କନକ ବ୍ୟୁରୋ :ରାସନ କାର୍ଡକୁ ନେଇ ବଡ଼ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ । କହିଛନ୍ତି, ପ୍ରକୃତ ହିତାଧିକାରୀ ଯାଂଚ ପାଇଁ ହେବ ଫିଜିକାଲ ସର୍ଭେ । ସର୍ଭେ ପରେ ଚୂଡାନ୍ତ ହେବ ରାସନ କାର୍ଡ ହିତାଧିକାରୀଙ୍କ ତାଲିକା । ଏବେ ସୁଦ୍ଧା ୩୦ ଲକ୍ଷ ୭୩୪ ହଜାର ଲୋକ EKYC କରିନାହାନ୍ତି । ୩୧ ମାର୍ଚ୍ଚ ପରେ ଜଣା ପଡ଼ିବ କେତେ ଲୋକ EKYC କରିନାହାନ୍ତି । ଏହାପରେ କାହିଁକି ହିତାଧିକାରୀ EKYC କରି ନାହାନ୍ତି ସେନେଇ ଫିଲଡ ଭିଜିଟ କରି ଦେଖିବେ ବିଭାଗୀୟ ଅଧିକାରୀ । ତେବେ ହଠାତ୍ କାହାର ରାସନକାର୍ଡ କଟାଯିବନାହିଁ ବୋଲି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।
ସେହିପରି ୫ ଲକ୍ଷ ୩୫ ହଜାର ପୋର୍ଟାଲ ଜରିଆରେ ଆଗରୁ ଆବେଦନ କରିଛନ୍ତି ହିତାଧିକାରୀ । ଏବେ ସେମାନଙ୍କ ସର୍ଭେ ଚାଲିଥିବା ବେଳେ ଏପ୍ରିଲ ୧୫ ସୁଦ୍ଧା ସର୍ଭେ କାମ ସରିବ । ତା'ପରେ ନୂଆ ରାସନକାର୍ଡ ହିତାଧିକାରୀ ରାସନ ପାଇବେ । ନୂଆ ପୋର୍ଟାଲରେ ଏବେ ସୁଦ୍ଧା ୫୦ ହଜାର ନୂଆ ରାସନକାର୍ଡ ପାଇଁ ଆବେଦନ କରିଛନ୍ତି ହିତାଧିକାରୀ । ସମ୍ପୂର୍ଣ୍ଣ ଆବେଦନ ସରିବା ପରେ ଏହାର ଯାଞ୍ଜ ପ୍ରକ୍ରିୟା ଆରମ୍ଭ ହେବ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।
ଏଠାରେ ସ୍ପଷ୍ଟ ଭାବରେ କହିରଖୁଛୁ କି, ରାଜ୍ୟରେ କେତେ ଭୂତ ରାସନକାର୍ଡ ଚିହ୍ନଟ ହେଲାଣି ବୋଲି ଗୃହରେ ପୂର୍ବରୁ ପ୍ରଶ୍ନ ଉଠିଥିଲା । ଏହାର ଉତ୍ତର ଦେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ପାତ୍ର କହିଥିଲେ, ରାଜ୍ୟରେ ଏପର୍ଯ୍ୟନ୍ତ ଚିହ୍ନଟ ହୋଇଛନ୍ତି ମୋଟ ୨୨ ହଜାର ୨୯୩ ଟି ଅଯୋଗ୍ୟ ରାସନ କାର୍ଡ ହିତାଧିକାରୀ । ଏହାସହ ରାଜ୍ୟରେ ୮୪ ହଜାର ୭୫୭ ଜଣ ହିତାଧିକାରୀ ରାସନ କାର୍ଡ ପାଇବାରୁ ବାଦ୍ ପଡିଛନ୍ତି ।
ନୂଆ ସରକାର ଆସିବା ପରେ ଯାଂଚ୍ କରାଯାଇ ୨ ହଜାରରୁ ଅଧିକ ଅଯୋଗ୍ୟ ହିତାଧିକାରୀଙ୍କ ଚିହ୍ନଟ କରାଯିବା ସହ ସେମାନଙ୍କ କାର୍ଡକୁ ବାତିଲ କରାଯାଇଛି । ଅନ୍ୟପଟେ ହଜାର ହଜାର ପ୍ରକୃତ ଯୋଗ୍ୟ ହିତାଧିକାରୀ ରାସନକାର୍ଡ ଖଣ୍ଡେ ପାଇବାରୁ ବଞ୍ଚିତ ହୋଇଛନ୍ତି । ଏହି ସମସ୍ୟାରେ ସବୁଠୁ ଆଗରେ ଅଛି ଅନୁଗୁଳ ଜିଲ୍ଲା ଯେଉଁଠି ୩ ହଜାର ୯୭୨ ହିତାଧିକାରୀ ରାସନକାର୍ଡରୁ ବଞ୍ଚିତ ହୋଇ ରହିଛନ୍ତି । ଏହାପରେ ରହିଛି ବାଲେଶ୍ବର ଓ ବରଗଡ଼ ଜିଲ୍ଲା ।