କନକ ବ୍ୟୁରୋ: କାନ୍ଥରୁ ଲିଭିନି ଶୁଭ ବିବାହ ହେଲେ ଲିଭିଗଲା ନବବଧୂ ଲକ୍ଷ୍ମୀପ୍ରିୟା ଙ୍କ ଜୀବନଦୀପ। ସାମାନ୍ୟ ଫ୍ରିଜ୍ ପାଇଁ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ବାଲେଶ୍ୱର ସୋରୋ ଅନ୍ତର୍ଗତ ତେନ୍ତାଲ ଗଡିଆ ଗାଁରେ।
ଗତ ଜୁନ ୧୪ ତାରିଖରେ କୁପାରୀ ପଞ୍ଚାୟତ ସରପୁର ଗାଁର ସୁଦାମ ସେଠୀଙ୍କ ଝିଅ ଲକ୍ଷ୍ମୀପ୍ରିୟା ସେଠୀଙ୍କ ବିବାହ ଖଇରା ବ୍ଲକ ଗଡ଼ପୋଖରୀ ପଞ୍ଚାୟତ ତେନ୍ତାଲ ଗଡିଆ ଗାଁର ଜଗନ୍ନାଥ ଦାସଙ୍କ ସହ ହୋଇଥିଲା। ବିଭାଘର କିଛି ଦିନ ସବୁକିଛି ଠିକଠାକ ଚାଲିଥିଲା । ମାତ୍ର ପରେ ଜଗନ୍ନାଥ ଓ ତାଙ୍କ ମା’ ଏକ ଫ୍ରିଜ ପାଇଁ ବାରମ୍ବାର ଲକ୍ଷ୍ମୀପ୍ରିୟାକୁ ନିର୍ୟାତନା ଦେଉଥିଲେ। ଯାହାକୁ ନେଇ ପରିବାରରେ ଅଶାନ୍ତି ଲାଗି ରହୁଥିଲା। ହେଲେ ଆଜି ସକାଳୁ ହଠାତ ଲକ୍ଷ୍ମୀପ୍ରିୟା ଆତ୍ମହତ୍ୟା କରିଥିବା ନେଇ ଖବର ଆସିଲା। ଜଗନ୍ନାଥ ଏନେଇ ଲକ୍ଷ୍ମୀପ୍ରିୟାଙ୍କ ଘର ଲୋକଙ୍କୁ ଖବର ଦେଇଥିଲେ ।
ଲକ୍ଷ୍ମୀପ୍ରିୟାଙ୍କ ପରିବାର ଲୋକ ଆସିବା ପରେ ଜଗନ୍ନାଥ ସମେତ ତାଙ୍କ ପରିବାର ଲୋକ ଫେରାର ହୋଇଯାଇଥିବା ବେଳେ ଝିଅକୁ ହତ୍ୟା କରାଯାଇଥିବା ସନ୍ଦେହ କରିଛନ୍ତି ପରିବାର। ଘଟଣାକୁ ନେଇ ଥାନାରେ ଅଭିଯୋଗ ହୋଇଛି।