କନକ ବ୍ୟୁରୋ: ଚର୍ଚ୍ଚାରେ ବିହାର ରାଜନୀତି । କାରଣ ପୁଣି ଥରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏନଡିଏ ହାତ ଛାଡ଼ି ଇଣ୍ଡି ମେଣ୍ଟ ଆଡ଼େ ଢଳୁଥିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି । କାରଣ ମକର ସଂକ୍ରାନ୍ତି ପରେ ପରେ ବାରମ୍ବାର ନୀତିଶ କୁମାର ଦଳ ବଦଳାଇବାର ଉଦାହରଣ ରହିଛି । ପୂର୍ବବର୍ଷ ବି ବର୍ଷ ଆରମ୍ଭରୁ ଇଣ୍ଡି ମେଣ୍ଟ ଛାଡ଼ି ଏନଡିଏରେ ସାମିଲ ହୋଇଥିଲେ ନୀତିଶ । ପୁଣି ଥରେ ବିହାରର ମୁଖ୍ୟମନ୍ତ୍ରୀ ପଦର  ନେଇଥିଲେ ଶପଥ । ତେଣୁ ଏଥର ବି ସେମିତି କିଛି କରିବେ ବୋଲି ଚର୍ଚ୍ଚା ହେଉଛି । ଅବଶ୍ୟ ନୀତିଶଙ୍କ ପକ୍ଷରୁ କିମ୍ୱା ତାଙ୍କ ଜଳ ଜେଡିୟୁ ପକ୍ଷରୁ ଏନେଇ କିଛି କୁହାଯାଇନି କି ଏନଡିଏ ନେତା ବି ଏନେଇ କିଛି କହିନାହାନ୍ତି ହେଲେ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି ।

Advertisment

ବିହାର ରାଜନୀତିକୁ ପାଖରୁ ଦେଖିଲେ କେତେବେଳେ ନୀତିଶ ଦଳ ଛାଡ଼ି ଦେବେ ସେନେଇ କିଛି କହିବା ମୁସ୍କିଲ । ସେପଟେ ଇଣ୍ଡି ମେଣ୍ଟ ଏବେ ବି ଆଶାବାନ୍ଧି ବସିଛି କି, ପୁଣି ଥରେ ନୀତିଶ ମେଣ୍ଟକୁ ଫେରିବେ ବୋଲି । ଏପଟେ ଏନଡିଏର ନେତା ଦାବି କରିଛନ୍ତି ଯେ ଆରଜେଡିର ୧୨ରୁ ଅଧିକ ନେତା ଏନଡିଏ ସମ୍ପର୍କରେ ଅଛନ୍ତି । କୌଣସି ମୁହୂର୍ତ୍ତରେ ବି ସେମାନେ ଦଳରେ ବିଧିବଦ୍ଧ ଭାବରେ ସାମିଲ ହୋଇପାରନ୍ତି । 


ସତରେ କଣ ନୀତିଶ ଏନଡିଏ ଉପରେ ଖୁସି ନାହାନ୍ତି

ନୀତିଶ ଏନଡିଏ ହାତ ଛାଡ଼ିବେ ବୋଲି ଏଇଥିଲାଗି ଚର୍ଚ୍ଚା ହେଉଛି କି, କିଛିଦିନ ହେବ ନୀତିଶ ଗଣମାଧ୍ୟମରୁ ନିଜକୁ ଦୂରେଇ ରଖୁଛନ୍ତି । ଖାଲି ଦୂରେଇ ରଖୁଛନ୍ତି ତାହା ନୁହେଁ ବରଂ ଗଣମାଧ୍ୟମର ପ୍ରତ୍ୟେକ ପ୍ରଶ୍ନର ଉତ୍ତର ରଖୁଥିବା ନୀତିଶ ଏବେ କୌଣସି ପ୍ରସଙ୍ଗରେ ମୁହଁ ଖୋଲୁନାହାନ୍ତି । ଆଉ ଯେବେ ଯେବେ ନୀତିଶ ଚୁପ୍‌ ରହିଛନ୍ତି, ସେବେ ସେବେ ଦଳ ବଦଳାଇଛନ୍ତି । ତେଣୁ ଚର୍ଚ୍ଚା ହେବାର ଇଏ ଗୋଟିଏ କାରଣ ହୋଇଥାଇପାରେ । ସଜସଜ ଦିବଙ୍ଗତ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ନିଧନରେ ଶେଷ ଦର୍ଶନ ଲାଗି ପହଞ୍ଚିଥିଲେ ନୀତିଶ । ଏହି ସମୟରେ ମନମୋହନଙ୍କ ପରିବାର ସହ ଅନେକ କଂଗ୍ରେସ ନେତାଙ୍କୁ ଭେଟିଥିଲେ । କିନ୍ତୁ ଏନଡିଏର ନେତାଙ୍କ ସହ ସେମିତି ନଜରକୁ ଆସିନଥିଲେ । ପୂର୍ବରୁ ବି ଦିଲ୍ଲୀରେ ଅମିତ ଶାହ ଡାକିଥିଲା ବୈଠକରେ ସାମିଲ ହୋଇନଥିଲେ ନୀତିଶ । ଯେହେତୁ କେନ୍ଦ୍ର ସରକାରରେ ନୀତିଶଙ୍କ ସମର୍ଥନ ରହିଛି ତେଣୁ ନୀତିଶ ନଯିବା ରାଜନୀତିକୁ ଆହୁରି ସରଗରମ କରିଛି । ଗୋଟିଏ ପଟେ ଆନ୍ଧ୍ରର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ହେଲେ ନୀତିଶଙ୍କର ଦେଖା ମିଳିନଥିଲା । ନୀତିଶ ଅସନ୍ତୋଷ ହେବାର ଅନ୍ୟ ଏକ କାରଣ ହେଉଛି ଦିଲ୍ଲୀ ବିଧାନସଭା ନିର୍ବାଚନ । ଏହି ନିର୍ବାଚନରେ ଜେଡିୟୁ ଲଢିବାକୁ ଇଚ୍ଛା ରଖିଥିଲେ ବି ଏନଡିଏ ସିଟ୍‌ ଭାଗବଂଟାକୁ ସଫାସଫା ମନା କରିଦେଇଛି ।


ନୀତିଶଙ୍କ ଉପରେ ଆରଜେଡିର ନଜର

ଜାତୀୟ ରାଜନୀତିରେ ଏବେ ନୀତିଶଙ୍କୁ ନେଇ ଭାରି ଚର୍ଚ୍ଚା । କେନ୍ଦ୍ରରେ ମୋଦି ସରକାରର ତୃତୀୟ ପାଳିରେ ଚନ୍ଦ୍ରବାବୁ ନାଇଡୁ ଓ ନୀତିଶ କୁମାରଙ୍କ ସମର୍ଥନ ରହିଛି । ଯଦି ନୀତିଶ ଏନଡିଏ ଛାଡନ୍ତି ତାହାଲେ କେନ୍ଦ୍ର ସରକାରଙ୍କ ଅଡ଼ୁଆ ବଢିପାରେ । ଏମିତି ସ୍ଥିତିରେ ନୀତିଶଙ୍କ ଉପରେ କଡ଼ା ନଜର ରଖିଛି ଆରଜେଡି । ଏମିତିକି ଖୁବଶୀଘ୍ର ନୀତିଶ ଆରଜେଡି ସହ ମିଶି ସରକାର କରିପାରନ୍ତି । ଯଦି ଏମିତି ହୁଏ ତାହା ପରେ ବି ନୀତିଶଙ୍କୁ ହିଁ ସିଏମ ପଦ ମିଳିପାରେ । ହେଲେ ବାରମ୍ବାର ଦଳ ବଦଳାଇ ନୀତିଶ ବିହାରର ଲଗାତାର ମୁଖ୍ୟମନ୍ତ୍ରୀ ହେଉଥିବାରୁ ଏବେ ଚର୍ଚ୍ଚା ଜୋର ଧରିଛି ।


ବିଭାଜନ ହୋଇପାରେ ନିଜ ଦଳ

ଏନଡିଏ ଛାଡି ଯଦି ନୀତିଶ ଇଣ୍ଡି ମେଣ୍ଟରେ ଯୋଗ ଦେବେ ତାହାଲେ ବି ସ୍ଥିତି ଗମ୍ଭୀର ହୋଇପାରେ । କାରଣ ଜେଡିୟୁର ଅନେକ ବିଧାୟକ ଏନଡିଏ ଯୋଗାଯୋଗରେ ଅଛନ୍ତି । ତେଣୁ ନୀତିଶ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବା ସହଜ ହେବନାହିଁ । ଏପଟେ ନୀତିଶଙ୍କୁ ନେଇ ହେଉଥିବା ଚର୍ଚ୍ଚା ବିଜେପି ପାଇଁ ସତର୍କ ଘଣ୍ଟି ବୋଲି କୁହାଯାଉଛି । ଯଦି ନୀତିଶ ଏନଡିଏ ଛାଡନ୍ତି ତାହାଲେ ବିଜେପି ଲାଗି ଅସୁବିଧା ହେବା ପକ୍କା । ଏମିତିକି ନୀତିଶ ବିଧାନସଭା ଭଙ୍ଗ କରି ପୁଣି ଥରେ ନିର୍ବାଚନ କରାଇବା ଚର୍ଚ୍ଚାକୁ ବି ଖଣ୍ଡନ କରାଯାଇନପାରେ ।