କନକ ବ୍ୟୁରୋ : କନକ ନ୍ୟୁଜ ତରଫରୁ ଆୟୋଜିତ ନ୍ୟୁଜମେକର-୨୦୨୪ ରେ ଯୋଗଦେଇଛନ୍ତି ଏନଡିଟିଭିର ପରିଚାଳନା ସମ୍ପାଦକ ନିଧି କୁଳପତି । ସେ ମଞ୍ଚରୁ ସାମ୍ବାଦିକତା ପାଇଁ ଥିବା ଆହ୍ୱାନକୁ ମଞ୍ଚରେ ଉପସ୍ଥାପନ କରିଛନ୍ତି । ସେ କହିଛନ୍ତି କି. ସାମ୍ବାଦିକତାର ଅର୍ଥ ନୁହେଁ କେବଳ ସରକାରଙ୍କୁ ଆଇନା ଦେଖାଇବା କିମ୍ବା ସମ୍ବାଦକୁ ନେଇ ରାଜନୀତି କରିବା । ସାମ୍ବାଦିକଙ୍କ ପାଇଁ ପ୍ରମୁଖ ଅହ୍ୱାନ ହେଉଛି ଜନଜୀବନରେ ସୁଧାର ଆଣିବା । ଏହାସହ ସାମ୍ବାଦିକତାର ମୂଳମନ୍ତ୍ର କରୁଣା ବୋଲି ସେ କହିଛନ୍ତି । ସମାଜର ସୁଧାର ଆଣିବା ଓ ଅନ୍ୟକୁ ସାହାଯ୍ୟ କରିବା ହେଉଛି ସାମ୍ବାଦିକର ଦାୟିତ୍ୱ । ଏକଥା ବି କହିଛନ୍ତି କି, ପରିବେଶ ଓ ପରିସ୍ଥିତିକୁ ଦେଖି ଯାହା ସମ୍ଭବ ହୋଇପାରିବ ତାହା କରିବା ହେଉଛି ସାମ୍ବାଦିକତାର ଧର୍ମ ।
ନିଧି କହିଛନ୍ତି କି, ସମୟ ସହ ଦେଶର ଗଣମାଧ୍ୟମ ବଦଳିଛି । ୧୯୯୧ ପର୍ଯ୍ୟନ୍ତ ଦେଶରେ କୌଣସି ଘରୋଇ ଖବର ପ୍ରସାରଣ ସଂସ୍ଥା ନଥିଲା, କିଛି ପ୍ରଡକ୍ସନ ହାଉସ ଡିଡି ନ୍ୟାସନାଲ ମାଧ୍ୟମରେ କାର୍ଯ୍ୟକ୍ରମ ପ୍ରସାରଣ କରୁଥିଲେ । ପରିବର୍ତ୍ତି ସମୟରେ ଘରୋଇ ଚ୍ୟାନେଲ ହେଲା, ଡେଫର୍ଡ ଓ ଲାଇଭ ବ୍ୟବସ୍ଥା ଆସିଲା । ଏବେ ଦେଶରେ ପାଖାପାଖି ୬ ଶହ ଜାତୀୟ ଓ ୧୨ ଶହ ଆଞ୍ଚଳିକ ଖବର ପ୍ରସାରଣ ସଂସ୍ଥା ରହିଛି । ଏସବୁ ଚ୍ୟାନେଲ ଖୋଲିବା ପରେ ଏହାର ସକରାତ୍ମକ ଦିଗ ହେଉଛି ଲୋକଙ୍କୁ ରୋଜଗାର ମିଳଲା । ମହିଳାଙ୍କୁ ରୋଜଗାର କ୍ଷମ କଲା । ହେଲେ କଣ୍ଟେଣ୍ଟ ବା ଖବରର ବୁଝାମଣା ଆରମ୍ଭ ହେଲା । ସାମ୍ବାଦିକତାର ମୂଲ୍ୟବୋଧ କମିଲା । ଖବରର ସବୁ ପକ୍ଷକୁ ସାମ୍ନାକୁ ଅଣାଗଲା ନାହିଁ । ହେଲେ ଏହାକୁ କାଉଣ୍ଟର କରିବାକୁ ଏବେ ସାମାଜିକ ଗଣମାଧ୍ୟମ ବେଶ ତତ୍ପରତା ଦେଖାଇଛି । ଗାଁ ଗହଳିର ଅନେକ ଖବରକୁ ବଡ଼ବଡ଼ ଖବର ପ୍ରସାରଣ ସଂସ୍ଥାମାନେ ଅଣଦେଖା କରୁଥିବା ବେଳେ କିନ୍ତୁ ସାମାଜିକ ଗଣମାଧ୍ୟମ ତାହା ଲୋକଲୋଚନକୁ ଆଣୁଛି । ସରକାର ଓ ରାଜନୈତିକ ଦଳମାନେ ଏବେ ସାମାଜିକ ଗଣମାଧ୍ୟମ ମୁହାଁ ବୋଲି ନିଧି କୁଳପତି କହିଛନ୍ତି ।