କନକ ବ୍ୟୁରୋ :ପାଖେଇ ଆସୁଛି ବିହାର ବିଧାନସଭା ନିର୍ବାଚନ , ଏଥିପାଇଁ ସବୁ ଦଳ ମଇଦାନକୁ ଓହ୍ଲାଇଛନ୍ତି । ଏହି ସମୟରେ ନୀତିଶ ସରକାର ବଡ଼ ଘୋଷଣା କରିଛନ୍ତି । ସାମାଜିକ ସୁରକ୍ଷା ପେନସନ ଯୋଜନାର ପରିମାଣ ବୃଦ୍ଧି କରିଛନ୍ତି । ଏହା ସହ ବୃଦ୍ଧ, ଦିବ୍ୟାଙ୍ଗ ଏବଂ ବିଧବା ମହିଳାଙ୍କ ମାସିକ ଭତ୍ତା ୪୦୦ ଟଙ୍କାରୁ ୧୧୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି ।
ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, 'ମୁଁ ଖୁସିର ସହିତ ଜଣାଇବାକୁ ଚାହୁଁଛି ଯେ ସାମାଜିକ ସୁରକ୍ଷା ପେନସନ୍ ଯୋଜନା ଅଧୀନରେ, ସମସ୍ତ ବୃଦ୍ଧ, ଦିବ୍ୟାଙ୍ଗ ଏବଂ ବିଧବା ମହିଳାମାନେ ଏବେ ପ୍ରତି ମାସରେ ୪୦୦ ଟଙ୍କା ପରିବର୍ତ୍ତେ ୧୧୦୦ ଟଙ୍କା ପାଇବେ । ସମସ୍ତ ହିତାଧିକାରୀ ଜୁଲାଇ ମାସରୁ ବର୍ଦ୍ଧିତ ହାରରେ ଭତ୍ତା ପାଇବେ । ଏହି ଟଙ୍କା ମାସର ୧୦ ତାରିଖରେ ସମସ୍ତ ହିତାଧିକାରୀଙ୍କ ଆକାଉଣ୍ଟକୁ ପଠାଯିବ । ଏହା ଦ୍ୱାରା ୧ କୋଟି ୯ ଲକ୍ଷ ୬୯ ହଜାର ୨୫୫ ହିତାଧିକାରୀଙ୍କୁ ବହୁତ ସାହାଯ୍ୟ ମିଳିବ । '
मुझे यह बताते हुए खुशी हो रही है कि सामाजिक सुरक्षा पेंशन योजना के तहत सभी वृद्धजनों, दिव्यांगजनों और विधवा महिलाओं को अब हर महीने 400 रु॰ की जगह 1100 रु॰ पेंशन मिलेगी। सभी लाभार्थियों को जुलाई महीने से पेंशन बढ़ी हुई दर पर मिलेगी। सभी लाभार्थियों के खाते में यह राशि महीने की 10…
— Nitish Kumar (@NitishKumar) June 21, 2025
ବୟସ୍କମାନେ ଆମ ସମାଜର ଏକ ଅମୂଲ୍ୟ ଅଂଶ - ନୀତିଶ
ନୀତୀଶ କୁମାର ଲେଖିଛନ୍ତି ଯେ "ବୟସ୍କମାନେ ସମାଜର ଏକ ଅମୂଲ୍ୟ ଅଂଶ । ସେମାନଙ୍କର ସମ୍ମାନଜନକ ଏବଂ ସୁରକ୍ଷିତ ଜୀବନ ସୁନିଶ୍ଚିତ କରିବା ଆମର ସର୍ବୋଚ୍ଚ ପ୍ରାଥମିକତା । ରାଜ୍ୟ ସରକାର ଏହି ଦିଗରେ ନିରନ୍ତର କାର୍ଯ୍ୟ କରୁଛି ଏବଂ ଏହା ଆଗକୁ ମଧ୍ୟ ଜାରି ରହିବ ।"
ଚଳିତ ବର୍ଷ ଶେଷରେ ବିହାର ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ନିର୍ବାଚନ ପୂର୍ବରୁ, ବିରୋଧୀ ଦଳ ଆରଜେଡି ଲୋକଙ୍କୁ ବଡ଼ ବଡ଼ ପ୍ରତିଶ୍ରୁତି ଦେଉଥିବା ବେଳେ, ଏନଡିଏ ମଧ୍ୟ କ୍ଷମତାରେ ରହିବାକୁ ଯଥାସମ୍ଭବ ଚେଷ୍ଟା କରୁଛି । ଏହି ପରିପ୍ରେକ୍ଷୀରେ ଗତକାଲି ପ୍ରଧାନମନ୍ତ୍ରୀ ମୋଦୀ ସିୱାନରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ବିରୋଧୀ ଦଳ ଉପରେ ପ୍ରବଳ ବର୍ଷିଥିଲେ । ନୀତିଶ କୁମାର ମଧ୍ୟ ଏହି ରାଲିରେ ତାଙ୍କ ସରକାରଙ୍କ ସଫଳତା ଗଣନା କରି ବଖାଣିବା ସହ ଏବଂ ଆରଜେଡିକୁ ଟାର୍ଗେଟ କରିଥିଲେ ।