କନକ ବ୍ୟୁରୋ: ଏକଜିଟ ପୋଲ ଆସିଲା ପରେ ଗୋଟିଏ ଚିତ୍ର ସାମ୍ନାକୁ ଆସିଛି । ହରିୟାଣାରେ କଂଗ୍ରେସ ଏବଂ ଜମ୍ମୁ ଓ କାଶ୍ମୀରରେ ଇଣ୍ଡିଆ ମେଣ୍ଟ ସରକାର କରିବା ସମ୍ଭାବନା ବଢ଼ି ଯାଇଛି । କେବଳ ଏହି ଦୁଇ ରାଜ୍ୟ ନୁହେଁ ଆଗକୁ ହେବାକୁ ଥିବା ଝାଡଖଣ୍ଡ ଓ ମହାରାଷ୍ଟ୍ର ନିର୍ବାଚନରେ ମଧ୍ୟ କଂଗ୍ରେସ ବାଜିମାତ କରିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି କଂଗ୍ରେସ ନେତା । ହେଲେ ଓଡିଶାରେ କଂଗ୍ରେସ ସ୍ଥିତିରେ ସୁଧାର ଆସିବା ଭଳି ଦେଖାଯାଉ ନାହିଁ।
ଦେଶରେ ବଢ଼ୁଛି କଂଗ୍ରେସ
ଓଡ଼ିଶାରେ ଶୋଇଛି ଦଳ!
ହରିୟାଣା ଓ ଜମ୍ମୁକାଶ୍ମରୀରୁ ଯେଉଁ ବୁଥ୍ ବାହୁଡା ମତ ଆସିଛି, ତାକୁ ନେଇ ବେଶ ଉତ୍ସାହିତ କଂଗ୍ରେସ ନେତା ଓ କର୍ମୀ। ଆଗକୁ ଦେଶ ଓ ରାଜ୍ୟରେ କଂଗ୍ରେସ ପୁଣି କ୍ଷମତାକୁ ଫେରିବ ବୋଲି ଆଶା ରଖିଛନ୍ତି। ହେଲେ, ଓଡ଼ିଶା କଂଗ୍ରେସର କାର୍ୟ୍ୟରୁ ସେଭଳି କିଛି ଦେଖିବାକୁ ମିଳୁନାହିଁ । ମାସମାସ ଧରି ପିସିସି ସଭାପତି ପଦ ଖାଲି ପଡିଥିଲାବେଳେ ଲାଗୁଛି ଯେମିତି ଦଳ ଶୋଇ ପଡିଛି । ମୋକିମଙ୍କ ନେତୃତ୍ବରେ ଦୁଇଥର କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇଥିଲେ ବି କାହାକୁ ମଙ୍ଗୁଆଳ ଚୟନ ନକରିବା କେନ୍ଦ୍ରୀୟ ନେତୃତ୍ବର ଆନ୍ତରିକତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଦଳ କେମିତି ମଜବୁତ ହେବ ସେ ନେଇ ଆଶଙ୍କା ପ୍ରକାଶ ପାଇଛି।
ତେବେ ଏଆଇସିସି ଉପରେ ଭରସା ରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା । ନିର୍ବାଚନ ପରେ ଏଆଇସିସି, ପିସିସି ସଭାପତି ଘୋଷଣା କରିବ ବୋଲି କହିଛନ୍ତି । ଯିଏ ସଭାପତି ହେବେ ସେ ତାଙ୍କ ଟିମ୍ ପ୍ରସ୍ତୁତ କରି ଓଡ଼ିଶାରେ କାମକୁ ଜୋରଦାର କରିବେ ଓ ଆଗାମୀ ଦିନରେ କଂଗ୍ରେସ ରାଜ୍ୟରେ ଭଲ ପ୍ରଦର୍ଶନ କରିବ ବୋଲି ଦାବି କରିଛନ୍ତି ।
ପିସିସି କମିଟି ଭାଙ୍ଗିବାର ଦୁଇ ମାସରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଏପର୍ୟ୍ୟନ୍ତ ନୂଆ କମିଟି ଗଠନ ହୋଇପାରି ନାହିଁ । ଅନ୍ୟ ରାଜ୍ୟ ତୁଳନାରେ ଓଡିଶାରେ କଂଗ୍ରେସ ସ୍ଥିତି ଖରାପ ରହିଛି । ତେବେ ବିଜେଡିରେ ଅନ୍ତକନ୍ଦଳ ଜୋର ହେଉଥିବାରୁ ଓଡିଶାରେ କଂଗ୍ରେସ ପାଇଁ ଭଲ ସମ୍ଭାବନା ରହିଛି ।