସରକାର ପ୍ରତିମାସରେ ଭତ୍ତା ଦେଉଛନ୍ତି। କିନ୍ତୁ ବିଡମ୍ବନାର ବିଷୟ, ତଲାକ୍ ପାଇଥିବା ମହିଳାଙ୍କୁ ମିଳୁନି ଭତ୍ତା । ରାଜ୍ୟରେ ଏଭଳି ଶହ ଶହ ମହିଳା ଅସହାୟ ହୋଇ ପଡ଼ିଛନ୍ତି । ୧୦ ବର୍ଷ ହେଲା ସେମାନଙ୍କ ତଲାକୀ ଭତ୍ତା ବନ୍ଦ ହୋଇଯାଇଛି। ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ବି ମାନିନି ପ୍ରଶାସନ।  

Advertisment
  • ତଲାକ୍ ପରେ ମିଳୁନି ତଲାକୀ ଭତ୍ତା
  • ୧୦ ବର୍ଷ ହେଲା ଜୀବିକାର ଏକମାତ୍ର ରାସ୍ତା ବନ୍ଦ 

କଟକର ରସିଦା ବିବି । ସ୍ୱାମୀଙ୍କଠାରୁ ତଲାକ୍ ଛାଡ଼ପତ୍ର ପାଇବା ପରେ ବେସାହାରା ହୋଇପଡ଼ିଛନ୍ତି। ଦାନା ମୁଠାଏ ଯୋଗାଡ଼ କରବା କଷ୍ଟ । ତଲାକୀ ଭତ୍ତା ନମିଳିବାରୁ ପ୍ରାୟ ୧୦ ବର୍ଷ ହେଲା ବଞ୍ଚିବାର ଏକମାତ୍ରା ରାସ୍ତା ରସିଦାଙ୍କ ପାଇଁ ବନ୍ଦ ହୋଇଯାଇଛି। ସେମିତି ଆଉଜଣେ ହେଉଛନ୍ତି ସଲମା ବିବି। ସ୍ବାମୀ ତଲାକ ଦେବା ପରେ ତଲାକୀ ଭତ୍ତା ପାଉ ନାହାନ୍ତି ସଲମା। କେବଳ ରସିଦା କି ସଲମା ବିବି ନୁହନ୍ତି, ରାଜ୍ୟରେ ୧୯୪୮ ଜଣ ମହିଳାଙ୍କୁ ତଲାକୀ ଭତ୍ତା ମିଳୁନାହିଁ । ଅର୍ଥାଭାବରୁ ଜୀବନ ଜିଇଁବା ସେମାନଙ୍କ ପାଇଁ ମୁସ୍‌କିଲ୍ ହୋଇପଡ଼ିଛି ।

ରାଜ୍ୟରେ ତଲାକ୍ ପାଇଥିବା ମହିଳାଙ୍କୁ ୨୦୦୭ରୁ ମାସିକ ୪୦୦ ଟଙ୍କା ତଲାକୀ ଭତ୍ତା ମିଳୁଥିଲା। କିନ୍ତୁ ୨୦୧୪ରୁ  ତଲାକୀ ଭତ୍ତା ବନ୍ଦ ହୋଇଯାଇଛି । ଏନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା। ତଲାକ୍ ପାଇଥିବା ମହିଳାଙ୍କୁ ଭତ୍ତା ଦେବା ପାଇଁ ହାଇକୋର୍ଟ ୨୦୧୮ ଓ ୨୦୨୩ରେ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ତତ୍କାଳୀନ ରାଜ୍ୟ ସରକାର ନିର୍ଦ୍ଦେଶ ପାଳନ କରିନାହାନ୍ତି। ତେବେ ଏନେଇ ସରକାରଙ୍କ ସହ ଆଲୋଚନା କରିବେ ବୋଲି ବାରବାଟୀ-କଟକ ବିଧାୟିକା ସୋଫିଆ ଫିରଦୌସ କହିଛନ୍ତି ।

ହାଇକୋର୍ଟଙ୍କ ନିର୍ଦ୍ଦେଶ ପୂର୍ବ ସରକାର ପାଳନ କରିନଥିଲେ। କିନ୍ତୁ ଏବେ ସରକାର ବଦଳିଛି। ତେଣୁ ନୂଆ ସରକାର, ତଲାକ୍ ପାଇଥିବା ଅସହାୟ ମହିଳାଙ୍କ ସାମାଜିକ ସୁରକ୍ଷା ପ୍ରତି କି ପଦକ୍ଷେପ ନେଉଛନ୍ତି ତା ଉପରେ ସମସ୍ତଙ୍କ ନଜର।