କନକ ବ୍ୟୁରୋ : ନବବିବାହିତ ଯୁବକଙ୍କୁ ହତ୍ୟା । ନୂଆପଡ଼ା ଜିଲ୍ଲା ସଦର ମହକୁମା ୱାର୍ଡ଼ ନମ୍ବର-୧୧, ଶିବଶକ୍ତି ନଗରର ଜଣେ ନବ ବିବାହିତ ଯୁବକଙ୍କ ହତ୍ୟା ଏବେ ଚାଞ୍ଚଲ୍ୟ ଖେଳାଇଦେଇଛି । ଯୁବକଙ୍କ ମୃତଦେହ ଛତିଶଗଡ଼ର ମହାସମୁନ୍ଦ ଜିଲ୍ଲା କୋମାଖାନ ପୁଲିସ ଷ୍ଟେସନ ଅଞ୍ଚଳରୁ ମିଳିଛି । କସେକେରା – ଟୋଙ୍ଗୋପାନୀ ରାସ୍ତା କଡ଼ରୁ ମୃତଦେହ ମୁହଁ ଓ ହାତରେ ଟେପ୍ ବନ୍ଧା ହୋଇଥିବା ଅବସ୍ଥାରେ ମିଳିଛି । ନୂଆପଡ଼ା ସଦର ଶିବ ଶକ୍ତିନଗରରେ ରହୁଥିବା ଶିକ୍ଷକ ମନବୋଧ ତ୍ରିପାଠୀଙ୍କ ଏକମାତ୍ର ପୁଅ ମାନସ ରଞ୍ଜନ ତ୍ରିପାଠୀ ଗତ ୮ ତାରିଖ ସଂଧ୍ୟାରୁ ନିଖୋଜ ଥିଲେ। ସେ ଫାର୍ମାସିଷ୍ଟ କୋର୍ସ କରିଥିବାରୁ ଆଖ ପାଖ ଅଞ୍ଚଳରେ ବୁଲି ବୁଲି ରୋଗୀ ସେବା କରୁଥିଲେ। ନିଖୋଜ ହେବା ନେଇ ନୂଆପଡ଼ା ସଦର ପୁଲିସ ଷ୍ଟେସନରେ ପରିବାର ଲୋକ ଏତଲା ଦେଇଥିଲେ । ୩୨ ବର୍ଷୀୟ ମାନସ ଗତ ମାସ ୨୩ ତାରିଖରେ ଛତିଶଗଡ଼ର ପିଥୋଡାରୁ ଵିଵାହ କରିଥିଲେ ।
୯ ତାରିଖରେ ମୃତଦେହ ଛତିଶଗଡ଼ରେ ମିଳିଥିଲା । ପିନ୍ଧିଥିବା ଟିସାର୍ଟ ଓ ହାତ ମୁଦିରୁ ମାନସଙ୍କ ମୃତଦେହକୁ ପରିବାର ଲୋକ ଚିହ୍ନଟ କରିଥିଲେ। ତାଙ୍କୁ ହତ୍ୟା କରାଯାଇଥିବା ପୁଲିସର ପ୍ରାଥମିକ ତଦନ୍ତରୁ ମିଳିଛି । ଅନ୍ୟ କୋଉ ସ୍ଥାନରେ ହତ୍ୟା କରି ଏଠାରେ ଫିଙ୍ଗି ଦିଆଯାଇଥିବା ସନ୍ଦେହ କରାଯାଉଛି । ଶବ ବ୍ୟବଚ୍ଛେଦ ପରେ ଛତିଶଗଡ଼ ପୁଲିସ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ପରେ ନିଜ ଗାଁରେ ଅନ୍ତିମ ସଂସ୍କାର କରାଯାଇଛି । କୋମାଖାନ ଥାନାରେ ଏଫଆଇଆର ରୁଜୁ ହୋଇଛି । ଏହି ହତ୍ୟା ପଛରେ କ’ଣ କାରଣ ଓ କିଏ ହତ୍ୟାକାରୀ, ପୁଲିସ୍ ତଦନ୍ତ ଚଳାଇଛି ।