କନକ ବ୍ୟୁରୋ :  କାହାକୁ ପ୍ରକଳ୍ପରେ ନିଯୁକ୍ତି ତ ଆଉ କାହାକୁ ସହଭାଗୀ କରିବାର ଲୋଭ ଦେଖାଇ ୭୦ ଲକ୍ଷ ଟଙ୍କା ଲୁଟ୍‌ । ରାୟଗଡ଼ାରୁ ୭୦ ଲକ୍ଷ ଟଙ୍କା ନେଇ ଫେରାର ହୋଇଯାଇଛି ଏନଜିଓ ସ୍ମର୍ଦ୍ଧା । ମୁଣ୍ଡଝାଳ ତୁଣ୍ଡରେ ମାରି ସଞ୍ଚୟ କରିଥିବା ଅର୍ଥ ଫେରି ପାଇବାକୁ ପ୍ରାୟ ୧୫ ଜଣ ମହିଳା  ଥାନା, କୋର୍ଟ ଓ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ହତାଶ ହୋଇଛନ୍ତି 

Advertisment

ଅନସୂୟା ପାଣିଗ୍ରାହୀ 
ସ୍ୱାମୀଙ୍କ ମୃତ୍ୟୁ ପରେ ଏନଜିଓ ସ୍ମର୍ଦ୍ଧାର ବିଭିନ୍ନ ପ୍ରକଳ୍ପରେ ସହଭାଗୀ ହୋଇ ଲାଭ ପାଇବାକୁ ତାଙ୍କୁ ଲୋଭ ଦେଖାଯାଇଥିଲା । ଝିଅ ବାହାଘର ପାଇଁ ରଖିଥିବା ୪-୫ ଲକ୍ଷ ଟଙ୍କା ଏନଜିଓ ସ୍ମର୍ଦ୍ଧାର ଅଧ୍ୟକ୍ଷାଙ୍କୁ ଦେଇଥିଲେ ଅନସୂୟା । ବାସ୍ ତା'ପରେ ଆଉ ଏନଜିଓ ଅଧ୍ୟକ୍ଷାଙ୍କ ଦେଖାନାହିଁ। 

ପାର୍ବତୀ ସାହୁ
ଝିଅ ବାହାଘର ପାଇଁ ରଖିଥିବା ୮ ଲକ୍ଷ ଟଙ୍କା ଏନଜିଓକୁ ଦେଇଥିଲେ। ସେ ବି ହତାଶ ହୋଇଛନ୍ତି।  

ନୂତନ ବର୍ମା  
ନୂତନଙ୍କ ନାଁରେ ବ୍ୟାଙ୍କରୁ ଋଣ କରାଇ, କିଛି ଧୂପକାଠି ମେସିନ କିଣାଇ ବାକି ୮ ଲକ୍ଷ ଟଙ୍କା ଧରି ଫେରାର ହୋଇଯାଇଛନ୍ତି ସ୍ମର୍ଦ୍ଧା ଏନଜିଓ ଅଧ୍ୟକ୍ଷା ।

 କେବଳ ଏହି ତିନିଜଣ ନୁହନ୍ତି, ୧୦-୧୫ ଜଣଙ୍କ ଠାରୁ ପ୍ରାୟ ୭୦ ଲକ୍ଷ ଟଙ୍କା ଧରି ଫେରାର ସ୍ମର୍ଦ୍ଧା ଏନଜିଓ ଅଧ୍ୟକ୍ଷା ସୂର୍ଯ୍ୟକାନ୍ତି ରାଉତ !  କାହାକୁ ଅନ୍ୟ ଘର ଦେଖାଇ ଏଗ୍ରିମେଣ୍ଟ କରି ତ ଆଉ କାହାକୁ ନକଲି ସୁନା ବନ୍ଧକ ଦେଇ ଏବଂ ବିୟୁଟି ପାର୍ଲର, ସିଲେଇ, ଧୂପକାଠି ପ୍ରସ୍ତୁତି ତାଲିମ ପରି ସଂସ୍ଥା ଖୋଲିବା ନାଁରେ ଠକେଇ କରିଥିବା ଅଭିଯୋଗ ହୋଇଛି । ମହିଳାମାନେ ସୂର୍ଯ୍ୟକାନ୍ତି ରାଉତଙ୍କୁ ଭୂବନେଶ୍ୱରରେ ଭେଟିଥିଲେ, ସେସବୁ ସ୍ବୀକାର କରିବା ସହ ଟଙ୍କା ଫେରାଇବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଏପର୍ୟ୍ୟନ୍ତ ଟଙ୍କା ଫେରାଇ ନାହାନ୍ତି ।

ଏହା ମଧ୍ୟରେ ୮ ବର୍ଷ ବିତିଛି । ମହିଳାମାନେ ଥାନା, କୋର୍ଟ, ଜିଲ୍ଲାପାଳଙ୍କ  ଦ୍ବାରସ୍ଥ ହୋଇଥିଲେ ବି ନ୍ୟାୟ ମିଳିନାହିଁ । ତଥାପି ନ୍ୟାୟ ଆଶାରେ ଏ ଅଫିସ ସେ ଅଫିସ ଧାଉଁଛନ୍ତି ଅଭିଯୋଗକାରୀ।