କନକ ବ୍ୟୁରୋ: ଚାମ୍ପିୟନ୍ସ‌ ଟ୍ରଫିର ଦ୍ୱିତୀୟ ସେମିଫାଇନାଲରେ ୫୦ ରନ୍‌ରେ ଦକ୍ଷିଣ ଆଫ୍ରିକାକୁ ହରାଇ ଫାଇନାଲ ଟିକେଟ ହାତେଇଛି ନ୍ୟୁଜିଲାଣ୍ଡ ଦଳ । ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକାକୁ ୩୬୨ରନର ବଡ଼ ଟାର୍ଗେଟ ଦେଇଥିଲା ନ୍ୟୁଜିଲାଣ୍ଡ । ରଚିନ ରବୀନ୍ଦ୍ର ଓ ୱିଲିୟମସନ୍‌ଙ୍କ ଶତକ ବଳରେ ଦକ୍ଷିଣ ଆଫ୍ରିକା ଆଗରେ ରନର ପାହାଡ଼ ଛିଡ଼ା କରିଥିଲା ନ୍ୟୁଜିଲାଣ୍ଡ । ମିଚେଲ ୪୯ ରନ କରିଥିବା ବେଳେ ମାତ୍ର ୧ ରନରୁ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ ଫିଲିପ୍ସ । ଏହାର ଜବାବରେ ଦକ୍ଷିଣ ଆଫ୍ରିକା ୯ ୱିକେଟ ହରାଇ ୩୧୨ ରନ୍‌ ହିଁ କରିପାରିଥିଲା । ମିଚେଲ ସାଣ୍ଟନର୍‌ ୩ ୱିକେଟ ନେଇଥିବା ବେଳେ ମ୍ୟାଟ୍‌ ହେନରି ଏବଂ ଏବଂ ଗ୍ଲେନ ଫିଲିପ୍ସଙ୍କୁ ୨ଟି ଲେଖାଏଁ ୱିକେଟ ମିଳିଥିଲା । ସେହିପରି ରଚିନ ରବୀନ୍ଦ୍ର ଓ ମିଚେଲ ବ୍ରାସୱେଲଙ୍କ ଖାତାକୁ ଯାଇଛି ଗୋଟିଏ ଲେଖାଏଁ ୱିକେଟ । ଏବେ ସମସ୍ତଙ୍କ ନଜର ୯ତାରିଖରେ ହେବାକୁ ଥିବା ଫାଇନାଲ ମୁକାବିଲା ଉପରେ । ଟାଇଟଲ ଟକ୍କରରେ ମୁହାଁମୁହିଁ ହେବେ ଭାରତ-ନ୍ୟୁଜିଲାଣ୍ଡ । ଚଳିତ ଚାମ୍ପିୟନ୍ସ ଟ୍ରଫି ଟୁର୍ଣ୍ଣାମେଣ୍ଟରେ ଲିଗ୍ ପର୍ଯ୍ୟାୟରେ କିୱି ଦଳକୁ ମାତ୍ ଦେଇଥିଲା ଭାରତ । ରୋମାଞ୍ଚକର ମୁକାବିଲାରେ ନ୍ୟୁଜିଲାଣ୍ଡକୁ ହରାଇ ଟେବୁଲ ଟପ୍ପର ହୋଇଥିଲା ଭାରତୀୟ ଦଳ । ଏବେ ପୁଣିଥରେ ଟାଇଟଲ ଲଢେଇରେ ଦୁଇ ଦଳ ହେବେ ସାମ୍ନସାମ୍ନି । ଭାରତ ଲଗାତାର କ୍ରମାଗତଭାବେ ତୃତୀୟ ଥର ପାଇଁ ଫାଇନାଲ ଖେଳୁଥିବା ବେଳେ ନ୍ୟୁଜିଲାଣ୍ଡ ଶେଷଥର ପାଇଁ ୨୦୦୦ ମସିହାରେ ଫାଇନାଲ ଖେଳିଥିଲା । ଦୀର୍ଘ ୨୫ ବର୍ଷ ପରେ ପୁଣିଥରେ ଫାଇନାଲରେ ଏଣ୍ଟ୍ରି କରିଛି ଦଳ । ସୁପର ସଣ୍ଡେରେ ସୁପରହିଟ୍ ମୁକାବିଲା ଦେଖିବାକୁ ମିଳିବ ।