କନକ ବ୍ୟୁରୋ: ଧର୍ମ ନାଁରେ ଆଉ ଫୁଟାଇପାରିବେନି ବିସ୍ଫୋରକ ବାଣ । ବିସ୍ଫୋରକ ବାଣ ଉପରେ ଏନଜିଟି ପୂର୍ବରୁ କଟକଣା ଲଗାଇଥିବାବେଳେ ଏବେ ଧାର୍ମିକ କାର୍ଯ୍ୟକ୍ରମରେ ବାଣ ନଫୁଟାଇବାକୁ ଦେଇଛି ନିର୍ଦ୍ଦେଶ । ଏନଜିଟିର ହସ୍ତକ୍ଷେପ ପରେ ପୁଣିଥରେ ଖୋଲିବ ଚନ୍ଦନ ଯାତ୍ରା ବାଣ ବିସ୍ଫୋରଣର ଫାଇଲ । ହରଡ଼ଘଣାରେ ପଡ଼ିପାରନ୍ତି ପ୍ରାଶାସନିକ ଅଧିକାରୀ ।
ସେ ଚିତ୍କାର ଆଜି ବି ମନେ ପକାଇଦେଉଛି ସେହି କାଳ ରାତିର ଘଟଣା । ପୁରୀ ନରେନ୍ଦ୍ର ପୋଖରୀରେ ଚାଲିଥାଏ ଚନ୍ଦନ ଯାତ୍ରା । ଖୁସିରେ ସଭିଏଁ ମସଗୁଲ ଥିଲେ । କିନ୍ତୁ ହଠାତ ଫୁଟିଲା ବାଣ, ଆଉ ଆଖି ପିଛୁଳାକେ ଚାଲିଗଲା ପ୍ରିୟଜନଙ୍କ ଜୀବନ । ପ୍ରାଣ ବିକଳରେ ଶୁଭୁଥିଲା ଜଗନ୍ନାଥ ବଞ୍ଚାଇଦିଅ । ଏହି ଘଟଣାରେ ୧୭ ଜଣଙ୍କ ଜୀବନ ଗଲା । ଘଟଣାକୁ ବର୍ଷେ ପୂରି ଗଲାଣି । ଲୋକ ଘଟଣାକୁ ବି ଭୁଲିଗଲେଣି । ଠିକ୍ ଏହି ସମୟରେ ଛାଟ ମାରିଛି ଏନଜିଟି । ନିର୍ଦ୍ଦେଶ ଦେଇଛି ଏଣିକି ଧାର୍ମିକ କାର୍ଯ୍ୟକ୍ରମରେ କୌଣସି ପ୍ରକାରର ବିସ୍ଫୋରକ ବ୍ୟବହାର ହେବ ନାହିଁ । ଏ ସଂକ୍ରାନ୍ତରେ ନିର୍ଦ୍ଦେଶ ଦେବାକୁ ମୁଖ୍ୟ ଶାସନ ସଚିବଙ୍କୁ କୁହାଯାଇଛି ।
ପୁରୀ ଚନ୍ଦନ ଯାତ୍ରାରେ ବାଣ ଫୁଟିବା ଯୋଗୁଁ ୧୭ ଜଣଙ୍କ ଜୀବନ ଚାଲିଯିବା ଘଟଣା ଓଡିଶାକୁ ଦୋହଲାଇ ଦେଇଥିଲା । ଘଟଣା ବିତିଗଲା, ଆଉ ବଦଳିଗଲା ଶାସନ । ଆଉ ଏଇଠି ଅଟକିଗଲା ତଦନ୍ତ, ପ୍ରଶାସନର ଅବହେଳାକୁ ସମସ୍ତେ ଭୁଲିଗଲେ । ଏନଜିଟିରେ ଏବେ ପୁଣି ଥରେ ଚନ୍ଦନ ଯାତ୍ରା ବାଣ ଦୁର୍ଘଟଣାର ତଦନ୍ତ ପ୍ରସଙ୍ଗ ଉଠାଇଛନ୍ତି । ଯେଉଁ ବ୍ୟକ୍ତିଙ୍କ ଅବହେଳା ପାଇଁ ଏତେ ବଡ ଦୁର୍ଘଟଣା ଘଟିଗଲା, ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି । ରାଜ୍ୟର ବିଭିନ୍ନ ଧର୍ମାନୁଷ୍ଠାନରେ ପୂଜାର୍ଚ୍ଚନା ଆଳରେ ବାଣ ଫୁଟାଇବାର ପରମ୍ପରା ରହିଛି । ଏନଜିଟିର ହସ୍ତକ୍ଷେପ ପରେ ଆଗକୁ ସେସବୁରେ ବି କଟକଣା ଲାଗିପାରେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/05/12/pKAAMH6kVkWtzXVQGlK4.png)