କନକ ବ୍ୟୁରୋ: ବିହାରରେ ବିଧାନସଭା ନିର୍ବାଚନକୁ ନେଇ ସରଗରମ ହୋଇଛି ରାଜନୀତି । ଗୋଟିଏ ପଟେ ରାହୁଲ ଗାନ୍ଧୀ ଆଉ ତେଜସ୍ୱୀ ଯାଦବ ମିଶି ବିହାରରେ ଭୋଟର ଅଧିକାର ଯାତ୍ରା ଆରମ୍ଭ କରିଥିବାବେଳେ, ଅନ୍ୟପଟେ ସତ୍ତାରେ ଥିବା ଏନଡିଏ ମେଣ୍ଟ ନିଜ ନିଜ ଦଳ ଭିତରେ ସିଟ୍ ବୁଝାମଣାକୁ ନେଇ ଆଲୋଚନା ଆରମ୍ଭ କରିଛି । ତେବେ ଏହାରି ଭିତରେ ମଙ୍ଗଳବାର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିହାରର ପାଟଣାରେ ଥିଲେ, ଆଉ ଏହି ସମୟରେ ସେ ନୀତିଶ କୁମାରଙ୍କୁ ଭେଟି ଦୀର୍ଘ ସମୟ ଧରି ଆଲୋଚନା କରିଛନ୍ତି । ଚର୍ଚ୍ଚା ହେଉଛି ଧର୍ମେନ୍ଦ୍ରଙ୍କ ସହ ଏହି ମିଟିଂରେ ନୀତିଶ ସିଟ୍ ବୁଝାମଣା ନେଇ କଥାବାର୍ତ୍ତା ହେଇଛନ୍ତି ।
ବିହାରରେ ବିଜେପି ଏବଂ ଜେଡିୟୁ ଏଥର ଏକାଠି ମିଶି ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଥିଲେ ବି, ଦୁଇ ଦଳ କେତେ ସିଟରେ ଲଢିବେ ତାହା ଏପର୍ଯ୍ୟନ୍ତ ଧାର୍ଯ୍ୟ ହେଇନି । ତେଣୁ ନୀତିଶ-ଧର୍ମେନ୍ଦ୍ରଙ୍କ ଏ ସାକ୍ଷାତକାରକୁ ନେଇ ବିହାରରେ ଚର୍ଚ୍ଚା ହେବା ଆରମ୍ଭ ହୋଇଛି । କୁହାଯାଉଛି ବିଜେପି ପାଇଁ ଅନେକ ସମୟରେ ସଙ୍କଟମୋଚକ ସାଜିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୀତିଶଙ୍କ ସହିତ ପ୍ରାୟ ଦୁଇ ଘଣ୍ଟା ଧରି ଆଲୋଚନା କରିଛନ୍ତି । ଏହି ଆଲୋଚନା ସମୟରେ ବିହାରର ଉପ-ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଏବଂ ଜେଡିୟୁ ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ ସଞ୍ଜୟ ସିଂହ ଏବଂ କେନ୍ଦ୍ରମନ୍ତ୍ରୀ ଲଲନ ସିଂ ମଧ୍ୟ ଉପସ୍ଥିତ ଥିଲେ । ତେଣୁ ଏହି ନେତାମାନଙ୍କ ସହିତ ବିହାର ରାଜନୀତିର ସିଟ୍ ଗଣିତ ସମ୍ପର୍କରେ ଧର୍ମେନ୍ଦ୍ର ଚର୍ଚ୍ଚା କରିଥିବା କୁହାଯାଉଛି ।
ଧର୍ମେନ୍ଦ୍ରଙ୍କ ସହ ଆଲୋଚନା କରିବା ପରେ ନୀତିଶ କୁମାର ଦିଲ୍ଲୀ ଯାଇଛନ୍ତି । ସେଠାରେ ବିଜେପିର ଶୀର୍ଷ ନେତୃତ୍ୱଙ୍କୁ ସେ ଭେଟିପାରନ୍ତି । ହେଲେ ଦଳ ପକ୍ଷରୁ କିନ୍ତୁ ନୀତିଶଙ୍କ ଏହି ଦିଲ୍ଲୀ ଗସ୍ତରୁ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଯାଇଛି । ହେଲେ ନୀତିଶଙ୍କ ସହିତ ସଞ୍ଜୟ ଝା ଏବଂ ଲଲନ୍ ସିଂହ ଦିଲ୍ଲୀ ଯାଇଥିବାରୁ, ଏହାକୁ ରାଜନୈତିକ ଦୃଷ୍ଟିକୋଣରୁ ଦେଖିବା ଆରମ୍ଭ କରିଛନ୍ତି ଲୋକ ।
ବିହାରରେ ବିଜେପି ଏଥର ନୀତିଶଙ୍କ ମୁହଁକୁ ନେଇ ନିର୍ବାଚନ ଲଢ଼ିବ ବୋଲି ଘୋଷଣା କରିସାରିଛି । ହେଲେ ତା ସତ୍ତ୍ୱେ ବି କେଉଁ ଦଳ କେତେ ସିଟରେ ନିର୍ବାଚନ ଲଢ଼ିବେ, ତାହା ଏଯାଏଁ ଧାର୍ଯ୍ୟ ହେଇପାରିନି । ବିହାରର ଏନଡିଏ ମେଣ୍ଟରେ ବିଜେପି, ଜେଡିୟୁ ସହିତ ଚିରାଗ ପାସଓ୍ୱାନଙ୍କ ଲୋକ ଜନଶକ୍ତି ପାର୍ଟି (ରାମବିଳାସ), ଜୀତନରାମ ମାଞ୍ଝୀଙ୍କ ହିନ୍ଦୁସ୍ଥାନୀ ଆବାମ୍ ମୋର୍ଚ୍ଚା ଏବଂ ଉପେନ୍ଦ୍ର କୁଶବାହାଙ୍କ ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ମୋର୍ଚ୍ଚା ରହିଛି । ତେଣୁ କେଉଁ ଦଳ କେତେ ସିଟରେ ନିର୍ବାଚନ ଲଢିବେ ତାହା ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ।
ଚିରାଗ ପାସଓ୍ୱାନ୍ ଏଥର ବିହାରର ୪୦ ସିଟରେ ନିର୍ବାଚନ ଲଢିବା ନେଇ ଦାବି କରୁଛନ୍ତି । ଅନ୍ୟପଟେ ଜୀତନରାମ ମାଞ୍ଝୀ ମଧ୍ୟ ୪୦ ସିଟ୍ ମାଗୁଛନ୍ତି । ସେପଟେ ଉପେନ୍ଦ୍ର କୁଶବାହାଙ୍କ କଥା ମଧ୍ୟ ସମାନ, ସେ ୧୦ରୁ ୧୫ ସିଟରେ ନିର୍ବାଚନ ଲଢ଼ିବାକୁ ଦାବି କରୁଛନ୍ତି । ଖାଲି ସେତିକି ନୁହେଁ ବିଜେପି ସହିତ ଜେଡିୟୁ ମଧ୍ୟ ସମାନ ସଂଖ୍ୟକ ସିଟରେ ଲଢିବା ନେଇ ଚର୍ଚ୍ଚା ହେଉଛି । ତେଣୁ ଦେଖିବାକୁ ବାକି ରହିଲା, ବିହାର ନିର୍ବାଚନରେ ଏଥର କିଏ କେତେ ସିଟରେ ନିର୍ବାଚନ ଲଢୁଛି?