କନକ ବ୍ୟୁରୋ : ପୁଣି ଅଲୋଡ଼ା ଶିଶୁ କନ୍ୟା । ରାଜଧାନୀରେ ରାସ୍ତାକଡ଼ରୁ ମିଳିଲା ନବଜାତ ଶିଶୁ କନ୍ୟା । ଆଚାର୍ଯ୍ୟ ବିହାର ମହାରାଜା ସିନେମା ହଲ ନିକଟ ରାସ୍ତା କଡ଼ରୁ ନବଜାତ ଶିଶୁ କନ୍ୟା ଉଦ୍ଧାର ହୋଇଛି । ବିଳମ୍ବିତ ରାତି କିମ୍ବା ବଢ଼ି ଭୋରୁ କିଏ ଛାଡ଼ି ଚାଲି ଯାଇଥିବା ସନ୍ଦେହ କରାଯାଉଛି । ସକାଳୁ ସ୍ଥାନୀୟ ଲୋକ ଶିଶୁ କନ୍ୟାକୁ ଉଦ୍ଧାର କରିଛନ୍ତି । ପୋଲିସକୁ ଖବର ଦେବା ପରେ ସହିଦନଗର ଥାନା ପୋଲିସ ପହଞ୍ଚି ଶିଶୁ କନ୍ୟାକୁ କ୍ୟାପିଟାଲ ହସ୍ପିଟାଲକୁ ନେଇଛନ୍ତି । ଶିଶୁ କନ୍ୟାଟିର ସ୍ୱାସ୍ଥ୍ୟ ଅବସ୍ଥା ସୁସ୍ଥ ଅଛି ବୋଲି ଜଣାପଡ଼ିଛି ।

Advertisment

ସେପଟେ ବୁର୍ଲା ଭିମସାରରୁ ଚୋରି ହୋଇଥିବା ନବଜାତ ଶିଶୁକୁ ଉଦ୍ଧାର କରିଛି ପୋଲିସ । ଘଣ୍ଟା ଘଣ୍ଟା ଧରି ଚାରିଆଡେ ଘାଣ୍ଟିବା ପରେ ସମ୍ବଲପୁର ପୋଲିସକୁ ଏହି ସଫଳତା ମିଳିଛି । ଛୁଆକୁ ପାଇଲା ପରେ ଖୁସିରେ ମିଠା ବାଣ୍ଟିଛନ୍ତି ନବଜାତକର ମା’ ଓ ମାଉସୀ । ଅନ୍ୟପଟେ ଚୋରି କରିଥିବା ମହିଳା ଓ ତାଙ୍କ ସ୍ୱାମୀଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

ବୁର୍ଲା ମେଡିକାଲର ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗରୁ ଚୋରି ହୋଇଥିବା ୨ ଦିନର ନବଜାତକକୁ ଉଦ୍ଧାର କରିଛି ପୋଲିସ । ଚୋରିର ୪୦ ଘଣ୍ଟା ଓ ୩ଶହ ସିସିଟିଭି ଫୁଟେଜର ଯାଞ୍ଚ ପରେ ରେଙ୍ଗାଲି ଗଣେଶନଗରରୁ ଉଦ୍ଧାର କରିଛି ପୋଲିସ । ଉଦ୍ଧାର ପରେ ମେଡିକାଲ ଭିତରୁ କେମିତି ହେଲା ନବଜାତକ ଚୋରି ? ପୋଲିସ ଏହି ଘଟଣାକୁ ନେଇ କିଭଳି ଚଳାଇଥିଲା ଅପରେସନ୍ ? ତାହା ଗୋଟି ଗୋଟି କରି ବଖାଣିଛନ୍ତି ସମ୍ବଲପୁର ଏସପି । ଚୋରି କରିଥିବା ରେଙ୍ଗାଲି ଗଣେଶ ନଗରର ମହିଳା ଓ ତାଙ୍କ ସ୍ୱାମୀଙ୍କ ଫଟୋ ସିସିଟିଭି ଫୁଟେଜରୁ ସାମ୍ନାକୁ ଆସିଛି । ଏହାପରେ ଦମ୍ପତିଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି ପୋଲିସ ।