କନକ ବ୍ୟୁରୋ: ଯେଉଁ ବୟସରେ ପୁଅ ବୋହୂଙ୍କୁ ଭରସା କରି ଘରେ ବସିବା କଥା ସେହି ବୟସରେ ଆଜି ହାତରେ କୋଡି କୋଦାଳ ଧରି କ୍ଷେତରେ ଫଳାଉଛନ୍ତି ସୁନା । ନିଜେ ଚାଷ କରି ରୋଜଗାରକ୍ଷମ ହେବା ସହିତ ୧୦ରୁ ୧୫ ପରିବାରକୁ ମଧ୍ୟ ରୋଜଗାରକ୍ଷମ କରିଛନ୍ତି ନିରଞ୍ଜନ ମହାନ୍ତି । ଯିଏକି ମାଟି ଓ ପ୍ରକୃତି ସହିତ ସଂଘର୍ଷ କରି ପାଇଛନ୍ତି ସଫଳତା ।
ପରିଣତ ବୟସରେ ଚାଷ ଜମିରେ କୋଡି କୋଦାଳ ଧରି ମାଟି ଖୋଳିବା ସହିତ ଗଛରେ ପାଣି ଦେଉଛନ୍ତି । ୧୯୭୭ ମସିହାଠାରୁ ଆଜି ପର୍ଯ୍ୟନ୍ତ ଚାଷ ପ୍ରତି ତାଙ୍କର ନିଶା ଏମିତି ରହିଛି ଯେ ସେ ଆଜି ଜଣେ ସଫଳ ଚାଷୀ ହୋଇପାରିଛନ୍ତି । କପ୍ତିପଦା ବ୍ଲକ ଶାଳଚୁଆ ପଞ୍ଚାୟତ ଗେଣ୍ଡାଗଡିଆ ଗାଁର ନିରଞ୍ଜନ ମହାନ୍ତି । ଆଜକୁ ପ୍ରାୟ ୪୫ ବର୍ଷରୁ ଅଧିକ ବର୍ଷ ହେବ ଚାଷ ପ୍ରତି ତାଙ୍କର ରହିଛି ଅହେତୁକ ଦୁର୍ବଳତା । ସକାଳ ହେବା ମାତ୍ରେ ନିଜ ବାଡି ବଗିଚା କାମରେ ଲାଗିପଡନ୍ତି ନିରଞ୍ଜନ ।
ସେ ତାଙ୍କ ବାଡିରେ ବିଭିନ୍ନ ପ୍ରକାର ପନିପରିବା ଚାଷ କରିଛନ୍ତି । ବାଡିରେ ପୋଟଳ ଲଗାଇଥିବା ବେଳେ କୁଇଂଟାଲ କୁଇଂଟାଲ ପୋଟଳ ଅମଳ ହେଉଛି । ବର୍ତମାନ ବିଲାତି, ବାଇଗଣ, ଅମୃତଭଣ୍ଡା, କଦଳୀ, ଧଣିଆପତ୍ର, କୋବି ଆଦି ଚାଷ କରିଛନ୍ତି । ସବୁଠାରୁ ବଡ କଥା ହେଲା ସେ ଏହି ଚାଷରେ ସ୍ବଳ୍ପ ପରିମାଣର ରାସାୟନିକ ସାର ପ୍ରୟୋଗ କରି ଜୈବିକ ଉପାୟରେ ଚାଷ କରୁଛନ୍ତି ।
ପରିଣତ ବୟସରେ ନିରଞ୍ଜନ ଜମିରେ ଲାଗିଥିବା ଗଛର ଯତ୍ନ ନେବା ସହିତ ନିଜେ ଗଛରେ ପାଣି ଦିଅନ୍ତି । ପ୍ରତ୍ୟେକ ଦିନ ତାଙ୍କ ଚାଷ ପାଇଁ ସାହାଯ୍ୟ କରୁଥିବା ୧୫ ଶ୍ରମିକ ଓ ତାଙ୍କ ପରିବାରକୁ କାମ ଯୋଗାଇଥାଆନ୍ତି । ବାର୍ଷିକ ୪ ରୁ ୫ ଲକ୍ଷ ଟଙ୍କା ରୋଜଗାର ହୋଇଥାଏ । ଦୀର୍ଘ ବର୍ଷ ହେବ ସେ ଏପରି ଚାଷ କରି ଆସୁଛନ୍ତି । ଏହି ଠାରେ ବିଭିନ୍ନ କିସମର ପରିବା ଚାଷ କରୁଥିବା ବେଳେ ଧାନ ଚାଷ ମଧ୍ୟ ସେ କରନ୍ତି । ବାଡିରୁ ଉତ୍ପାଦିତ ପନିପରିବା ଘରେ ଖାଇବା ସହିତ ବଜାରରେ ମଧ୍ୟ ବିକ୍ରି କରୁଛନ୍ତି । ଏ ବୟସରେ ବି ସେ କାମ କରିବାକୁ କୁଣ୍ଠା ପ୍ରକାଶ କରନ୍ତି ନାହିଁ । ଚାଷ କାମରୁ ତାଙ୍କୁ ଆନନ୍ଦ ମିଳେ ବୋଲି ସେ କୁହନ୍ତି । ତେବେ ନିରଞ୍ଜନ ନିଜ ବାଡିରେ ଅନ୍ୟ ଲୋକଙ୍କୁ କାମ ଯୋଗାଇ ଦେଇଥିବାରୁ ସେମାନେ ମଧ୍ୟ ତାଙ୍କର ଏଭଳି ପ୍ରୟାସକୁ ନେଇ ବେଶ୍ ଖୁସି ବ୍ୟକ୍ତ କରିଛନ୍ତି ।
କଥାରେ ଅଛି ଚାଷକାମ ଯାହାର କେତେ ସୁଖ ତାହାର । ଯାହାର ଉଦାହରଣ ହେଉଛନ୍ତି ନିରଞ୍ଜନ । ତାଙ୍କର ଏଭଳି ଏକ ପ୍ରୟାସ ବାସ୍ତବରେ ପ୍ରଶଂସାଯୋଗ୍ୟ । ମାଟି ସହ ସଂଘର୍ଷ ଓ ପ୍ରକୃତିର କରାଳ ରୂପକୁ ସାମ୍ନା କରି ଜଣେ ସଫଳ ଚାଷୀ ଭାବେ ସେ ନିଜର ପରିଚୟ ତିଆରି କରିଛନ୍ତି । ଯାହା ସମସ୍ତଙ୍କ ପାଇଁ ଉଦାହରଣ ।