କନକ ବ୍ୟୁରୋ: ସ୍ବାମୀ ସ୍ତ୍ରୀ ମିଶି ଚଳାଇଥିଲେ କାରବାର । ବାରୁଦ ବ୍ୟବସାୟୀ ଶ୍ରବଣ ଅଗ୍ରୱାଲଙ୍କ ଗିରଫ ପରେ ସ୍କାନରରେ ପତ୍ନୀ ନିକିତା । ସ୍ବାମୀ ରିମାଣ୍ଡରେ ଆସିଥିଲାବେଳେ ଆଗକୁ ଦୁହେଁ ମୁହାଁମୁହିଁ ଜେରାର ସାମ୍ନା କରିପାରନ୍ତି ।
ସରଣ୍ଡା ଜଙ୍ଗଲରେ ସରୁନି ଅପରେସନ୍ । ମିଳିପାରୁନି ୧୨୦୦ କେଜିର ବାରୁଦ । ନା ମିଳୁଛନ୍ତି ମାଓବାଦୀ । ନା ସାମ୍ନାକୁ ଆସିପାରୁଛି ବାରୁଦ ଲୁଟ୍ର ବ୍ଲ୍ୟୁ ପ୍ରିଣ୍ଟ । ସୁନ୍ଦରଗଡ଼ ବଡ଼ଗାଁରେ ଥିବା ଇତ୍ମା ବିସ୍ଫୋରକ ଗୋଦାମର ମାଲିକ ଶ୍ରବଣ ଅଗ୍ରୱାଲ୍ ବନ୍ଧା ହେବା ପରେ ସ୍ତ୍ରୀ ନିକିତାଙ୍କ କଥା ସାମ୍ନାକୁ ଆସିଛି । ଶ୍ରବଣଙ୍କୁ ୨ ଦିନିଆ ରିମାଣ୍ଡରେ ନେଇ ଘାଣ୍ଟୁଛି ଏସ୍ଆଇଟି । ପ୍ରଥମ ଦିନରେ ଶ୍ରବଣଙ୍କୁ ଝାଳବୁହା ଜେରା ପରେ ପୁଲିସ ଆଗରେ ସବୁ ସତ ଉଗାଳିଛି । ଆଉ ସ୍ବାମୀଙ୍କ ପରେ ପଡ଼ିଛି ସ୍ତ୍ରୀଙ୍କ ପାଳି । ପୁଲିସ ନିକିତାଙ୍କୁ ରଘୁନାଥପାଲ୍ଲୀ ଥାନାରେ ନିର୍ଦ୍ଧାରିତ ତାରିଖ ଓ ସମୟ ଭିତରେ ହାଜର ହେବାକୁ ନୋଟିସ୍ କରିଛି । ୨ଟି ଏଜେନ୍ସି ନାଁରେ ବାରୁଦ ମଗାଇ ବେପାର ଚଳାଉଥିଲେ ସ୍ବାମୀ, ସ୍ତ୍ରୀ । ଏସ୍ଓପି ପାଳନ ନକରି ବିସ୍ଫୋରକ ଚାଲାଣ ଉଭୟଙ୍କ ପାଇଁ ଅଡୁଆ ବଢ଼ାଇଛି । ଏହାର ଭିତରେ ମାଓବାଦୀ ଲିଙ୍କ୍ ନେଇ ବି ଉଭୟଙ୍କୁ ସାମ୍ନାସାମ୍ନି ଜେରା କରିପାରେ ପୁଲିସ ।
ରଘୁନାଥପାଲ୍ଲୀ ଥାନାରେ ଜିଏସ୍ଟି ଅଧିକାରୀ ସନ୍ଧ୍ୟାରେ ପହଞ୍ଚି ଖୋଳତାଡ଼ କରିଛନ୍ତି । ଶ୍ରବଣଙ୍କ କମ୍ପାନିର କମ୍ପ୍ୟୁଟର ଓ ହାର୍ଡଡିସ୍କ ଯାଞ୍ଚ ହୋଇଛି । ଏସ୍ଆଇଟି ସହ ଜିଏସ୍ଟି ଅଧିକାରୀ ଉଭୟ ସ୍ବାମୀ ସ୍ତ୍ରୀଙ୍କୁ ଜେରା କରିପାରନ୍ତି ବୋଲି ଜଣାପଡ଼ିଛି । ସେପଟେ କଳାହାଣ୍ଡି ବଡକର୍ଲାକୋଟ ଠାରୁ ଜବତ ହୋଇଛି ସାଢ଼େ ୬ ଟନ୍ ବିସ୍ଫୋରକ ଓ ୧୧୫ଟି ଡିଟୋନେଟର । ଟ୍ରକ୍ ଓ ପିକଅପ୍ ଭ୍ୟାନ୍ରେ ବେଆଇନ ଭାବେ ଚାଲାଣ ବେଳେ ମାଡ଼ି ବସିଥିଲା ପୁଲିସ । ଏହାକୁ ନେଇ ଖଣି ବିଭାଗ ଓ ଜୟପାଟଣା ପୋଲିସର ତଦନ୍ତ ଆରମ୍ଭ ହୋଇଛି। ଘଟଣାରେ ୪ ଜଣ ଗିରଫ ହୋଇଛନ୍ତି । ସୁନ୍ଦରଗଡ଼ର ବାରୁଦ ଗନ୍ଧ ଝାଡ଼ଖଣ୍ଡ ଯାଏଁ ଗଲାଣି । ଓଡ଼ିଶା ପୁଲିସର ବି ଟେନସନ୍ କମୁନି । ମାଓବାଦୀଙ୍କ ପାଖରେ ଏବେ ବି ଲୁଟ୍ ବାରୁଦ ଥିବାରୁ କେତେବେଳେ କ’ଣ ହେବ କହିବା କଷ୍ଟକର ।