କନକ ବ୍ୟୁରୋ : ବୁର୍ଲା ଭିମସାରରୁ ଚୋରି ହୋଇଥିବା ନବଜାତ ଶିଶୁକୁ ଉଦ୍ଧାର କରିଛି ପୋଲିସ । ଘଣ୍ଟା ଘଣ୍ଟା ଧରି ଚାରିଆଡେ ଘାଣ୍ଟିବା ପରେ ସମ୍ବଲପୁର ପୋଲିସକୁ ଏହି ସଫଳତା ମିଳିଛି । ଛୁଆକୁ ପାଇଲା ପରେ ଖୁସିରେ ମିଠା ବାଣ୍ଟିଛନ୍ତି ନବଜାତକର ମା’ ଓ ମାଉସୀ । ଅନ୍ୟପଟେ ଚୋରି କରିଥିବା ମହିଳା ଓ ତାଙ୍କ ସ୍ୱାମୀଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।
ବୁର୍ଲା ମେଡିକାଲର ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗରୁ ଚୋରି ହୋଇଥିବା ୨ ଦିନର ନବଜାତକକୁ ଉଦ୍ଧାର କରିଛି ପୋଲିସ । ଚୋରିର ୪୦ ଘଣ୍ଟା ଓ ୩ଶହ ସିସିଟିଭି ଫୁଟେଜର ଯାଞ୍ଚ ପରେ ରେଙ୍ଗାଲି ଗଣେଶନଗରରୁ ଉଦ୍ଧାର କରିଛି ପୋଲିସ । ଉଦ୍ଧାର ପରେ ମେଡିକାଲ ଭିତରୁ କେମିତି ହେଲା ନବଜାତକ ଚୋରି ? ପୋଲିସ ଏହି ଘଟଣାକୁ ନେଇ କିଭଳି ଚଳାଇଥିଲା ଅପରେସନ୍ ? ତାହା ଗୋଟି ଗୋଟି କରି ବଖାଣିଛନ୍ତି ସମ୍ବଲପୁର ଏସପି । ଚୋରି କରିଥିବା ରେଙ୍ଗାଲି ଗଣେଶ ନଗରର ମହିଳା ଓ ତାଙ୍କ ସ୍ୱାମୀଙ୍କ ଫଟୋ ସିସିଟିଭି ଫୁଟେଜରୁ ସାମ୍ନାକୁ ଆସିଛି । ଏହାପରେ ଦମ୍ପତିଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି ପୋଲିସ ।
ପୋଲିସ ଉଦ୍ଧାର ଶିଶୁପୁତ୍ରକୁ ଆଣି ବୁର୍ଲା ଏସ.ଏନ.ସି.ୟୁରେ ରଖିଛି । ଶିଶୁକୁ କିଛି ସଂକ୍ରମଣ ହୋଇଛି ନା ନାହିଁ, ସେନେଇ ୭୨ ଘଣ୍ଟା ଅବଜରଭେସନରେ ରଖି ଚିକିତ୍ସା କରାଯିବ । ସେପଟେ ନିଜ ଛୁଆକୁ ପାଇବା ପରେ ମା’ର ଖୁସି କହିଲେ ନସରେ । ଖୁସିରେ ଗଦଗଦ ହୋଇ ମେଡିକାଲ ପରିସରରେ ମିଠା ବାଣ୍ଟିଛନ୍ତି ।
ମଙ୍ଗଳବାର ବୁର୍ଲା ମେଡିକାଲରୁ ଏକ ନବଜାତ ଶିଶୁ ଚୋରିକୁ ନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା । ରେଙ୍ଗାଲି ଗଣେଶ ନଗରର ମହିଳା ଶିଶୁଟିକୁ ମେଡିକାଲରୁ ଚୋରି ପରେ ଏକ ଅଟୋରେ ଅଇଁଠାପାଲି ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଯାଇଥିଲେ । ସେଠାରୁ ଆଉ ଏକ ଗାଡିରେ ନିଜ ଘରକୁ ନେଇ ଯାଇଥିଲେ । ତେବେ ଶିଶୁଟିକୁ ନିଜେ ଲାଳନ ପାଳନ ପାଇଁ ନେଇଥିଲେ ? ନା ଆଉ କାହାକୁ ବିକ୍ରି କରିବା ପାଇଁ ନେଇଥିଲେ ? ତାହା ସ୍ପଷ୍ଟ ହୋଇନାହିଁ ।