କନକ ବ୍ୟୁରୋ: ବିହାରରେ ଏବେ ରାଜନୀତିର ପାଣିପାଗ ବୋହୁଛି । ଆଗକୁ ବିହାର ବିଧାନସଭା ନିର୍ବାଚନ ହେବାକୁ ଥିବାରୁ, ଏହା ପୂର୍ବରୁ ସତେ ଯେମିତି ଭୋଟରଙ୍କୁ ମନାଇବାରେ ଲାଗିପଡ଼ିଛନ୍ତି ସବୁ ଦଳର ନେତା । ଏହି କ୍ରମରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନିଜ ସତ୍ତାର ସିଟ୍ ବଞ୍ଚାଇବାକୁ ଖେଳିଛନ୍ତି ‘ପେନସନ୍ କାର୍ଡ’ । ବିହାରରେ ସାମାଜିକ ସୁରକ୍ଷା ପେନସନ୍ ରାଶିକୁ ଅଢ଼େଇ ଗୁଣ ବୃଦ୍ଧି କରି ଭୋଟ୍ ହାତେଇବାକୁ ଚେଷ୍ଟା କରିଛନ୍ତି ନୀତୀଶ । ତେବେ ନୀତୀଶ ବିହାରରେ ପେନସନ୍ ଟଙ୍କା ବଢ଼ାଇବା ପରେ ଏହାକୁ ନେଇ ଶ୍ରେୟ ରାଜନୀତି ମଧ୍ୟ ଆରମ୍ଭ ହୋଇଛି । ତେଜସ୍ୱୀ ଯାଦବ ଏବଂ ପ୍ରଶାନ୍ତ କିଶୋର ଏହି ପେନସନ୍ ଟଙ୍କା ବୃଦ୍ଧି ତାଙ୍କ ପାଇଁ ହୋଇଛି ବୋଲି କହିବା ଆରମ୍ଭ କରିଛନ୍ତି । ତାଙ୍କରି ଚାପରେ ଆସି ନୀତୀଶ ଏପରି କରିଛନ୍ତି ବୋଲି ଦୁଇ ନେତା କହିବା ଆରମ୍ଭ କରିଛନ୍ତି । ହେଲେ ଏତେ ସବୁ ଭିତରେ କିନ୍ତୁ ନୀତୀଶଙ୍କ ଏ ପେନସନ୍ ଫର୍ମୁଲା ତାଙ୍କୁ ନିର୍ବାଚନରେ କେତେ ଫାଇଦା ଦେଉଛି, ତାକୁ ନେଇ ଆରମ୍ଭ ହୋଇଛି ଭିନ୍ନ ଏକ ଚର୍ଚ୍ଚା ।

Advertisment

ନୀତୀଶ କୁମାରଙ୍କ ଏ ବଡ଼ ଘୋଷଣା ଦ୍ୱାରା ବିହାରର ପାଖାପାଖି ଦୁଇ କୋଟି ଲୋକଙ୍କୁ ଲାଭ ମିଳିବ । ଖାସ୍ କଥା ହେଉଛି ଏହି ସ୍କିମ ଆସନ୍ତା ମାସରୁ ହିଁ ଲାଗୁ ହୋଇଯିବ । ତେବେ ନୀତୀଶଙ୍କ ଏ ଘୋଷଣା ପଛରେ କିନ୍ତୁ ରାଜନୀତିର ଗନ୍ଧ ସ୍ପଷ୍ଟ ବାରି ହୋଇପଡୁଛି । ଆଗାମୀ ନିର୍ବାଚନକୁ ଦେଖି, ନୀତୀଶ ଭୋଟ୍ ହାତେଇବାକୁ ଏଭଳି ଘୋଷଣା କରିଛନ୍ତି ବୋଲି ରାଜନୈତିକ ପଣ୍ଡିତମାନେ କହିବା ଆରମ୍ଭ କଲେଣି । ହେଲେ ନୀତୀଶଙ୍କ ଏ ଘୋଷଣା ତାଙ୍କୁ ବିହାରର ଶିବରାଜ ସିଂହ ଚୌହ୍ୱାନ ବନାଇ ଦେବନି ତ? କାହିଁକି ନା ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ମଧ୍ୟ ଏଭଳି କିଛି ଘୋଷଣା କରିଥିଲେ ସେତେବେଳର ଏମପି ମୁଖ୍ୟମନ୍ତ୍ରୀ ଶିବରାଜ । ତାଙ୍କ ଦଳ ନିର୍ବାଚନରେ ସରକାରକୁ ଆସିଲା ସତ, ହେଲେ ସେ କିନ୍ତୁ ମୁଖ୍ୟମନ୍ତ୍ରୀ ରହିପାରିଲେନି । ଆଉ ଯଦି ସମାନ ଢଙ୍ଗରେ ବିଜେପି ବିହାରରେ ଅଧିକ ସିଟ୍ ହାତେଇବାକୁ ସକ୍ଷମ ହୁଏ ତେବେ ବିହାରରେ ମଧ୍ୟ ନୀତୀଶଙ୍କ ସହ ସେହି ସମାନ କଥା ହୋଇପାରେ ।

ଏଥର ବିହାରରେ ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ ହିଁ ଅଧିକ ଦ୍ୱନ୍ଦ୍ୱ ଲାଗିରହିଛି । ଗୋଟିଏ ପଟେ ଏନଡିଏ ମେଣ୍ଟରେ ବିଜେପି ମୁଖ୍ୟମନ୍ତ୍ରୀ ପଦକୁ ନିଜ ନେତାଙ୍କୁ ଦେବାକୁ ରଣନୀତି କରୁଥିବାବେଳେ, ନୀତୀଶ ପୁଣିଥରେ ସତ୍ତାର ଶିଖରରେ ବସିବାକୁ ଅଙ୍କ କଷୁଛନ୍ତି । ସେହିପରି ବିରୋଧୀ ମେଣ୍ଟରେ ମଧ୍ୟ ତେଜସ୍ୱୀଙ୍କ ନାଁକୁ ନେଇ ଅଙ୍କ ଛିଡୁନି । ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଯଦି ବିହାରରେ ଏନଡିଏ ପୁଣିଥରେ କ୍ଷମତାକୁ ଆସେ ଆଉ ବିଜେପିକୁ ସବୁଠୁ ଅଧିକ ସିଟ୍ ମିଳେ ତେବେ ମହାରାଷ୍ଟ୍ର ଫର୍ମୁଲାରେ ବିଜେପି ନିଜ ଦଳର ନେତାଙ୍କୁ ହିଁ ମୁଖ୍ୟମନ୍ତ୍ରୀ ଚେୟାରରେ ବସାଇବାକୁ ଚାହିବ । ଯାହାକି ନୀତୀଶଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିପାରେ ।

ଜାଣିରଖିବା ଉଚିତ ଯେ, ବିହାରରେ ପୂର୍ବରୁ ବୃଦ୍ଧଲୋକ, ଦିବ୍ୟାଙ୍ଗ ଏବଂ ବିଧବା ମହିଳାଙ୍କୁ ମାସକୁ  ୪୦୦ ଟଙ୍କା ଭତ୍ତା ମିଳୁଥିଲା । ହେଲେ ଏବେ ନୀତୀଶ କୁମାର ଏହାକୁ ୧୧ଶହ ଟଙ୍କାକୁ ବୃଦ୍ଧି କରିବା ନେଇ ଘୋଷଣା କରିଛନ୍ତି । ଆସନ୍ତା ଜୁଲାଇ ମାସରୁ ଏହି ଲାଗୁ ହୋଇଯିବ । ଏହା ଫଳରେ ବିହାରରେ ୧ କୋଟି ୯ ଲକ୍ଷ ୬୯ ହଜାର ୨୫୫ ଜଣ ହିତାଧିକାରୀ ଲାଭବାନ ହେବେ । ତେବେ ନୀତୀଶଙ୍କ ଏହି ଘୋଷଣା ଦ୍ୱାରା ବିହାରର ଗୋଟିଏ ବର୍ଗର ଭୋଟ୍ ତାଙ୍କ ଦଳ ସପକ୍ଷରେ ଯାଇପାରେ । ଖାସ୍ କରି ବୟସ୍କ ଭୋଟରଙ୍କ ମନ ଜିଣିବାକୁ ଏହି ଘୋଷଣା କରାଯାଇଥିବା ଚର୍ଚ୍ଚା ହେଉଛି । ହେଲେ ନୀତୀଶଙ୍କ ଏହି ଘୋଷଣା ଭୋଟରେ କେତେ ବଦଳୁଛି ତାହା ଦେଖିବାକୁ ବାକି ରହିଲା ।