କନକ ବ୍ୟୁରୋ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଲଗାତାର ଅଷ୍ଟମ ଥର ପାଇଁ ବଜେଟ୍ ଉପସ୍ଥାପନ କରିବାକୁ ଯାଉଛନ୍ତି । ଯାହାକି ଏକ ରେକର୍ଡ । ଏହା ପୂର୍ବରୁ ଦେଶର କୌଣସି ଅର୍ଥମନ୍ତ୍ରୀ ଲଗାତାର ଏତେଥର ପାଇଁ ସଂସଦରେ ବଜେଟ୍ ଉପସ୍ଥାପନ କରିନଥିଲେ । ହେଲେ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏବେ ବି ସବୁଠୁ ଅଧିକ ଥର ବଜେଟ୍ ଉପସ୍ଥାପନ କରିବାର ରେକର୍ଡ ମୋରାର ଜୀ ଦେଶାଇଙ୍କ ନାଁରେ ରହିଛି । ନିଜର ଅଲଗା ଅଲଗା କାର୍ୟ୍ୟକାଳ ଭିତରେ ସବୁଠୁ ଅଧିକ ଥର ଦେଶର ବଜେଟ୍ ଉପସ୍ଥାପନ କରିଛନ୍ତି ମୋରାର ଜୀ ଦେଶାଇ ।
ଜାଣିରଖିବା ଉଚିତ୍ ଯେ, ୨୦୧୯ ମସିହା ଲୋକସଭା ନିର୍ବାଚନରେ ବିଜେପିର ବିଜୟ ପରେ ପ୍ରଥମ ଥର ପାଇଁ ଅର୍ଥମନ୍ତ୍ରୀ ବନିଥିଲେ ନିର୍ମଳା ସୀତାରମଣ । ସେହିବର୍ଷ ୨୦୧୯-୨୦ରେ ସେ ଅର୍ଥମନ୍ତ୍ରୀ ଭାବେ ସଂସଦରେ ବଜେଟ୍ ଉପସ୍ଥାପନ କରିଥିଲେ । ସେବେଠାରୁ ଆଜି ପର୍ୟ୍ୟନ୍ତ ଲଗାତାର ସେ ହିଁ ଦେଶର ବଜେଟ୍ ଉପସ୍ଥାପନ କରି ଆସୁଛନ୍ତି । ତେବେ ମୋଦୀ ୩.୦ ସରକାରର ଏହା ପ୍ରଥମ ବଜେଟ୍ ହେବାକୁ ଯାଉଥିବାବେଳେ, ନିର୍ମଳାଙ୍କର ଏହା ହେବ ୮ମ ବଜେଟ୍ ।
ତେବେ ରୋଚକ କଥା ହେଲା, ପୂର୍ବ ପ୍ରଧାନମନ୍ତ୍ରୀ ମୋରାର ଜୀ ଦେଶାଇ ମୋଟ୍ ୧୦ଥର ବଜେଟ୍ ଉପସ୍ଥାପନ କରିଛନ୍ତି । ଯାହାକି ଆଜି ପର୍ୟ୍ୟନ୍ତ ଏକ ରେକର୍ଡ ହେଇ ରହିଛି । ଦେଶାଇ ପ୍ରଥମ ଥର ୧୯୫୯ ମସିହାରେ ଦେଶର ବଜେଟ୍ ଉପସ୍ଥାପନ କରିଥିଲେ । ଏହାପରେ ସେ ୧୯୫୯ରୁ ୧୯୬୩ ମସିହା ପର୍ୟ୍ୟନ୍ତ ଲଗାତାର ୫ ଥର ପାଇଁ ବଜେଟ୍ ଉପସ୍ଥାପନ କରିଥିଲେ । ଏହାପରେ ୧୯୬୭ରେ ଅନ୍ତରୀଣ ବଜେଟ୍, ସେହି ବର୍ଷ ପୂର୍ଣ୍ଣ ବଜେଟ୍ ମଧ୍ୟ ସେ ଉପସ୍ଥାପନ କରିଥିଲେ । ଏହାପରେ ଯାଇ ୧୯୬୮ ଏବଂ ୧୯୬୯ରେ ଦେଶାଇ ପୂର୍ଣ୍ଣ ବଜେଟ୍ ଉପସ୍ଥାପନ କରିଥିଲେ ।
ସୂଚନାଯୋଗ୍ୟ ଯେ, ମୋରାର ଜୀ ଦେଶାଇ ୧୧ ଥର ପାଇଁ ବଜେଟ୍ ଉପସ୍ଥାପନ କରିବାର ସୁଯୋଗ ଥିଲା । ହେଲେ ୧୯୬୯ରେ ଇନ୍ଦିରା ଗାନ୍ଧୀ କ୍ୟାବିନେଟରୁ ଇସ୍ତଫା ଦେଇ ଦେଇଥିଲେ । ଆଉ ଏହାପରେ ଇନ୍ଦିରା ଗାନ୍ଧୀ ୧୯୬୯-୭୦ ମସିହାରେ ବଜେଟ୍ ଉପସ୍ଥାପନ କରିଥିଲେ । ମୋରାର ଜୀ ଦେସାଇ ତିନି ଅଲଗା ଅଲଗା ପ୍ରଧାନମନ୍ତ୍ରୀ (ଜବାହାରଲାଲ ନେହେରୁ, ଲାଲ ବାହାଦୂର ଶାସ୍ତ୍ରୀ ଏବଂ ଇନ୍ଦିରା ଗାନ୍ଧୀ)ଙ୍କ କାର୍ୟ୍ୟକାଳରେ ଅର୍ଥମନ୍ତ୍ରୀ ଭାବେ ବଜେଟ୍ ଉପସ୍ଥାପନ କରିଥିଲେ । ଆଉ ଆଜି ପର୍ୟ୍ୟନ୍ତ ସବୁଠୁ ଅଧିକ ଥର ବଜେଟ୍ ଉପସ୍ଥାପନ କରିବାର ରେକର୍ଡ ତାଙ୍କ ନାଁରେ ରହିଛି ।