କନକ ବ୍ୟୁରୋ : ସରଗରମ ହେଲାଣି ବିହାର ରାଜନୀତି । ବିହାରର ମୁଖ୍ୟମନ୍ତ୍ରୀ ଏନଡିଏ ଛାଡୁଥିବା ଖବର ଚର୍ଚ୍ଚା ଭିତରେ ନୀତୀଶଙ୍କୁ ବଡ଼ ଅଫର ଦେଇଛନ୍ତି ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଇଣ୍ଡିଆ ମେଣ୍ଟକୁ ଫେରିବାକୁ ପ୍ରସ୍ତାବ ଦେଇଛନ୍ତି । ଲାଲୁଙ୍କ ଏହି ଅଫରକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି । ନୂଆ ବର୍ଷ ଅବସରରେ ଲାଲୁ ଯାଦବ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପାଇଁ ତାଙ୍କ ଦ୍ୱାର ସବୁବେଳେ ଖୋଲା । ସେ ଚାହିଁଲେ ଆସିପାରିବେ । ଲାଲୁ ଯାଦବ ଏହା ମଧ୍ୟ କହିଛନ୍ତି ଯେ ନୀତୀଶ କୁମାର ଆମକୁ ଛାଡି ପଳାଇଥିଲେ ମଧ୍ୟ ଆମେ ତାଙ୍କୁ କ୍ଷମା କରିଛୁ ।
ତେବେ ଲାଲୁଙ୍କ ଏହି ଅଫରକୁ ପ୍ରତ୍ୟାଖାନ କରିଛନ୍ତି ନୀତୀଶ କୁମାର । ତେବେ ପୂର୍ବରୁ ଦଳ ବଦଳାଇବା ନେଇ ନୀତିଶଙ୍କ ନାଁରେ ରେକର୍ଡ ରହିଛି । ବର୍ଷ ଆରମ୍ଭରୁ ହିଁ ନୀତୀଶ ଦଳ ବଦଳାଇ ଦିଅନ୍ତି । ବାରମ୍ୱାର ଏମିତି କରିବାର ନଜିର ମଧ୍ୟ ରହିଛି । ତେଣୁ ଲାଲୁ ଯାଦବଙ୍କ ଅଫର ନୀତିଶ ଏନଡିଏ ଛାଡୁଥିବା ଚର୍ଚ୍ଚାକୁ ଖୋରାକ ଯୋଗାଇଛି ।
ସେପଟେ କିଛିଦିନ ହେବ ନୀତିଶ ଗଣମାଧ୍ୟମରୁ ନିଜକୁ ଦୂରେଇ ରଖୁଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ନିଧନରେ ଶେଷ ଦର୍ଶନ ଲାଗି ପହଞ୍ଚିଥିଲେ ନୀତିଶ । ଏହି ସମୟରେ ମନମୋହନଙ୍କ ପରିବାର ସହ ଅନେକ କଂଗ୍ରେସ ନେତାଙ୍କୁ ଭେଟିଥିଲେ । କିନ୍ତୁ ଏନଡିଏର ନେତାଙ୍କ ସହ ସେମିତି ନଜରକୁ ଆସିନଥିଲେ । ପୂର୍ବରୁ ଦିଲ୍ଲୀରେ ଅମିତ ଶାହ ଡାକିଥିବା ବୈଠକରେ ମଧ୍ୟ ସାମିଲ ହୋଇନଥିଲେ ନୀତିଶ । ଯେହେତୁ କେନ୍ଦ୍ର ସରକାରରେ ନୀତିଶଙ୍କ ସମର୍ଥନ ରହିଛି ତେଣୁ ନୀତିଶ ନଯିବା ରାଜନୀତିକୁ ଆହୁରି ସରଗରମ କରିଛି । ନୀତିଶ ଅସନ୍ତୋଷ ହେବାର ଅନ୍ୟ ଏକ କାରଣ ହେଉଛି ଦିଲ୍ଲୀ ବିଧାନସଭା ନିର୍ବାଚନ । ଏହି ନିର୍ବାଚନରେ ଜେଡିୟୁ ଲଢିବାକୁ ଇଚ୍ଛା ରଖିଥିଲେ ବି ଏନଡିଏ ସିଟ୍ ଭାଗବଂଟାକୁ ସଫାସଫା ମନା କରିଦେଇଛି । ଏବେ ପ୍ରଶ୍ନ ଉଠୁଛି ପୁଣି ପଲଟି ମାରିବେ କି ପଲଟୁରାମ୍? ଏନଡିଏ ଛାଡି ଇଣ୍ଡି ମେଣ୍ଟକୁ ଯିବେ କି ନୀତିଶ? ଆରଜେଡି ସହ ମିଶାଇବେ କି ହାତ?
NDA ଛାଡିବେ ନୀତୀଶ!
ପୁଣି ପଲଟି ମାରିବେ କି ପଲଟୁରାମ୍?
ନୀତୀଶଙ୍କୁ ବଡ଼ ଅଫର ଦେଲେ ଲାଲୁ
ନୀତୀଶଙ୍କ ପାଇଁ ଇଣ୍ଡି ମେଣ୍ଟ ଦ୍ବାର ଖୋଲା: ଲାଲୁ
ଲାଲୁ-ନୀତୀଶଙ୍କ ମଧ୍ୟରେ ପୁଣି ଥରେ ମେଣ୍ଟ ନେଇ ଚର୍ଚ୍ଚା
ଯାଦବ ଏବଂ କୁମାର ‘ବଡ଼ ଭାଇ, ଛୋଟ ଭାଇ’ ଭାବରେ ମଧ୍ୟ ବେଶ ଜଣାଶୁଣା
ନୀତୀଶ କୁମାର ଗତ ଦଶନ୍ଧିରେ ଆରଜେଡି ସହ ଦୁଇ ଥର ମେଣ୍ଟ କରି ଅଲଗା ହୋଇଛନ୍ତି
୨୦୨୪ରେ ମହାମେଣ୍ଟରୁ ଅଲଗା ହୋଇ ଏନଡିଏରେ ସାମିଲ ହୋଇଥିଲେ ନୀତୀଶ