କନକ ବ୍ୟୁରୋ: ବିହାରରେ ଯଦି ଏନଡିଏ ସରକାର ଗଠନ କରେ, ତେବେ ନୀତିଶ କୁମାର ହିଁ ମୁଖ୍ୟମନ୍ତ୍ରୀ ରହିବେ । ଏନେଇ ବିହାରର ଉପ-ମୁଖ୍ୟମନ୍ତ୍ରୀ ଥିବା ସମ୍ରାଟ ଚୌଧୁରୀ ସ୍ପଷ୍ଟ କରିଛନ୍ତି । କହିଛନ୍ତି, ଯଦି ଆଗାମୀ ନିର୍ବାଚନରେ ଏନଡିଏ ସତ୍ତାକୁ ଫେରୁଛି, ତେବେ ନୀତିଶ ହିଁ ମୁଖ୍ୟମନ୍ତ୍ରୀ ରହିବେ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତୀୟ ଜନତା ପାର୍ଟି ଜଲଦି ନିଜର ଘୋଷଣା ପତ୍ର ଜାରି କରିବ । ଆଗାମୀ ୫ ବର୍ଷ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବ । ତେବେ ବିକାଶର ଅଧା ଅଧୁରା କଥାକୁ ଏନଡିଏ ସରକାର ପୂରା କରିବ ବୋଲି କହିଛନ୍ତି ସମ୍ରାଟ ଚୌଧୁରୀ ।

Advertisment

ଆଗାମୀ ଦିନରେ ବିହାରରେ ୨୦ ଲକ୍ଷ କୋଟିରୁ ଅଧିକ ନିବେଶ ହାସଲ କରିବା ସରକାରର ଲକ୍ଷ୍ୟ ରହିଛି ବୋଲି କହିଛନ୍ତି ସମ୍ରାଟ ଚୌଧୁରୀ । ଅନ୍ୟପଟେ ବିହାର ସରକାରରେ ଏବେ କିଛି ବି ପଦ ଖାଲି ନାହିଁ ।  ନୀତିଶ କୁମାର ହିଁ ଆଗକୁ ମୁଖ୍ୟମନ୍ତ୍ରୀ ରହିବେ । ୨୦୦୫ ମସିହା ଅକ୍ଟୋବର ମାସରେ ଅଟଳ ବିହାରୀ ବାଜପେୟୀ ଏହି ମେଣ୍ଟକୁ ଗ୍ରୀନ୍ ସିଗନାଲ ଦେଇଥିଲେ । ବିଜେପି ହିଁ ସର୍ବପ୍ରଥମେ ନୀତିଶ କୁମାରଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଆଗକୁ ଆଣିଥିଲା । ତେଣୁ ଏଥିରେ କିଛି ବି ଦ୍ୱିମତ ନାହିଁ ଯେ, ନିର୍ବାଚନ ପରେ ନୀତିଶ ହିଁ ମୁଖ୍ୟମନ୍ତ୍ରୀ ରହିବେ ।

ନୂଆପଡ଼ା ଉପନିର୍ବାଚନ; ସିଇଓଙ୍କୁ କଂଗ୍ରେସ ଓ ବିଜେଡିର ଫେରାଦ୍

ସମ୍ରାଟ ଚୌଧୁରୀ କହିଛନ୍ତି, ନୀତିଶ କୁମାର ବିଜେପି ସହିତ ୨୯ ବର୍ଷ ରହିଛନ୍ତି । ଲାଲୁ ପ୍ରସାଦ ଯାଦବ ଏବଂ ନୀତିଶଙ୍କୁ ମୁଖ୍ୟମନ୍ତ୍ରୀ ବନାଇବାରେ ବିଜେପିର ପ୍ରମୁଖ ଭୂମିକା ରହିଥିଲା । ହେଲେ ଲାଲୁ ଯାଦବ କିନ୍ତୁ ୬ ମାସରେ ବଦଳିଗଲେ ହେଲେ ନୀତିଶ କୁମାର କିନ୍ତୁ ବିଜେପି ସହିତ ରହିଥିଲେ ।

ଜାଣିରଖିବା ଉଚିତ ଯେ, ଆଉ ମାତ୍ର କିଛି ଦିନ ପରେ ବିହାରରେ ଭୋଟ୍ ପଡ଼ିବାକୁ ଯାଉଛି, ଆଉ ଏହାରି ଭିତରେ ବିରୋଧୀ ମହାମେଣ୍ଟ ତେଜସ୍ୱୀ ଯାଦବଙ୍କୁ ନିଜର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିଛି । ହେଲେ ଏନଡିଏ ମେଣ୍ଟରେ ନୀତିଶ କୁମାରଙ୍କ ନାଁକୁ ନେଇ କିଛି ଅସହମତି ଥିବା ପରି ମନେ ହେଉଛି । ଯାହାକୁ କି ବିରୋଧୀ ଟାର୍ଗେଟ୍ କରୁଛନ୍ତି ।