କନକ ବ୍ୟୁରୋ: ୟେମେନରେ ମୃତ୍ୟୁଦଣ୍ଡ ପାଇଥିବା କେରଳର ନର୍ସ ନିମିଶା ପ୍ରିୟାଙ୍କ ମୁକ୍ତି ଆଶା କ୍ଷୀଣ ହେବାରେ ଲାଗିଛି । ଗୋଟିଏ ପଟେ ଭାରତ ସରକାର ଏବଂ ବିଭିନ୍ନ ସଂଗଠନ ନିମିଶାଙ୍କୁ ବଞ୍ଚାଇବା ପାଇଁ "ବ୍ଲଡ ମନି" (କ୍ଷତିପୂରଣ) ମାଧ୍ୟମରେ ଆପୋଷ ବୁଝାମଣା ପାଇଁ ଚେଷ୍ଟା କରୁଥିବାବେଳେ, ଅନ୍ୟପଟେ ମୃତ ୟେମେନୀ ନାଗରିକ ତଲାଲ ଅବଦୋ ମହଦିଙ୍କ ପରିବାର ଏଥିପାଇଁ ରାଜି ନଥିବା ସ୍ପଷ୍ଟ କରିଛନ୍ତି । ତଲାଲଙ୍କ ଭାଇ ନାଏଫ୍ ଏକ ସାକ୍ଷାତକାରରେ ସିଧାସଳଖ କହିଛନ୍ତି ଯେ ସେମାନେ କୌଣସି କ୍ଷତିପୂରଣ ଚାହାଁନ୍ତି ନାହିଁ, ବରଂ ଇସଲାମିକ ଶରିଆ ଆଇନ ଅନୁଯାୟୀ "ଆଖି ବଦଳରେ ଆଖି" ନୀତିରେ ନିମିଶାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଉ ବୋଲି ଦାବି କରିଛନ୍ତି ।  

ସୂଚନାମୁତାବକ,  ନିମିଶା ପ୍ରିୟା ୨୦୧୭ ମସିହାରେ ତାଙ୍କ ୟେମେନୀ ବ୍ୟବସାୟିକ ସହଯୋଗୀ ତଲାଲଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ନିମିଶାଙ୍କ ଅଭିଯୋଗ ଅନୁଯାୟୀ, ତଲାଲ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ ଏବଂ ତାଙ୍କ ପାସପୋର୍ଟ ଜବତ କରି ତାଙ୍କୁ ବନ୍ଦୀ କରି ରଖିଥିଲେ । ଏହି ନିର୍ଯାତନାରୁ ମୁକ୍ତି ପାଇବା ପାଇଁ ସେ ତଲାଲଙ୍କୁ ନିଶା ଇଞ୍ଜେକସନ ଦେଇଥିଲେ, କିନ୍ତୁ ଅତ୍ୟଧିକ ମାତ୍ରା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ପରେ ପ୍ରମାଣ ନଷ୍ଟ କରିବା ପାଇଁ ସେ ତଲାଲଙ୍କ ମୃତଦେହକୁ ଖଣ୍ଡ ଖଣ୍ଡ କରି ପାଣି ଟାଙ୍କିରେ ଫିଙ୍ଗି ଦେଇଥିଲେ ।  ୟେମେନର ତଳ କୋର୍ଟ ଓ ପରେ ସୁପ୍ରିମକୋର୍ଟ ତାଙ୍କୁ ମୃତ୍ୟୁଦଣ୍ଡାଦେଶ ଶୁଣାଇଥିଲେ ।

Advertisment

ବ୍ଲଡ ମନି ପାଇଁ ପ୍ରୟାସ ଏବଂ ପରିବାରର ବିରୋଧ:
ଶରିଆ ଆଇନ ଅନୁସାରେ, ଯଦି ମୃତକଙ୍କ ପରିବାର କ୍ଷତିପୂରଣ (ବ୍ଲଡ ମନି) ଗ୍ରହଣ କରି ଅଭିଯୁକ୍ତଙ୍କୁ କ୍ଷମା କରିଦିଅନ୍ତି, ତେବେ ମୃତ୍ୟୁଦଣ୍ଡ ରଦ୍ଦ ହୋଇପାରେ  ।