କନକ ବ୍ୟୁରୋ: ଭାରତ ଓ ନ୍ୟୁଜିଲାଣ୍ଡ ଦଳ ମଧ୍ୟରେ ଆଜି ଚାମ୍ପିୟନ୍ସ ଟ୍ରଫିର ଫାଇନାଲ୍‌ ମ୍ୟାଚ୍‌ ଖେଳା ଯାଉଛି । ଆଜିର ମ୍ୟାଚ୍‌ରେ ବି ଟସ୍‌ ହାରିଛନ୍ତି ଭାରତର କ୍ୟାପ୍‌ଟେନ୍‌ ରୋହିତ ଶର୍ମା । ନ୍ୟୁଜିଲାଣ୍ଡ ଦଳ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି । 

Advertisment

୨୫ ବର୍ଷ ପରେ ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ମୁହାଁମୁହିଁ ହୋଇଛନ୍ତି ଭାରତ ଓ ନ୍ୟୁଜିଲାଣ୍ଡ । ଏହାପୂର୍ବରୁ ୨୦୦୦ ମସିହାରେ ଉଭୟ ଦଳ ପରସ୍ପରକୁ ଭେଟିଥିଲେ । ତେବେ ଏହି ମ୍ୟାଚ୍‌ରେ ବାଜି ମାରି ନେଇଥିଲା ନ୍ୟୁଜିଲାଣ୍ଡ । ଆଜି ସେହି ମ୍ୟାଚ୍‌ର ପ୍ରତିଶୋଧ ନେବା ସୁଯୋଗ ଭାରତ ପାଖରେ ରହିଛି । ତେବେ ଆଜିର ମ୍ୟାଚ୍‌ ପାଇଁ ଭାରତୀୟ ଦଳରେ କୌଣସି ପରିବର୍ତ୍ତନ ହୋଇନାହିଁ ।

ଲିଗ୍‌ ପର୍ଯ୍ୟାୟରେ ଭାରତ ନ୍ୟୁଜିଲାଣ୍ଡ ଦଳକୁ ମାତ ଦେଇଥିଲା । ସେହି ମ୍ୟାଚ୍‌ରେ ସ୍ପିନ୍‌ ବିପକ୍ଷରେ ସଂଘର୍ଷ କରିଥିଲା ନ୍ୟୁଜିଲାଣ୍ଡ ଦଳ । ଆଜି ତାହା ସୁଧାରିବାକୁ ଚେଷ୍ଟା କରିବ । କିନ୍ତୁ ଆଜିର ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ୍‌ ଟିମ୍‌ରେ ଗୋଟିଏ ପରିବର୍ତ୍ତନ କରିଛନ୍ତି କ୍ୟାପଟେନ୍‌ ମିଚେଲ ସାଣ୍ଟ୍‌ନର୍ । ଆହତ ସମସ୍ୟା ଯୋଗୁଁ ମ୍ୟାଟ୍‌ ହେନେରିଙ୍କ ସ୍ଥାନରେ ଆଜି ନାଥାନ ସ୍ମିଥ୍‌ଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିଛି । 

ପାଣିପାଗ ସୂଚନା ମୁତାବକ ମ୍ୟାଚ୍‌ରେ ବର୍ଷାର କୌଣସି ସମ୍ଭାବନା ନାହିଁ । ଏବେ ଦୁବାଇରେ ତାପମାତ୍ରା ୩୧ ଡିଗ୍ରୀ ସେଲସିୟସ ରହିଥିବା ବେଳେ  ହାଲୁକା ବାଦଲ ଢାଙ୍କି ରଖିଛି । ଯେଉଁ ପିଚ୍‌ରେ ମ୍ୟାଚ୍‌ ଖେଳାଯିବ ସେଠାରେ ପୂର୍ବରୁ ଲିଗ୍‌ ପର୍ଯ୍ୟାୟ ମ୍ୟାଚ୍‌ ଖେଳା ଯାଇ ସାରିଛି । ପିଚ୍‌ ଅଧିକ ଶୁଖିଲା ରହିବ । ତେଣୁ ଫାଷ୍ଟ ବୋଲରଙ୍କୁ ଏଠାରେ ସ୍ପିଡ୍‌ ମିଳିବା ସହ ହାଲୁକା ଟର୍ଣ୍ଣ ଦେଖିବାକୁ ମିଳିପାରେ ବୋଲି କ୍ରିକେଟ ସମୀକ୍ଷକ ପିଚ୍‌ ରିପୋର୍ଟରେ ମତ ରଖିଛନ୍ତି । 

ଭାରତ ଚୂଡ଼ାନ୍ତ ଏକାଦଶ 
ରୋହିତ ଶର୍ମା (କ୍ୟାପ୍ଟେନ୍‌), ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, ଅକ୍ଷର ପଟେଲ, କେଏଲ ରାହୁଲ (ୱିକେଟ୍‌କିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ମହମ୍ମଦ ଶାମି, କୂଳଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ 

ନ୍ୟୁଜିଲାଣ୍ଡ ଚୂଡ଼ାନ୍ତ ଏକାଦଶ 
ୱିଲ୍ ୟଙ୍ଗ୍, ରଚିନ୍ ରବିନ୍ଦ୍ର, କେନ୍ ୱିଲିୟମ୍ସନ୍, ଡାରିଲ୍ ମିଚେଲ୍, ଟମ୍ ଲାଥାମ୍ (ୱିକେଟ୍‌କିପର), ଗ୍ଲେନ୍ ଫିଲିପ୍ସ, ମାଇକେଲ୍ ବ୍ରେସୱେଲ୍, ମିଚେଲ୍ ସାଣ୍ଟନର (କ୍ୟାପ୍ଟେନ୍‌), କାଇଲ୍ ଜାମିସନ୍, ୱିଲିୟମ୍ ଓରୋର୍କ, ନାଥାନ୍ ସ୍ମିଥ୍